କଟକରେ କ୍ଲୋରିନ ଗ୍ୟାସ ଲିକର ତନାଘନା ଆରମ୍ଭ ! ଘଟଣାର ତଦନ୍ତ ପାଇଁ ଗଠନ ହେବ କମିଟି,ସାମିଲ ହେବେ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ

23

କନକ ବ୍ୟୁରୋ : କଟକରେ କ୍ଲୋରିନ ଗ୍ୟାସର ଲିକର ତନାଘନା ଆରମ୍ଭ ହୋଇଛି । ଆଜି ଘଟଣାର ତଦନ୍ତ ପାଇଁ କମିଟି ଗଠନ ହେବ । ଏଥିରେ ଜନସ୍ୱାସ୍ଥ ବିଭାଗର ଅଧିକାରୀ ସାମିଲ ହେବେ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ବି ହେବ । ଗତକାଲି କଟକ ବଡ ମେଡିକାଲ ପରିସରରେ କ୍ଲୋରିନ ଗ୍ୟାସ ଲିକ ହେବା ପରେ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା । ଜମସ୍ୱାସ୍ଥ୍ୟ ବିଭାଗର ଏକ ପାଇପରୁ ଗ୍ୟାସ ଲିକ ହେବା ଫଳରେ ୩୦ରୁ ଅଧିକ ଲୋକେ ଅସୁସ୍ଥ ହୋଇପଡିଥିଲେ ।

ସମସ୍ତଙ୍କୁ ଏସସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ୧୫ଜଣଙ୍କ ଚିକିତ୍ସା ଆଇସିୟୁରେ ଚାଲିଛି । ଘଟଣାରେ ୪ଜଣ ଅଗ୍ନିଶମ କର୍ମଚାରୀ ଓ ୯ଜଣ ଡାକ୍ତରୀ ଛାତ୍ର ମଧ୍ୟ ଅସୁସ୍ଥ ହୋଇପଡିଛନ୍ତି । କଟକ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପିଏଚଡି ପମ୍ପ ହାଉସରେ ଥିବା ଏକ କଳଙ୍କି ଲଗା ସିଲିଣ୍ଡରରୁ ଗ୍ୟାସ ଲିକ୍ ହେବା ଫଳରେ ଏଭଳି ଘଟଣା ଘଟିଛି । ଗ୍ୟାସ ସିଲିଣ୍ଡରକୁ ମହାନଦୀପଠାକୁ ନିଆଯିବା ପରେ ପରିସ୍ଥିତି ସ୍ୱାଭାବିତ ହୋଇଥିଲା । ତେବେ ଏସସିବି ଭଳି ଏକ ସମ୍ବଦେନଶୀଳ ଜାଗାରେ ପିଏଚଡି ବିଭାଗ କିଭଳି ଗ୍ୟାସ ସିଲିଣ୍ଡର ରଖିଥିଲା ସେ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।