ଗର୍ଜିଲେ କ୍ଷତିଗ୍ରସ୍ତ ଜମାକାରୀ : ଜମା ଅର୍ଥ ଫେରସ୍ତ ନହେବା ଯାଏ ନେତାଙ୍କୁ ଭୋଟ୍‌ ଦିଅନି

51

କନକ ବ୍ୟୁରୋ : ‘ଠକ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ କୌଣସି ରାଜନୈତିକ ଦଳର ନୁହଁନ୍ତି । ତେଣୁ ସେମାନେ ଦଳୀୟ ଭିତ୍ତିରେ ବିଭାଜିତ ନ ହୋଇ ଐକ୍ୟବଦ୍ଧ ସଂଗ୍ରାମ କରିବାକୁ ହେବ । କଷ୍ଟ ଉପାର୍ଜିତ ଧନକୁ ଫେରିପାଇବାକୁ ହେଲେ ସଂଘବଦ୍ଧ ଆନ୍ଦୋଳନ ହିଁ ଏକମାତ୍ର ବିକଳ୍ପ । ସୁନ୍ଦରଗଡ଼ ଜିଲ୍ଲାର କ୍ଷତିଗ୍ରସ୍ତ ଜମାକାରୀଙ୍କ ଗଣ ସତ୍ୟାଗ୍ରହରେ ଉଦ୍‌ବୋଧନ ଦେଇ ‘ଆର୍ଥିକ ସଂସ୍ଥାମାନଙ୍କଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ’ର ଉପଦେଷ୍ଟା ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି ।

ସ୍ଥାନୀୟ ମାଦ୍ରି କାଲୋ ଭବନଠାରେ ଅନୁଷ୍ଠିତ ଜମାକାରୀଙ୍କ ଗଣ ସତ୍ୟାଗ୍ରହରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ରାଜ୍ୟର ଲକ୍ଷ ଲକ୍ଷ ନିରୀହ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ସରକାର ପ୍ରତିଶ୍ରୁତି ଦେଇଚାଲିଛନ୍ତି; ମାତ୍ର ଏ ପର୍ଯ୍ୟନ୍ତ ସୁଫଳ ପାଇପାରିନାହାନ୍ତି କ୍ଷତିଗ୍ରସ୍ତ ଜମାକାରୀ । କମିସନ ଗଠନ, କର୍ପସ୍‌ ପାଣ୍ଠି ଗଠନ ଆଦି ପ୍ରହସନ ପାଲଟିଛି । ମିଥ୍ୟା ପ୍ରତିଶ୍ରୁତି ଦେଇ ଜମାକାରୀଙ୍କ ମଧ୍ୟରେ ଭ୍ରାନ୍ତ ଧାରଣ ସୃଷ୍ଟି କରି ଲୋକଙ୍କୁ ଭୁଆଁ ବୁଲାଇବାର ପ୍ରୟାସ କରୁଛନ୍ତି । କ୍ଷତିଗ୍ରସ୍ତ ଜମାକାରୀମାନେ ସରକାରଙ୍କ ଏଭଳି ଅପପ୍ରୟାସ ବିଷୟରେ ଅବଗତ ହେଲେଣି । ତଥାପି ସରକାର ଯଦି ନଚେତନ୍ତି ତା’ହେଲେ ଜମାକାରୀମାନେ ଆଗାମୀ ଦିନରେ ଏହାର ଉପଯୁକ୍ତ ଜବାବ ଦେବେ । କ୍ଷତିଗ୍ରସ୍ତ ଜମାକାରୀମାନେ ନେତାମାନଙ୍କୁ ଅର୍ଥ ଫେରସ୍ତ ପାଇଁ ଦାବି କରନ୍ତୁ। ଅନଥ୍ୟା ଭୋଟ୍‌ ନ ଦେବାକୁ ସିଧାସଳଖ ଚେତାବନୀ ଦିଅନ୍ତୁ ବୋଲି ସେ କହିଥିଲେ। ଏହାସହ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କ୍ଷତିଗ୍ରସ୍ତ ଜମାକାରୀମାନେ ନିଜର ହକ୍‌ ପାଇଁ ଏକଜୁଟ୍‌ ହୋଇଥିବାରୁ ସାଧୁବାଦ ଜଣାଇଥିଲେ ।

