ଛାତିଫଟେଇ କାନ୍ଦୁଛି ଚିତ୍ରକୋଣ୍ଡା: ରାହା ଖୋଜୁଛି ରାଲଗୋଡ଼ା, ରାସ୍ତା ନଥିବାରୁ ରାସନ ପାଇଁ ଭରସା ସାଜିଛି ଘୋଡ଼ା ପିଠି ।

124

କନକ ବ୍ୟୁରୋ: ତୃଣମୂଳସ୍ତରରୁ ବିକାଶର ଦ୍ୱାହି ଦେଉଥିବା ନେତାଙ୍କ ପାଇଁ ଅଜଣା ପାଲଟିଛି ଚିତ୍ରକୋଣ୍ଡାର ରାଲେଗାଡ଼ା ପଞ୍ଚାୟତ । ଗାଁ ର ବିକାଶ ଆଉ ଆଦିବାସୀଙ୍କ ଉନତି ପାଇଁ ସରକାରଙ୍କ ମାଳମାଳ ଯୋଜନା , ହେଲେ ଅନ୍ଧାରିମୂଲକରେ ବଞ୍ଚୁଥିବା ଅନୁସୂଚିତ ଜାତି ଜନଜାତି ଲୋଙ୍କ ପାଇଁ ସତେ ଯେମିତି ଏହି ଯୋଜନା ସବୁ କେବଳ ନାଲିଫିତା ତଳେ ବନ୍ଧା ହୋଇପଡ଼ିଛି । ଯେଉଁଥି ପାଇଁ ରାଜ୍ୟରେ ଏବେବି ଏମିତି କିଛି ଅଞ୍ଚଳ ଅଛି , ଯେଉଁଠି ଏଯାଏଁ ପଡ଼ିନି ବିକାଶର ପାଦଚିହ୍ନ ।

ସ୍ୱାଭିମାନ ଅଞ୍ଚଳଭାବେ ବୋଲାଉଥିବା ଚିତ୍ରକୋଣ୍ଡାଅଞ୍ଚଳରେ ଥିବା ରାଲେଗାଡା ପଞ୍ଚାୟତରେ ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ସରକାରୀ ଯୋଜନା ବାଟବଣା ହୋଇଯାଇଛି । ଆଉ ଏଠାରେ ପହଞ୍ଚିପାରିନାହିଁ କୌଣସି ମୌଳିକ ସୁବିଧା । ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସର୍ବନିମ୍ନ ଆବଶ୍ୟକତା ଆଜି ବି ଏହି ପଞ୍ଚାୟତବାସୀଙ୍କ ପାଇଁ ସାତ ସପନ ପାଲଟିଛି । ଗାଁ ର ରାସ୍ତା କହିଲେ ଆବଡା ଖାବଡା ପାହାଡିଆ ଜଙ୍ଗଲ ରାସ୍ତା । ଆଉ ଘର କହିଲେ, ନୁଆଁଣିଆ ଝାଟିମାଟି କାନ୍ଥର ଘର ।

ସବୁଠାରୁ ବିଡମ୍ବନାର କଥା ହେଲା କି, ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ରାଲେଗାଡା ପଞ୍ଚାୟତରେ ଏ ଯାଏଁ କେଉଁ ସରକାରୀ ବାବୁ କି ଜନ ପ୍ରତିନିଧିଙ୍କ ପାଦ ପଡ଼ିନାହିଁ । କାରଣ ବଣ ଜଙ୍ଗଲ ଘେରା ଓ ଦୁର୍ଗମ ଅଞ୍ଚଳକୁ ରାସ୍ତାଟିଏ ନ ଥିବା ବେଳେ ଶାସନ ପ୍ରଶାସନ ଏଠି ପହଞ୍ଚିବ ବା କେମିତି ? ଚାଉଳ, କିରୋସିନୀ, ଭୋତା ପଇସା ଆଣିବାକୁ ହେଲେ ଏଠାରୁ ଦଶ କିଲୋମିଟର ଦୂର ସାରକୁବନ୍ଧ ଗାଁ କୁ ଯିବାକୁ ପଡେ । ଆଉ ସାରକୁବନ୍ଧ ଗାଁ ରୁ ଘୋଡା ସାହାଯ୍ୟରେ ନିଜ ଗାଁ କୁ ଚାଉଳ ନେଇ ଯାଇଥାନ୍ତି ଗ୍ରାମବାସୀ ।

ଚଳିତ ବର୍ଷ ସାରକୁବନ୍ଧ ନାଳ ଉପରେ ଝୁଲା ପୋଲ ନିର୍ମାଣ କରାଗଲା ସେହି ଅଂଚଳକୁ ଯୋଗାଯୋଗ କରିବାପାଇଁ କିନ୍ତୁ ଏହି ପୋଲ ସାହାଯ୍ୟରେ ସାରକୁବନ୍ଧ ଗାଁ ପର୍ଯ୍ୟନ୍ତ ହିଁ ସମସ୍ତ ସୁବିଧା ମିଳିପାରୁଛି । ଏହି ପଞ୍ଚାୟତ ରେ ସ୍କୁଲ ଘରର ଫାଉଣ୍ଡେସନ ଅଛି ସତ କିନ୍ତୁ ସ୍କୁଲ ନାହିଁ । ଅଙ୍ଗନବାଡି କେନ୍ଦ୍ର କଥା ନ କହିବା ଭଲ । ବର୍ଷ ବର୍ଷ ଧରି ପାନୀୟଜଳ କଷ୍ଟ ଭାଗୁଛନ୍ତି ଗ୍ରାମବାସୀ । କିନ୍ତୁ ହାତ ନପତେଇ ସ୍ୱାଭିମାନୀ ଭାବେ ହଳଦୀ ଚାଷକରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ରାଲେଗାଡ଼ା ପଞ୍ଚାୟତବାସୀ । ଆଉ ବୋଝ ଉପରେ ନଳିତା ବିଡା ଭଳି ଏହି ଅଞ୍ଚଳ ଅତି ଘଞ୍ଚ ଜଙ୍ଗଲ ହୋଇଥିବା ଯୋଗୁଁ ମାଓବାଦୀ ମାନେ ଏଠାରେ ନିଜର କାୟା ବିସ୍ତାର କରିଛନ୍ତି । ଯାହା ଗ୍ରାମବାସୀଙ୍କ ଜୀବନଯାପନ ଖଣ୍ଡାଧାର ଉପରେ ରହିଥିବା ଭଳି ମନେ ହେଉଛି ।