ଅନ୍ଧାରୀମୂଲକ ରାଲେଗାଡା : ସ୍ୱପ୍ନ ପାଲଟିଛି ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସର୍ବନିମ୍ନ ଆବଶ୍ୟକତା

103

କନକ ବ୍ୟୁରୋ : ଆଦିବାସୀଙ୍କ ବିକାଶ ପାଇଁ ହଜାରେ ଯୋଜନା, ହେଲେ କେତେ ପ୍ରଣୟନ ହେଉଛି । ଅନ୍ଧାରୀମୂଲକରେ ରହୁଥିବା ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କୁ ସମାଜର ମୁଖ୍ୟ ତ୍ସୋତରେ ସାମିଲ କରିବା ପାଇଁ ନେତାମନ୍ତ୍ରୀଙ୍କ କେତେ କଣ ବୟାନବାଜି । ଗାଁ ଗାଁରେ ବିକାଶ ପହଂଚାଉଥିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନାରାବାଜି କରୁଛନ୍ତି । ହେଲେ ଏବେ ବି ଏମିତି ଗାଁ ରହିଛି ଯେଉଁଠି ବାକଶର ପଦଚିହ୍ନ ବି ଦେଖିବାକୁ ମିଳୁନାହିଁ । ସ୍ୱାଭିମାନ ଅଂଚଳ ରାଲେଗାଡ ପଂଚାୟତବାସୀ ଏବେ ବି ଅତି ଦୟନୀୟ ସ୍ଥିତିରେ ରହୁଛନ୍ତି ।

ପାହାଡି ରାସ୍ତାରେ ଗାଡି ତ ଗଡି ପାରେନି ତେଣୁ ଗମନାଗମନ ପାଇଁ ଘୋଡା ଭରସା । ପିଡିଏସ ସାମଗ୍ରୀ ଆଣିବା ପାଇଁ ଜଙ୍ଗଲୀ ରାସ୍ତା ଦେଇ ଘୋଡ ଉପରେ ବସି ୧୦ କିଲୋମିଟର ଦୂର ସାରକୁବନ୍ଧ ଗାଁକୁ ଯାଇଥାନ୍ତି ରାଲେଗାଡା ଆଦିବାସୀ ମଣିଷ । ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ଲାଗି ସରକାରଙ୍କ ହଜାରେ ଯୋଜନା । ହେଲେ ଆଜି ବି ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସର୍ବନିମ୍ନ ଆବଶ୍ୟକତା ରାଲେଗାଡାର ଲୋକଙ୍କ ପାଇଁ ସ୍ୱପ୍ନ କହିଲେ ଭୁଲ ହେବନି । ଘର କହିଲେ, ନୂଆଣିଆ ଝାଟିମାଟିର କୁଡିଆ, ଯାନବାହାନ କହିଲେ ଘୋଡା । ବଣ ଜଙ୍ଗଲ ଘେରା ଦୁର୍ଗମ ଅଂଚଳ ରାଲେଗାଡାକୁ ରାସ୍ତା ନଥିବାରୁ ପ୍ରଶାସନିକ ବାବୁ କି ଜନ ପ୍ରତିନିଧିଙ୍କ ପାଦ ପଡେନି । ଯେଉଁଠି ପ୍ରଶାସନ ପହଂଚି ପାରିନି ସେଠାରେ ବିକାଶ କେମିତି ପହଂଚିଥିବ ସହଜରେ ଅନୁମେୟ ।

ଗାଁଟି ଦୁର୍ଗମ ଅଂଚଳରେ ଥିବାରୁ ମାଓବାଦୀଙ୍କ ଦବଦବା ଜାରି ରହିଛି । ଗମନା ଗମନ ସୁବିଧା ନଥିବାରୁ ମାଓ ଦମନ ଦିଗରେ ମଧ୍ୟ ଯବାନଙ୍କୁ ଅସୁବିଧା ହୋଇଥାଏ । ଏସବୁକୁ ଦୃଷ୍ଟିରେ ରଖି ସାରକୁବନ୍ଧ ନାଳ ଉପରେ ଏକ ଝୁଲା ପୋଲ ପ୍ରଶାସନ ପକ୍ଷରୁ କରାଯାଇଛି । ହେଲେ ଏହି ପୋଲ ଦେଇ ବିକାଶର ଗାଡି କେବଳ ସାରକୁବନ୍ଧ ପାଖରେ ଅଟକି ଯାଇଛି । ନାହିଁ ନାହିଁର ରାଲେଗାଡାରେ ସ୍କୁଲର ଭିତିପ୍ରସ୍ତର ଅଛି ହେଲେ ସ୍କୁଲ ନାହିଁ । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସବୁ କିଛି ଲୋକଙ୍କ ପାଇଁ ଅପହଂଚ ।