ବନ୍ଦୀ କଲା ନୋଟବନ୍ଦୀ ! ବିଦେଶରେ ପହଂଚି ପାରିଲାନି ହାୱଲା ଟଙ୍କା, ଗିରଫ୍ ହେଲେ ଗ୍ରୀନ୍ ରେ ମାଲିକ

37

କନକ ବ୍ୟୁରୋ : ସିବିଆଇ କବଜାରେ ୨ ହଜାର କୋଟିର ଠକ । ଗ୍ରୀନ୍ ରେ ଇଂଟରନାସନାଲ ଚିଟଫଣ୍ଡ ସଂସ୍ଥା ମୁଖ୍ୟ ମୀର୍ ସହିରୁଦ୍ଦିିନକୁ କୋଲକାତାରୁ ଗିରଫ କରିଛି ସିବିଆଇ । ସାରା ଦେଶରେ ୨ ହଜାର କୋଟିର ଚୁନ ଲଗାଇଥିବା ଏହି ଠକ ଓଡିଶାରୁ ଲୁଟିଥିଲା ୫୦୦ କୋଟି । ଲୋକଙ୍କ ନିଦ ଉଡାଇ ନାଇଜେରିଆରେ କରୁଥିଲା ମଉଜ । ହେଲେ ସହିରୁଦ୍ଦିନର ସରିଛି ଅଛେ ଦିନ୍ । ଅଧିକ ପଚରାଉଚୁରା ପାଇଁ ତାଂକୁ ଭୁବନେଶ୍ୱର ଅଣାଯାଉଛି ।

କୁହାଯାଉଛି ବିମୁଦ୍ରାକରଣର ପ୍ରଭାବରେ ବ୍ୟତିବ୍ୟସ୍ତ ହୋଇପଡିଥିବା ସହିରୁଦ୍ଦିନ ବାଧ୍ୟ ହୋଇ ଭାରତ ଫେରିଥିଲା । କାରଣ ହାୱଲା ଜରିଆରେ ଟଙ୍କା ପହଂଚି ପାରୁନଥିଲା ନାଇଜେରିଆରେ । ବ୍ୟାଙ୍କ ଖାତା ଖାଲି ହେବା ପରେ କୋଲକାତା ଫେରିଥିବା ଏହି ଚିଟଫଣ୍ଡ ଠକ ପଡିଥିଲା ସିବିଆଇ ହାତରେ ।

ଲୋକଙ୍କ ଟଙ୍କା ଧରି ଚଂପଟ ମାରିବା ପରେ ନାଇଜେରିଆରେ ଗ୍ରୀନ୍ ରେ ଗୋଟିଏ କଂପାନୀ ସହ ମିଶି ଲିଜରେ ନେଇଥିଲା ଲୁହାପଥର ଖଣି । ଖାଲି ଏତିକି ନୁହେଁ, ଦୁବାଇରେ ମଧ୍ୟ ଚାଲିଥିଲା କଂପାନୀର କାରବାର । ତେବେ ଚାଂଚଲ୍ୟକର କଥା ହେଉଛି, ସହିରୁଦ୍ଦିନ୍ ଏହି ସମୟରେ ଆସିଥିଲା ଅଣ୍ଡର ୱାର୍ଲଡ ସଂପର୍କରେ । ଦୁବାଇ, ନାଇଜେରିଆ ଓ ମୁମ୍ବାଇରେ ରଖିଥିଲା ଲିଂକ । ସିବିଆଇ ଏନେଇ ସନ୍ଦେହ କରି ଆରମ୍ଭ କରିଛି ଖୋଳତାଡ ।

ସୂଚନା ଅନୁସାରେ, ଅଣ୍ଡର ୱାର୍ଲଡ ମାଫିଆ ଦାଉଦ ଇବ୍ରାହିମ୍ ସହ ଦେଖା କରିବାକୁ ଆଗ୍ରହ ପ୍ରକାଶ କରିଥିଲା ସହିରୁଦ୍ଦିନ । ଆଉ ଏହି ତଥ୍ୟ ଆଧାରରେ ସିବିଆଇ ଆରମ୍ଭ କରିଛି ତନାଘନା । ସେହିଭଳି ହାୱଲା ଜରିଆରେ ଦୁବାଇ ଯାଇଥିବା ଟଙ୍କାର ମୂଳ ଖୋଜୁଛି ଏହି ତଦନ୍ତକାରୀ ସଂସ୍ଥା ।

ଏବେ ନଜର ପକାନ୍ତୁ କିଭଳି ନିଜର ପାପ ସାମ୍ରାଜ୍ୟ ବଢାଇଥିଲା ସହିରୁଦ୍ଦିନ । ୨୦୦୪ରେ ଜଳେଶ୍ୱରରେ ବ୍ୟବସାୟ ସାମ୍ରାଜ୍ୟର ପଡିଥିଲା ମୂଳଦୁଆ । ତିଆରି ହୋଇଥିଲା ଠକେଇର ବ୍ଲୁପ୍ରିଂଟ । ଆଉ ୨୦୧୩ ସୁଦ୍ଧା ରାଜ୍ୟରେ ୫୨ଟି ବ୍ରାଂଚ ଖୋଲି କଂପାନୀ ୫ ଶହ କୋଟି ଠକି ନେଇଥିଲା । ରାଜ୍ୟ ବାହାରେ ଅର୍ଥାତ୍ ଛତିଶଗଡ ଓ ଗୋଆରେ ନିଜର ସାତିର୍ ଦିମାଗରେ ୩୫୦ କୋଟି ଲୁଟି ସାରିଥିଲା ସହିରୁଦ୍ଦିନ ।

ଜଳେଶ୍ୱରରେ ସଂସ୍ଥା ବିରୋଧରେ ଅଭିଯୋଗ ହେବା ପରେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଆରମ୍ଭ କରିଥିଲା ତନାଘନା । ୪୦ଟି ବ୍ୟାଙ୍କ ଆକାଉଂଟରେ ଥିବା ୫୭ ଲକ୍ଷ ଟଙ୍କା, ୧୦ କେଜି ରୂପା ଗହଣା, ୨୪୬ ଗ୍ରାମ ସୁନା, ୧୦ ଲକ୍ଷ ନଗଦ ଟଙ୍କା, ୨୦ ଏକର ଜମି ସିଜ୍ ହୋଇଥିଲା । ମାମଲାର ତଦନ୍ତ ସିବିଆଇ ହାତକୁ ଯିବା ପରେ ସହିରୁଦ୍ଦିନକୁ ଗିରଫ କରିବାକୁ ତିଆରି ହୋଇଥିଲା ବ୍ଲୁ-ପ୍ରିଂଟ ।

୨୦୧୩ରେ ନିଜର ତିନି ପତ୍ନୀଙ୍କ ସହ ନାଇଜେରିଆ ଚାଲିଯାଇଥିଲା ସହିରୁଦ୍ଦିନ, ଆଉ ସେଠାରୁ ଆସିଥିଲା ବାଂଲାଦେଶ । ଯେଉଁଠାରେ ସ୍ଥାନୀୟ ପାସପୋର୍ଟ ମଧ୍ୟ ସେ ହାସଲ କରିନେଇଥିଲା । ଗତ ସୋମବାର ସୀମା ପାର କରି ସେ ଆସିଥିଲା କୋଲକାତା । ହେଲେ ନିଜ ପତ୍ନୀଙ୍କ ନାଁରେ ବ୍ୟାଙ୍କ ଆକାଉଂଟ ଖୋଲିବା ବେଳେ ସେ ପଡିଥିଲା ସିବିଆଇ ହାତରେ ।

ଅଧିକ ପଚରାଉଚୁରା ପାଇଁ ସିବିଆଇ ସହିରୁଦ୍ଦିନକୁ ଆଣୁଛି ଭୁବନେଶ୍ୱର । ଯେଉଁଠି ପୁରା ସ୍କାମର ହେବ ପର୍ଦ୍ଦାଫାଶ ।