ଅନ୍ୟତମ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ କହିଲେ, ୨୦୧୩ ମସିହାରୁ ମିଳିତ ମଞ୍ଚ ନେତୃତ୍ୱରେ ସମଗ୍ର ରାଜ୍ୟରେ ଜମାକାରୀ ଆନ୍ଦୋଳନ ଆରମ୍ଭ ହୋଇଛି । ଆନ୍ଦୋଳନ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ସେଥିରେ ଏପର୍ୟ୍ୟନ୍ତ ଜଣେ ହେଲେ ଜମାକାରୀ ଟଙ୍କା ଫେରସ୍ତ ପାଇନାହାନ୍ତି। ଏହି କମ୍ପାନିଗୁଡ଼ିକର ସମ୍ପତ୍ତି ବ୍ୟାଜ୍ୟାପ୍ତ ଓ ନିଲାମ କରି କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଦିଆଯାଉ । କମ୍ପାନି କର୍ତ୍ତୃପକ୍ଷ ଦୋଷ ସ୍ୱୀକାର କରି ଖସିବାରେ ବ୍ୟସ୍ତ ଥିବାବେଳେ ସରକାର ସମସ୍ତ କର୍ତ୍ତୃପକ୍ଷଙ୍କୁ ଜମା ଫେରସ୍ତ ନହେବା ଯାଏ ଜେଲ୍‌ରେ ରଖିବା ଉଚିତ । ତ୍ରୁଟିଯୁକ୍ତ ରାଜ୍ୟ ଓ କେନ୍ଦ୍ରୀୟ ଆଇନ ଏହି ମହାଠକେଇକୁ ପ୍ରଶ୍ରୟ ଦେଇଥିବାରୁ ଏହାକୁ ଯଥାଶୀଘ୍ର ସଂଶୋଧନ କରିବାକୁ ଦାବି କରିଥିଲେ ।

ମଞ୍ଚର ଆବାହକ ଜୟନ୍ତ ଦାସ କହିଲେ, କର୍ପସ୍‌ ଫଣ୍ଡ ଟଙ୍କା ଏ ପର୍ଯ୍ୟନ୍ତ ଜଣେ ହେଲେ ଜମାକାରୀଙ୍କୁ ମିଳିପାରି ନାହିଁ। କେବଳ ‘ରୋଜ୍‌ଭ୍ୟାଲି’ କମ୍ପାନିରେ ୩ ଲକ୍ଷ ୯୦ ହଜାରରୁ ଅଧିକ ଜମାକାରୀ ଥିବା ବିଗତ ଦିନର ତହସିଲସ୍ତରୀୟ ଚିହ୍ନଟ ପ୍ରକ୍ରିୟାରେ ଜଣାପଡ଼ିଥିବାବେଳେ ବିଚାର ବିଭାଗୀୟ କମିଶନର ଗତ ଚାରି ବର୍ଷ ମଧ୍ୟରେ ୨୪୦ରୁ ଅଧିକ ଠକ କମ୍ପାନି ମଧ୍ୟରୁ ମାତ୍ର ୧୨ ହଜାର ଜମାକାରୀ ଚିହ୍ନଟ କରିଛନ୍ତି । ତଦନ୍ତ ପରିପନ୍ଥୀ ଭୂମିକା ନେଇଥିବା କମିଶନରଙ୍କୁ ବହିଷ୍କାର କରାଯାଉ। ତହସିଲ ଜରିଆରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରାଯାଉ । ଏହାବାଦ୍‌ କେଉଁ କମ୍ପାନି ଜମାକାରୀମାନଙ୍କଠାରୁ କେତେ ଟଙ୍କା ନେଇଛନ୍ତି ସରକାର ତା’ର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି ଉପସ୍ଥାପନ କରିଥିଲେ ।

ଲଗାଣ ବର୍ଷା ସତ୍ତ୍ୱେ ବହୁସଂଖ୍ୟକ ଜମାକାରୀ ମାଦ୍ରି କାଲୋ ଭବନରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସରକାରଙ୍କ ଟାଳଟୂଳ ନୀତିକୁ କଡ଼ା ସମାଲୋଚନା କରିବା ସହ କ୍ଷତିଗ୍ରସ୍ତ ଜମାକାରୀଙ୍କ ହକ୍‌ ପୂରଣ କରିବାକୁ ଦାବି କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗଣ ସତ୍ୟାଗ୍ରହରେ ମଞ୍ଚର ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ, ଅନୁରାଧା ସୁବୁଦ୍ଧି, ବିଭୂଦତ୍ତ ମିଶ୍ର, ସୁଧାଂଶୁ ବେହେରା, ଦୁଷ୍ମନ୍ତ କର୍ତ୍ତା, ଜିଲ୍ଲା ସଭାପତି ସନ୍ତୋଷିନୀ ପଣ୍ଡା, ରମେଶ ମହାନନ୍ଦିଆ, ସୁଚରଣ ତନ୍ତୀ, ଚନ୍ଦ୍ରଶେଖର ଶାହା, ଯଶୋବନ୍ତ ବାଗ, ଅଜିତ ବେହେରା, ପ୍ରମୋଦ ସାଏ, ନାରାୟଣ ପ୍ରଧାନ, ନବୀନ ଶା, ସୁକାନ୍ତି କିଶାନ, ଭାସ୍କର ଜୟପୁରିଆ, ଦେବକୀ ମାଝୀ, ବୈଷ୍ଣବ ଶାହା, ସୁରେନ୍ଦ୍ର ବେହେରା, ଲୋଚନ ନାୟକ, ନାରାୟଣ ପତି, ବରୁଣ ବିଶି, ନିରଞ୍ଜନ ବେହେରା, ନିର୍ମଳ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ ।