ଫସିଗଲେ ଜମାକାରୀ, ଜେଲରୁ ମୁକୁଳିଲେ ଚିଟଫଣ୍ଡ ଖଳନାୟକ ! ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

28

କନକ ବ୍ୟୁରୋ : ଜେଲରୁ ବାହାରିଲେ ୭ଶହ କୋଟି ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ । ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ପ୍ରାୟ ୪ ବର୍ଷ ପରେ ଝାରପଡ଼ା ଜେଲରୁ ପ୍ରଶାନ୍ତ ଦାସଙ୍କୁ ମିଳିଛି ମୁକ୍ତି । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଏବଂ ସିବିଆଇର ତନାଘନା ଭିତରେ ଆଜି ସାମୟିକ ଭାବରେ ପ୍ରଶାନ୍ତ ଦାସଙ୍କୁ ଆଶ୍ୱସ୍ତି ମିଳିଛି ।

prasant dasଜମାକାରୀଙ୍କୁ ଭୁଆଁ ବୁଲାଇ ୭ଶହ କୋଟିର ଠକାମୀ ସାମ୍ରାଜ୍ୟ ଛିଡ଼ା କରିଥିବା ପ୍ରଶାନ୍ତ ଦାସ, କିଛି ବର୍ଷ ଜେଲରେ କଟାଇବା ପରେ ଏବେ ମୁକ୍ତି ପାଇଛନ୍ତି । କିନ୍ତୁ ସିସୋର କଂପାନୀରେ ଟଙ୍କା ଲଗାଇଥିବା ଜମାକାରୀ ଆଜି ବି ଟଙ୍କା ଫେରିବା ବାଟକୁ ଚାହିଁରହିଛନ୍ତି । ଯେଉଁ ଚିଟଫଣ୍ଡକୁ ଆଧାର କରି ପ୍ରଶାନ୍ତ ଦାସଙ୍କୁ ଜେଲର ମୁହଁ ଦେଖିବାକୁ ପଡ଼ିଲା, ଯେଉଁ ଜମାକାରୀଙ୍କ ଅଭିଯୋଗରେ ହରଡ଼ଘଣାରେ ପଡ଼ିଲେ ସିସୋର ମୁଖ୍ୟ, ଏବେ ସେହି ଜମାକାରୀଙ୍କ ଭାଗ୍ୟ କ’ଣ ହେବ? ଜମାକାରୀ ଏବେ ବି ଟଙ୍କା ଫେରିବା ବାଟକୁ ଚାହିଁ ବସିଥିବା ବେଳେ ଯିଏ ଏତେ ବଡ କେଳେଙ୍କାରୀ, ସିଏ ଏବେ ମୁକ୍ତ ।

 

ଯାଜପୁରରୁ ନବରଙ୍ଗପୁର, ଭୁବନେଶ୍ୱରରୁ ବଲାଙ୍ଗୀର ଠକାମୀର ସାମ୍ରଜ୍ୟ ପୁରା ଓଡ଼ିଶାକୁ ବ୍ୟାପିଥିବା ବେଳେ ପୁଲିସ୍ ଏବଂ କ୍ରାଇମ୍ବ୍ରାଂଚ୍ ଦେଇ ସିବିଆଇ ହାତକୁ ଯାଇଥିଲା ସିସୋର ଚିଟଫଣ୍ଡ ଠକେଇ ମାମଲା । ୭ଶହ କୋଟିର ଠକେଇ ନେଇ ଅଭିଯୋଗ ହୋଇଥିବା ବେଳେ ସିବିଆଇ ପ୍ରାରମ୍ଭିକ ଚାର୍ଜସିଟରେ ୫୪୦ କୋଟି ଠକେଇ ନେଇ ଉଲ୍ଲେଖ କରିଛି । ବର୍ତ୍ତମାନ ପାଇଁ ସାମୟିକ ଭାବରେ ପ୍ରଶାନ୍ତ ଦାସଙ୍କୁ ମୁକ୍ତି ମିଳିଥିଲେ ସୁଦ୍ଧା, ଏମାମଲା ଏବେବି ଖୋଲା ରହିଛି । ଆଉ ଏବେ ବି ସିବିଆଇର ଫାଇନାଲ ଚାର୍ଜସିଟକୁ ଅପେକ୍ଷା ରହିଛି । ସିବିଆଇ ଫାଇନାଲ ଚାର୍ଜସିଟ୍ ଦାଖଲ କରିବା ଆଗରୁ ଅନେକ ଆହ୍ୱାନ । ସିସୋର ଫାଇନାନ୍ସ ବ୍ୟତୀତ ସିସୋରର ସିିଷ୍ଟର କଂପାନୀକୁ କେତେ ଟଙ୍କା ଯାଇଥିଲା ? କେଉଁ ପ୍ରଭାବଶାଳୀ ସହାୟତା କରିଥିଲେ, ଆଉ କିଭଳି ଚେର ସାରା ରାଜ୍ୟରେ ବ୍ୟାପିଥିଲା । ଏହାର ମୁଳକୁ ପହଂଚିବା ସିବିଆଇ ପାଇଁ ଚାଲେଂଜ ପାଲଟିଛି  ।

ଶହ ଶହ କୋଟି ଟଙ୍କାର କେଳେଙ୍କାରୀ କରି ଗାଏବ୍ ହୋଇଯାଇଥିବା ପ୍ରଶାନ୍ତ ଦାସଙ୍କୁ ୨୦୧୩ ଜୁନ୍ ୧୯ ତାରିଖରେ ମୁମ୍ବାଇରୁ ଗିରଫ କରିଥିଲା, କ୍ରାଇମ୍ବ୍ରାଂଚ । ମୋଟ୍ ୮ଟି ମାମଲାରେ ସର୍ତ୍ତମୂଳକ ଜାମିନ ମିଳିବା ପରେ ଆଜି ଜେଲରୁ ମୁକୁଳିଛନ୍ତି ପ୍ରଶାନ୍ତ ଦାସ । କିନ୍ତୁ ଏସବୁ ଭିତରେ ମୁଖ୍ୟ ପ୍ରସଙ୍ଗ ହେଉଛି କେମିତି ଟଙ୍କା ଫେରି ପାଇବେ ଜମାକାରୀ । ଯିଏ ଏତେ ବଡ କେଳେକାରୀର ସୁତ୍ରପାତ କରିଥିଲେ, ସେ ଆଇନ୍ କାନୁନର ସୁବିଧା ବାଟ ଦେଇ ସିନା ବାହାରି ଆସିଛନ୍ତି । କିନ୍ତୁ ଏବେବି ଝୁଲି ରହିଛି ଜମାକାରୀଙ୍କ ଭାଗ୍ୟ । ଆଉ ପ୍ରଶାନ୍ତ ଦାସ ଏବେ ଜେଲରୁ ମୁକୁଳିବା ପରେ ପୁଣି ଚର୍ଚ୍ଚାକୁ ଫେରି ପାରନ୍ତି ସେହି ଚେହେରାମାନେ ଯେଉଁମାନେ ସିସୋର ଚିଟଫଣ୍ଡ ପାଇଁ ହରଡ଼ଘଣାରେ ଛନ୍ଦି ହୋଇଥିଲେ ।