ସାଂଘାତିକ ଷଡଯନ୍ତ୍ର! ଦୋଷ ମାନି ଖସିଯିବାକୁ ବସିଛନ୍ତି ଚିଟଫଣ୍ଡ ଠକ, ହତାଶ ଜମାକାରୀ

50

ଶହ ଶହ କୋଟିର ଚିଟଫଣ୍ଡ ଠକ ଏବେ ଖସିବାର କୌଶଳ ଆପଣାଇଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇଲେ, ଠକେଇ କରି ଜେଲଗଲେ । ଆଉ ଏବେ ଦୋଷ ସ୍ୱୀକାର କରି ଆଇନ ହାତରୁ ଖସିଯିବାକୁ ରଚିଛନ୍ତି ଷଡଯନ୍ତ୍ର । ଖୁବଶୀଘ୍ର ଏମାନେ ଜେଲରୁ ମୁକୁଳି ଅୟଶ କରିବେ, ହେଲେ ନିଜ କଷ୍ଟ ଅର୍ଜିତ ସଂପତ୍ତି ହରାଇଥିବା ସାଧାରଣ ଲୋକଙ୍କର ହେବ କଣ? ଏବେ ତାକୁ ନେଇ ଉଠିଛି ପ୍ରଶ୍ନ ।

ଚଳିତ ମାସରେ ପାଖାପାଖି ୪୦୦ କୋଟି ଟଙ୍କା ଠକିଥିବା ଅଭିଯୋଗରେ ମାଇକ୍ରୋ-ଫାଇନାନ୍ସ ଲିମିଟେଡର ସିଏମଡି ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଏଥିସହ ୨୧୫ କୋଟି ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଖିଲାପ ହେଲେ କିମ୍ବା ଅର୍ଥ ପ୍ରଦାନରେ ଏପଟ ସେପଟେ ହେଲେ ମାଇକ୍ରୋ ଫାଇନାନ୍ସ ଗ୍ରୁପକୁ ଆଟାଚ୍ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୨୦୧୪ରେ ଗିରଫ ହୋଇଥିଲେ ଦୁର୍ଗା ପ୍ରସାଦ ମିଶ୍ର ।

ଏହାର କିଛି ଦିନ ଆଗରୁ ସଂସ୍ଥାର ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକଙ୍କୁ ସାଢେ ୩ ବର୍ଷ ଜେଲ ଦଣ୍ଡାଦେଶ କରିବା ସହ ୨୧୫ କୋଟି ଟଙ୍କା କ୍ଷତିପୂରଣ ଦେବାକୁ କହିଥିଲେ । ଖାଲି ମାଇକ୍ରୋ-ଫାଇନାନ୍ସ ନୁହେଁ, ଏହା ଆଗରୁ ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ନିଜ ଦୋଷ ସ୍ୱୀକାର କରିସାରିଥିବା ପ୍ରଦୀପ ସେଠୀଙ୍କ ବିରୋଧରେ ମଧ୍ୟ କୋର୍ଟ ଦଣ୍ଡ ଶୁଣାଇ ସାରିଛନ୍ତି । ପ୍ରଦୀପ ସେଠୀ ୭ ବର୍ଷ ଜେଲ ଦଣ୍ଡ ଭୋଗିବେ ଓ ୩୦ ହଜାର ଟଙ୍କା ଫାଇନ ଦେବେ ।

ଏଥିରେ ବିଫଳ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ । ସେହିଭଳି ଅର୍ଥତତ୍ତ୍ୱର ଅନ୍ୟତମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକଙ୍କୁ ୪ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଫାଇନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାବାଦ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୧୫ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କହିଛନ୍ତି । ମେ ୨୦୧୪ରେ ସିବିଆଇ ଚିଟଫଣ୍ଡ ସ୍କାମର ତଦନ୍ତ ଭାର ଗ୍ରହଣ କରିବା ପରେ ଏହା ଥିଲା ଦ୍ୱିିତୀୟ ରାୟ ।

ତେବେ ବଡ କଥା ହେଉଛି, ରାଜ୍ୟରେ ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ଚିଟଫଣ୍ଡ କଂପାନୀର କାର୍ପଟଦାର ଏବେ ଖସିଯିବାକୁ ବା ଜଲେରୁ ମୁକୁଳିବାକୁ ବାଟ ଖୋଜିପାଇଛନ୍ତି । କୋର୍ଟଙ୍କ ସାମ୍ନାରେ ଦୋଷ ସ୍ୱୀକାର କରୁଛନ୍ତି ଏବଂ ଫଳରେ ଜେଲରୁ ମୁକୁଳିଯିବାର ବାଟ ସଫା ହୋଇଯିବ । ଯାହା ଉଭୟ ମାଇକ୍ରୋ-ଫାଇନାନ୍ସ ଓ ଅର୍ଥତତ୍ତ୍ୱ ଘଟଣାରୁ ବାରି ହୋଇପଡୁଥିବା ଅଭିଯୋଗ ହୋଇଛି । ଜେଲ ସମୟ କାଟି ଅପରାଧୀ ମୁକୁଳିବାକୁ ବସିଲେଣି, ହେଲେ ଠକାମୀର ଶିକାର ହୋଇଥିବା ଜନତା କିନ୍ତୁ ନ୍ୟାୟ ପାଇନାହାନ୍ତି ।

