ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ଚିଟଫଣ୍ଡ ଜମାକାରୀ ! ଶ୍ୱେତପତ୍ର ଆଣିବା ପାଇଁ ସରକାର ଦେଲେ ପ୍ରତିଶ୍ରୁତି ।

142

କନକ ବ୍ୟୁରୋ : ସରକାରଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନରୁ ଓହରିଛନ୍ତି ଚିଟଫଣ୍ଡ ଜମାକାରୀ । କ୍ଷୁଦ୍ର ଜମାକାରୀ ଟଙ୍କା ଫେରିପାଇବା ପାଇଁ ସତ୍ୟାଗ୍ରହରେ ବସିଥିଲେ । ତେବେ ଆଜି ସଚିବାଳୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ପ୍ରତିନିଧି ଦଳ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସରକାରଙ୍କ ସହ ଆଲୋଚନା ହେବା ପରେ ଆଜି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଆସନ୍ତା ୨୨ ତାରିଖରେ କ୍ଷୁଦ୍ର ଜମାକାରୀ ଟଙ୍କା ଫେରି ପାଇବା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ହେବ । ତେବେ ଚିଟଫଣ୍ଡ ଉପରେ ଶ୍ୱେତପତ୍ର ଆଣିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି ।

ଚିଟଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଂଚ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି । ଚିଟଫଣ୍ଡ ପ୍ରସଙ୍ଗରେ ରାଜ୍ୟ ସରକାର ଏ ଯାଏଁ କଣ ପଦକ୍ଷେପ ନେଇଛନ୍ତି ଓ ସରକାରଙ୍କ ପାଖରେ କଣ ତଥ୍ୟ ରହିଛି ସେନେଇ ଶ୍ୱେତପତ୍ର ପ୍ରକାଶ କରିବେ । କ୍ଷତିଗ୍ରସ୍ତ ମିଳିତ ମଂଚର ପ୍ରତିନିଧି ଦଳ ଓ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଏହା କହିଛନ୍ତି ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ।

ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟାରେ କାହିଁକି ବିଳମ୍ବ ହେଉଛି ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ଏଥିପାଇଁ କ୍ଷୁଦ୍ର ଜମାକାରୀ ଟଙ୍କା ପାଇବାରେ ବିଳମ୍ବ ହେଉଥିବା ନେଇ ଯୁକ୍ତି ଉପସ୍ଥାପନ କରିଥିଲେ ପ୍ରତିନିଧି ଦଳ । ସରକାରଙ୍କ ତରଫରୁ କୁହାଯାଇଛି ଆଗାମୀ ୨୨ତାରିଖ ଦିନ ଜିଲ୍ଲାପାଳମାନଙ୍କ ସହ ଏନେଇ ବିସ୍ତୃତ ଆଲୋଚନା କରାଯିବ । କେଉଁ ସ୍ତରରେ ଜମାକାରୀଙ୍କୁ ଚିହ୍ନଟ କଲେ ପ୍ରକ୍ରିୟା ଜଲଦି ସରିପାରିବ ସେନେଇ ବିଚାର ବିମର୍ଶ କରାଯିବ । ଆଲୋଚନା ସରିବା ପରେ ମିଳିତ ମଂଚ କହିଛି, ରାଜ୍ୟ ସରକାର ପ୍ରଥମଥର ପାଇଁ ଖାଲି କ୍ଷୁଦ୍ର ଜମାକାରୀ ନୁହନ୍ତି, ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବା କଥା ବିଚାର କରୁଛନ୍ତି । କ୍ଷୁଦ୍ର ଜମାକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଖୁବଶୀଘ୍ର ସେମାନଙ୍କୁ ଟଙ୍କା ଫେରାଇ ଦିଆଯିବ ବୋଲି ରାଜ୍ୟ ସରକାର ଆଶ୍ୱାସନା ଦେଇଥିବା ସେ କହିଛନ୍ତି ।