ଟଙ୍କା ଫେରିପାଇବାକୁ ଜମାକାରୀଙ୍କ ଗୁହାରି : ବ୍ରହ୍ମଗିରି ତହସିଲ ସାମ୍ନାରେ କ୍ଷତିଗ୍ରସ୍ତଙ୍କ ଲମ୍ବା ଲାଇନ

34

ବ୍ରହ୍ମଗିରି : ଜମାଟଙ୍କା ଫେରି ପାଇବା ଆଶାରେ ଜମାକାରୀ ହଟହଟା । କଷ୍ଟ ଅର୍ଜିତ ଧନ ଫେରି ପାଇବାକୁ ଏମାନେ କେତେ ବିକଳ । ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ସାମ୍ନାରେ ଭିଡ । ଜମାକାରୀ ଚିହ୍ନଟ ପ୍ରକ୍ରିୟା ଚାଲିଥିବାବେଳେ ଦୟନୀୟ ଅବସ୍ଥାରେ ଖରାତରାରେ ଧାଡିବାନ୍ଧିିଛନ୍ତି ଜମାକରୀ । ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହେବା ସହ ତହସିଲ କାର୍ଯ୍ୟାଳୟର ନିର୍ଦ୍ଦିଷ୍ଟ କାଉଂଟର ସାମ୍ନାରେ ଲାଗୁଛି ଗହଳି । ଚିଟଫଣ୍ଡ କଂପାନୀ ରୋଜଭ୍ୟାଲୀର ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଥିବା ବେଳେ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି  ଅଭାବନୀୟ ଦୃଶ୍ୟ ।

ଜମା ଟଙ୍କା ଫେରି ପାଇବା ଆଶାରେ ସକାଳ ୫ଟାରୁ ଆସି ଶହ ଶହ ଲାଇନ୍ ଲାଗାଉଛନ୍ତି । ଚିହ୍ନଟ ପ୍ରକ୍ରିୟାରେ ସାମିଲ ହେବା ପାଇଁ ପିଲାଛୁଆ ଧରି ଘଂଟା ଘଂଟା ଲାଇନରେ ଛିଡ଼ା ହେବାକୁ ପଡୁଛି । ରୋଜଭ୍ୟାଲି କଂପାନୀରେ ଟଙ୍କା ଜମା ରଖିଥିବା ଲୋକ ଆସି ତହସିଲ କାର୍ଯ୍ୟାଳୟରେ ଠେଲାପେଲା ହେଉଛନ୍ତି ।  ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଜମା ରଖି ସର୍ବଶ୍ୱାନ୍ତ ହୋଇପଡିଛନ୍ତି ଏମାନେ । ଶହ ଶହ ଲୋକ ଟଙ୍କା ଫେରି ପାଇବା ଆଶାରେ ଚିହ୍ନଟ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ହେଲେ ଏତେ ସଂଖ୍ୟକ ଲୋକଙ୍କ ପାଇଁ କୌଣସି ଆନୁସଙ୍ଗିକ ସୁବିଧା କରାଯାଉ ନାହିଁ । ଯାହାକୁ ନେଇ ଜମାକାରୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଉଛି ।