୩ଟି ଚିଟଫଣ୍ଡ କମ୍ପାନୀର ସଂପତି ହେବ ଇ-ନିଲାମ : ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପାଇଁ ତାରିଖ ଘୋଷଣା କଲେ କଟକ ଏଡିଏମ

30

କଟକ ବ୍ୟୁରୋ, କନକ ନ୍ୟୁଜ୍ : ତିନିଟି ଚିଟଫଣ୍ଡ କମ୍ପାନିର ସଂପତି ହେବ ନିଲାମ । ଦ୍ୱିତୀୟ ପର୍ଯ୍ୟୟ ଇ-ନିଲାମ ପାଇଁ ତାରିଖ ଘୋଷଣା କରିଛନ୍ତି କଟକ ଏଡିଏମ । ଜୁଲାଇ ୧୧ ତାରିଖରେ ସାଫେକ୍ସ ଇଣ୍ଡିଆ, ୧୩ରେ ଆସ୍ଥା ଗ୍ରୁପ ଓ ୧୮ରେ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଚିଟଫଣ୍ଡ ସଂସ୍ଥାର ସଂପତି ୱେବସାଇଟ ଜରିଆରେ ହେବ ବୋଲି ଏଡିଏମ ସୂଚନା ଦେଇଛନ୍ତି । କୋଟିକୋଟି ଟଙ୍କା ଠକେଇର ଶିକାର ହୋଇଥିବା ରାଜ୍ୟର ହଜାରହଜାର ଜମାକାରୀ ସେମାନଙ୍କ ଜମାଟଙ୍କା ଫେରି ପାଇବା ଆଶାରେ ଚାହିଁ ବସିଛନ୍ତି । ପୂର୍ବରୁ ରୋଜଭ୍ୟାଲି ସଂପତି ଇ-ନିଲାମ ପାଇଁ କେହି ବିଡର ଆସିନଥିଲେ । ଦୁଇଟି ପର୍ଯ୍ୟାୟରେ ସଂପତି ଇ-ନିଲାମ କରାଯାଇଥିଲେ ମଧ୍ୟ କେହି ଆବେଦନ କରିନଥିଲେ । ସେହିପରି ଆସ୍ଥାର ଗଞ୍ଜାମ ଓ ଖୋର୍ଦ୍ଧାରେ ଥିବା ୧୨ଟି ପ୍ଲଟରୁ କେବଳ ଚିଲିକାରେ ଥିବା ତିନିଟି ପ୍ଲଟ ପାଇଁ ବିଡିଂ ହୋଇଥିଲା । ତେବେ ସାଫେକ୍ସ ଓ ଗୋଲଡେନ ଡେଭଲପର୍ସର ବାଜ୍ୟାପ୍ତ ସଂପତି ପାଇଁ କେହି ବିଡର ନଥିବାରୁ ପୁଣିଥରେ ଇ-ନିଲାମ ପାଇଁ ପଦକ୍ଷେପ ନେଉଛନ୍ତି କଟକ ଏଡିଏମ ବିଭୂତି ଭୂଷଣ ଦାସ ।