ବରିଷ୍ଠ ଆଇନଜୀବି ସିଦ୍ଧାର୍ଥ ଦାସ କହିଛନ୍ତି, ଯେଉଁମାନେ ଅଭିଯୋଗକାରୀ ସେମାନେ ଏହି ଦଣ୍ଡବିଧାନ ବିରୁଦ୍ଧରେ ଉପର କୋର୍ଟକୁ ଯାଇପାରିବେ । ଆଇନରେ ଏନେଇ ବ୍ୟବସ୍ଥା ମଧ୍ୟ ରହିଛି । ଅପରପକ୍ଷରେ ସିବିଆଇ ମଧ୍ୟ ଉପରକୋର୍ଟକୁ ଯାଇପାରିବ, ତେବେ ସିବିଆଇ କାହିଁକି ଯାଉନି ଦଣ୍ଡାଦେଶ ବିରୁଦ୍ଧରେ ଆବେଦନ କରୁନି, ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ପଚାରିଛନ୍ତି, ସିବିଆଇ ଭାବୁଛି କି ଯେତିକି ଦଣ୍ଡ ମିଳିଛି ତାହା ଯଥାର୍ଥ ଆଉ ଠିକ? ସେହିଭଳି ଚିଟଫଣ୍ଡ ଆନ୍ଦୋଳନ ସହ ଜଡିତ ନେତା ଉଭୟ ସରକାର ଓ ସିବିଆଇ ତଦନ୍ତ ଶୈଳୀ ପ୍ରତି ପ୍ରଶ୍ନ ଉଠାଇଛନ୍ତି । ଗୋଟିଏ ପଟେ ସରକାର କ୍ଷୁଦ୍ର ଜମାକାରୀ ଚିହ୍ନଟ କରି ସେମାନଙ୍କୁ କର୍ପସ ଫଣ୍ଡରୁ ଅର୍ଥ ପ୍ରଦାନରେ ବିଫଳ ହେଉଛନ୍ତି ଆଉ ଅନ୍ୟପଟେ ସିବିଆଇ ମଧ୍ୟ କେସକୁ ଆଗଭଳି ଗୁରୁତ୍ୱ ଦେଉନଥିବା ସେ ଅଭିଯୋଗ କରିଛନ୍ତି ।

ରାଜ୍ୟରେ ଯେଉଁ ସମୟରେ ଚିଟଫଣ୍ଡ ସ୍କାମ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା, ସେହି ସମୟରେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଥିଲେ । ହେଲେ ନା ଜମାକାରୀ ଚିହ୍ନଟ ହେଲେ ନା ଟଙ୍କା ଦିଆଯାଇପାରିଲା । କେବେ ହେବ ଚିଟଫଣ୍ଡ କ୍ଷତିର ଭରଣା ? କେବେ କ୍ଷୁଦ୍ର ଜମାକାରୀ ଫେରି ପାଇବେ ଟଙ୍କା ? ଚିଟଫଣ୍ଡରେ ନିଜର ଜମା ପୁଂଜି ହରାଇଥିବା ରାଜ୍ୟର ପ୍ରାୟ ୮ ଲକ୍ଷରୁ ଅଧିକ ଜମାକାରୀଙ୍କ ମନରେ ଏଭଳି ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଛି ।

ସରକାର ଜଷ୍ଟିସ୍ ଏମ୍ ଏମ୍ ଦାସ କମିଶନଙ୍କ ତାଲିକା ମୁତାବକ କେବଳ ୧୨ ହଜାର କ୍ଷୁଦ୍ର ଜମାକାରୀଙ୍କୁ କ୍ଷେତ୍ରୀୟ ସ୍ତରରେ ଯାଂଚ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜୁନ୍ ଶେଷ ସୁଦ୍ଧା ଚିହ୍ନଟ କାର୍ଯ୍ୟ ସରିବ ବୋଲି ଆଶା ସରକାର ଆଶା କରିଥିଲେ, ହେଲେ ଏଯାଏଁ ଫଳ କିନ୍ତୁ ଶୂନ । ଓଡ଼ିଶାରେ ପ୍ରାୟ ୪ ହଜାର କୋଟି ଟଙ୍କାର ଚିଟଫଣ୍ଡ ସ୍କାମ୍ । ୧୭୪ଟି କମ୍ପାନୀ ୮ ଲକ୍ଷ ଜମାକାରୀଙ୍କୁ ଠକିଛନ୍ତି ।

ଚିଟଫଣ୍ଡ କମିଶନ ଓ ୩୦୦ କୋଟିର କର୍ପସ ଫଣ୍ଡ୍ ଗଠନ କରାଯିବାର ୪ ବର୍ଷ ପରେ ବି ଜମାକାରୀ ଯାଂଚ୍ ପ୍ରକ୍ରିୟା ସରିନାହିଁ । ତେଣୁ ପ୍ରଶ୍ନ ଉଠୁଛି, କେବେ ଏହି ଯାଂଚ ପ୍ରକ୍ରିୟା ସରିବ, ଆଉ ଜମାକାରୀ ଟଙ୍କା ଫେରିପାଇବେ? ଏହା କେବଳ ନିର୍ବାଚନୀ ଭେଳିକି ହୋଇ ରହିଯିବନି ତ? ଗୋଟିଏ ପଟେ ଠକିଥିବା କଂପାନୀର ଅଧିକାରୀ ଜେଲରୁ ମୁକୁଳିବାକୁ ବାଟ ଖୋଜି ପାଇଛନ୍ତି ଆଉ ଅନ୍ୟପଟେ ଠକିଯାଇଥିବା ଲୋକଙ୍କ ଭବିଷ୍ୟତ ସେହି ଅନ୍ଧାର ଭିତରେ ରହିଯାଇଛି ।