ଚିଟଫଣ୍ଡ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇଲେ ସରକାର ! ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଲା ଟଙ୍କା

65

କନକ ବ୍ୟୁରୋ : ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସିଖବର । ବାଲେଶ୍ୱରରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ପ୍ରକିୟା ଆରମ୍ଭ କଲେ ସରକାର । ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକରୀଙ୍କୁ ଆରଟିଡ଼ିଏସ ମାଧ୍ୟମରେ ଟଙ୍କା ପ୍ରଦାନ କରାଯାଇଛି । କ୍ଷତିଗ୍ରସ୍ତ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ଏହି ଟଙ୍କା ଟ୍ରାନ୍ସଫର କରାଯାଇଛି । ବାଲେଶ୍ୱର ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଏହି ଟଙ୍କା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରାଯାଇଛି । ପ୍ରଥମ ଦିନରେ ୩୫୦ ଜଣ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

oscar chit fund issueପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଟଙ୍କାରୁ କମ ଜମା କରିଥିବା ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉଛି । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ପାଇଁ ପୂର୍ବରୁ ସରକାର ଘୋଷଣା କରିଥିଲେ । ଏନେଇ ଜିଲ୍ଲାପାଳ ଓ ତହସିଲଦାରଙ୍କୁ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ ଅର୍ଥ ସଚିବ । ପୂର୍ବରୁ ଏନେଇ ଚିଠି ମଧ୍ୟ ଜିଲ୍ଲାପାଳ ମାନଙ୍କୁ ଜାରି କରାଯାଇଛି । ଏହି ଚିଠିରେ ଜିଲ୍ଲାପାଳମାନେ ତହସିଲଦାରମାନଙ୍କ ଜରିଆରେ ଟଙ୍କା ବାଂଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଚିଠିରେ ଲେଖଯାଇଛି- ଚିଟଫଣ୍ଡ୍ କମିଶନ ଦେଇଥିବା ପ୍ରଥମ ଦୁଇଟି ରିପୋର୍ଟ ଆଧାରରେ ୧୦ ହଜାର ଟଙ୍କାରୁ କମ୍ ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କ ତାଲିକା ଦିଆଯାଇଛି । ସେହି ଅନୁସାରେ ଜିଲ୍ଲାୱାରୀ ଟଙ୍କା ବଂଟାଯାଇଛି । କ୍ଷେତ୍ରୀୟ ସ୍ତରରେ ଗଢ଼ାଯାଇଥିବା ଯାଂଚ୍ କମିଟି ଏହାର ସରଜମିନ୍ ଯାଂଚ୍ କରି ହିତାଧକାରୀଙ୍କ ଆକାଉଂଟକୁ ଟଙ୍କା ପ୍ରେରଣ କରନ୍ତୁ ।

ଚିଠିରେ କୁହାଯାଇଛି- କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀମାନଙ୍କୁ ନିର୍ଦ୍ଦିଷ୍ଟ ତାରିଖରେ ତହସିଲଦାରଙ୍କ ନିକଟରେ ଉପସ୍ଥିତ ହେବାକୁ କୁହାଯାଉ । ଜମାକାରୀମାନଙ୍କୁ ବିନା ଷ୍ଟାମ୍ପ୍ ଡ୍ୟୁଟିରେ କ୍ଷତିପୂର୍ତ୍ତି ଚୁକ୍ତିପତ୍ର ବା ଇଣ୍ଡେମିନିଟି ବଣ୍ଡ୍ରେ ସ୍ୱାକ୍ଷର କରିବାକୁ କୁହାଯାଉ । ଏଥିସହିତ ସେମାନଙ୍କୁ ସେମାନଙ୍କ ବ୍ୟାଙ୍କ୍ ପାସ୍ବୁକର ପ୍ରଥମ ପୃଷ୍ଠାର ନକଲ ଦେବାକୁ କୁହାଯାଉ । ଯାହାଦ୍ୱାରା ସେମାନଙ୍କ ବ୍ୟାଙ୍କ୍ ଆକାଉଂଟକୁ ଇ-ଟ୍ରାନସଫର ଯୋଗେ ସିଧାସଳଖ ଟଙ୍କା ପଠାଯାଇପାରିବ ।
ଚିଟଫଣ୍ଡ୍ କ୍ଷତିଗ୍ରସ୍ତଙ୍କ ଚିହ୍ନଟ ପାଇଁ ଗଢ଼ାଯାଇଥିବା କମିଶନ୍ ଏପର୍ୟ୍ୟନ୍ତ ତାଙ୍କର ୪ଟି ପ୍ରାଥମିକ ରିପୋର୍ଟ ଦେଇସାରିଛନ୍ତି । କମିଶନଙ୍କ ରିପୋର୍ଟ ଆଧାରରେ ୧ ଲକ୍ଷ ୧୬ ହଜାର ୫୦୪ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଛନ୍ତି । କେବଳ ତହସିଲଦାରଙ୍କ ସ୍ତରରେ ପ୍ରକୃତ ହିତାଧିକାରୀ ଯାଂଚ୍ ପରେ ଟଙ୍କା ଦିଆଯିବ ।