ଆଜି ଆସିପାରେ ଚିଟଫଣ୍ଡ ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟ

35

କଟକ ବ୍ୟୁରୋ, କନକ ନ୍ୟୁଜ୍: ଆଜି ଅନ୍ତରୀଣ ରିପୋର୍ଟ ଦେଇପାରନ୍ତି ଚିଟଫଣ୍ଡ କମିଶନ୍ । ବିଶେଷ କରି କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ନେଇ ଉଲ୍ଲେଖ କରିପାରନ୍ତି ଜଷ୍ଟିସ ଏମଏମ ଦାସ । ସେହିପରି ସ୍ୱଳ୍ପ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ କିଛି ସଂସ୍ଥାଙ୍କ ଆଭିମୁଖ୍ୟ ସଂପର୍କରେ ମଧ୍ୟ ରିପୋର୍ଟରେ ତଥ୍ୟ ରହିପାରେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ଚିଟଫଣ୍ଡ ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ଘୋଷଣା କରିବା ପରେ ପ୍ରାୟ ୧୦ ଲକ୍ଷ ଜମାକାରୀ ଚିଟଫଣ୍ଡ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିଲେ । ଜଷ୍ଟିସ ଆର କେ ପାତ୍ରଙ୍କ ପରଲୋକ ପରେ ଜଷ୍ଟିସ ଏମଏମ ଦାସଙ୍କୁ ୨୦୧୫ ଫେବ୍ରୁଆରୀ ୫ ତାରିଖରେ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ।

ଏହାପରେ, ଦାଖଲ ସତ୍ୟପାଠଗୁଡିକୁ ଯାଂଚ କରି ପ୍ରଥମ ପର୍ଯ୍ୟାୟରେ ୨୬ ହଜାର ୯୭୬ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଥିଲା । ୧୦ ହଜାରରୁ କମ୍ ଟଙ୍କା ଜମା କରିଥିବା ଜମାକାରୀଙ୍କୁ ଚିହ୍ନଟ ପରେ ୮୫ରୁ ଅଧିକ ଚିଟଫଣ୍ଡ କମ୍ପାନିଙ୍କୁ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏହାରି ଭିତରେ କେତେକ ସଂସ୍ଥା କମିଶନଙ୍କ ନିକଟରେ ହାଜର ହୋଇଥିବାବେଳେ ଆଉ କେତେକ ହାଜର ହୋଇ ନାହାନ୍ତି । ଏଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ କମିଶନ ରିପୋର୍ଟରେ ସୁପାରିଶ କରିପାରନ୍ତି ।