ଚିଟଫଣ୍ଡ ଜମାକାରୀଙ୍କ ମୁହଁରେ ହସ ! କଟକର ୨୬ ଜଣ କ୍ଷୁଦ୍ର ଜମାକାରୀ ଫେରିପାଇଲେ ଟଙ୍କା

51

କନକ ବ୍ୟୁରୋ : ଚିଟଫଣ୍ଡ ଜମାକାରୀଙ୍କ ମୁହଁରେ ହସ ଫୁଟିଛି । କଟକର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପ୍ରକିୟା ଆରମ୍ଭ ହୋଇଛି । ସେମାନେ ଜମା ରଖିଥିବା ଟଙ୍କା ପୁଣି ଥରେ ଫେରିପାଇବେ ବୋଲି ସେମାନଙ୍କ ମନରେ ଆଶା ଜାଗିଛି । ୧୦ ହଜାର ଟଙ୍କାରୁ କମ୍ ଜମା ରଖିଥିବା କଟକର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିଛି ଟଙ୍କା । ମୋଟ ୨୬ ଜଣ କ୍ଷୁଦ୍ର ଜମାକାରରୀ ଫେରିପାଇଛନ୍ତି ତାଙ୍କ ଝାଳବୂହା ଧନ । ଅନେକ ଦିନର ଅପେକ୍ଷା ପରେ ସେମାନେ ତାଙ୍କ ଟଙ୍କା ଫେରସ୍ତ ପାଇଛନ୍ତି । ୨୬ ଜଣ କ୍ଷୁଦ୍ର ଜମାକାରୀଙ୍କ ଆକାଉଂଟକୁ ମୋଟ ୧,୯୭,୮୭୨ ଟଙ୍କା ଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୬ ଜଣଙ୍କୁ ଫେରସ୍ତ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୩୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳିବ ବୋଲି ସୂଚନା ମିଳିଛି ।

ଅନେକ ବାଦ ବିବାଦ, ଆନ୍ଦୋଳନ ଓ ଧାରଣା ପରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଧୀରେ ଧୀରେ ଟଙ୍କା ଫେରସ୍ତ କରାଯାଉଛି । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ପାଇଁ ପୂର୍ବରୁ ସରକାର ଘୋଷଣା କରିଥିଲେ । ଏନେଇ ଜିଲ୍ଲାପାଳ ଓ ତହସିଲଦାରଙ୍କୁ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ ଅର୍ଥ ସଚିବ । ପୂର୍ବରୁ ଏନେଇ ଚିଠି ମଧ୍ୟ ଜିଲ୍ଲାପାଳ ମାନଙ୍କୁ ଜାରି କରାଯାଇଛି । ଏହି ଚିଠିରେ ଜିଲ୍ଲାପାଳମାନେ ତହସିଲଦାରମାନଙ୍କ ଜରିଆରେ ଟଙ୍କା ବାଂଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ସୂଚନାଯୋଗ୍ୟ ପୂର୍ବରୁ ବାଲେଶ୍ୱର ଜିଲ୍ଲାର କ୍ଷୁଦ୍ର ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରସ୍ତ କରାଯାଇଥିଲା । ପ୍ରଥମ ପର୍ୟ୍ୟାୟରେ ବାଲେଶ୍ୱରରେ ୨ଶହରୁ ଅଧିକ ଜମାକାରୀ ଟଙ୍କା ଫେରିପାଇଥିଲେ । ୧୦ ହଜାରରୁ କମ୍ ଟଙ୍କା ଜମା ରଖିଥିବା ଚିହ୍ନଟ ଜମାକାରୀଙ୍କୁ ଆରଟିଜିଏସ ମାଧ୍ୟମରେ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ।