ଆଜି ଦିନିକିଆ ଚିତ୍ରକୋଣ୍ଡା ବନ୍ଦ ପାଳନ । ମାଲକାନଗିରିରେ ଜୋରଧରିଛି କଂଗ୍ରେସର ଭୂ-ଆନ୍ଦୋଳନ । ଗତକାଲିଠୁ ଚିତ୍ରକୋଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଧାରଣା ।

28

କନକ ବ୍ୟୁରୋ : ମାଲକାନଗିରିରେ ଯୋଜ ଧରିଛି କଂଗ୍ରେସର ଭୂ-ଆନ୍ଦୋଳନ । ଦିନ ରାତି ଶିତ କାକରରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଚଳାଇଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ଜିଲ୍ଲାର କାଲିମେଳା, ମାଥିଲି ପରେ ଏବେ ଚିତ୍ରକୋଣ୍ଡାରେ ଭୂ-ଆନ୍ଦୋଳନ ଆରମ୍ଭ କରିଛି କଂଗ୍ରେସ ।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଗତକାଲି ହଜାର ହଜାର କଂଗ୍ରେସ କର୍ମୀ ଚିତ୍ରକୋଣ୍ଡା ଠାରେ ଏକତ୍ରିତ ହୋଇ ଚିତ୍ରକୋଣ୍ଡା ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ହିତାଧିକାରୀଙ୍କୁ ଜଙ୍ଗଲ ଜମି ଓ ଭୂମିହିନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ପିଲାଙ୍କୁ ଜାତିଗତ ପ୍ରମାଣ ପତ୍ର, ସ୍ଥାୟୀ ଓ ଆୟ ପ୍ରମାଣ ପତ୍ର ପ୍ରାଦାନ ଦାବୀରେ ତହସିଲ ଅଫିସ ଆଗରେ ଅନିର୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରଖିଛନ୍ତି କଂଗ୍ରେସ କର୍ମୀ ।

ଏହାସହ ସ୍ଥାନୀୟ ଏସାର କମ୍ପାନୀରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ବିଚ୍ଛିନ୍ନାଂଚଳରେ ଡାକ୍ତରଖାନା ଓ ବିଦ୍ୟାଳୟ ନିର୍ମାଣ ଦାବୀ ରଖିଛି କଂଗ୍ରେସ ଦଳ । ପ୍ରଦୀପ ମାଝୀଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା କୈଳାଶ କୁଲେସିକା, ମୁନ୍ନା ତ୍ରିପାଠି, ଶିଶିର ମଣ୍ଡଳ, ଗୋବିନ୍ଦ ପାତ୍ର, ସରତ ବୁରୁଦା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ।

ଦାବୀ ପୁରଣ ନ ହବା ଯାଏଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ କଂଗ୍ରେସ ହଟିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପ୍ରଦୀପ ମଝୀ । ଏହାସହ ଆଜି ଦିନିକିଆ ଚିତ୍ରକୋଣ୍ଡା ବନ୍ଦ ପାଳନ କରୁଛି ଦଳ । ଫଳରେ ସ୍କୁଲ କଲେଜ,ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି ।