କୁଆଡେ ଗଲେ ବାଲେଶ୍ୱରର ବିଜେଡି ସାଂସଦ ! ରବୀନ୍ଦ୍ର ଜେନାଙ୍କ ଆତ୍ମଗୋପନକୁ ନେଇ ସସପେନ୍ସ ଜାରି

28

କନକ ବ୍ୟୁରୋ : ସିସୋର ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ବିଜେଡିର ରବୀନ୍ଦ୍ର ଜେନା ସାଂସଦ ନା’ ସିବିଆଇକୁ ସହଯୋଗ କରୁଛନ୍ତି, ନା’ ଲୋକଲୋଚନକୁ ଆସୁଛନ୍ତି । ନା’ ଅଫିସରେ ଦେଖା ମିଳୁଛି ନା’ ଘରେ ଅଛନ୍ତି । ସିବିଆଇ ନୋଟିସ୍ ପରେ ବି ସହଯୋଗ କରୁନାହାଁନ୍ତି ରବୀନ୍ଦ୍ର ଜେନା । ଏପଟେ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ସାଂସଦଙ୍କ ଅନୁପସ୍ଥିତିରେ ଜିଲ୍ଲାରେ ଦଳୀୟ ମଙ୍ଗ କିଏ ଧରିବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ରବୀନ୍ଦ୍ର ଜେନାଙ୍କୁ ନେଇ ସନ୍ଦେହ ଆହୁରି ଘନୀଭୂତ କରୁଛି ।

କୁହାଯାଉଛି ଚିଟଫଣ୍ଡ ସ୍କାମର ସ୍କାନରରେ ଥିବା ରବୀନ୍ଦ୍ର ଜେନାଙ୍କ କଣ ହେବ ତାକୁ ନେଇ ସେ ନିଜେ ସ୍ପଷ୍ଟ ନଥିବାରୁ ପଂଚାୟତ ନିର୍ବାଚନର ଭାର ଦଳୀୟ କର୍ମୀ ଓ ନେତାଙ୍କ ଉପରେ ଛାଡି ଦେଇଛନ୍ତି ।

ପୂର୍ବରୁ ଦୁଇ ଦୁଇ ଥର ସିବିଆଇ କାର୍ଯ୍ୟାଳୟ ହାଜର ହୋଇଥିଲେ ସୁଦ୍ଧା କାହିଁକି ସିବିଆଇ ନୋଟିସ୍ ପରେ ବି ସହଯୋଗ କରୁନାହାଁନ୍ତି ରବୀନ୍ଦ୍ର ଜେନା । କାହିଁକି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ବାଲେଶ୍ୱର ସାଂସଦ । ଲୋକଲୋଚନକୁ ଆସିବା ପାଇଁ କାହିଁକି ଡରୁଛନ୍ତି ବିଜେଡି ସାଂସଦ ।

ଏମିତି ଅନେକ ପ୍ରଶ୍ନ ଆସିବା ସ୍ୱାଭାବିକ । କାହିଁକି ନା’ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସହିତ ୧୮ କୋଟିର କାରବାର ହୋଇଥିବାରୁ ସିବିଆଇ ଘନ ଘନ ରେଡ କରୁଛି । ଆଉ ପ୍ରାୟ ଦେଢ଼ ବର୍ଷର ବ୍ୟବଧାନ ପୁଣି ତତ୍ପର ହୋଇଛି ସିବିଆଇ ।

କାହିଁକି ଲୁଚୁଛନ୍ତି ବାଲେଶ୍ୱର ସାଂସଦ । ୧୨ ତାରିଖରେ ସିବିଆଇ ନିକଟରେ ବି ହାଜର ହେଲେନି । ଅଫିସ କିମ୍ବା ଘରେ ବି ସାଂସଦଙ୍କ ପତା ନାହିଁ । ୟାରି ଭିତରେ ହାଇକୋର୍ଟରେ ଜାମିନ ଆବେଦନ କରିବା ରବୀନ୍ଦ୍ର ଜେନାଙ୍କ ଭୂମିକା ନେଇ ସନ୍ଦେହ ବଢ଼ୁଛି ।