ଚିଟଫଣ୍ଡରେ ଟଙ୍କା ହରାଇଥିବା ଜମାକାରୀଙ୍କ ପାଇଁ ଖୁସି ଖବର ! କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ପାଇଁ ସବୁ ଜିଲ୍ଲାପାଳଙ୍କୁ ଅର୍ଥ ବିଭାଗର ଚିଠି, ଜାଣନ୍ତୁ ପ୍ରଥମେ କେଉଁମାନେ ଫେରି ପାଇବେ ଟଙ୍କା

64

କନକ ବ୍ୟୁରୋ : ଚିଟଫଣ୍ଡ୍ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସିଖବର । ଖୁବ୍ ଶୀଘ୍ର ରାଜ୍ୟ ସରକାର ସେମାନଙ୍କୁ ଟଙ୍କା ଫେରାଇବା କାମ ଆରମ୍ଭ କରିବାକୁ ଯାଉଛନ୍ତି । ଏ ନେଇ ଅର୍ଥ ବିଭାଗର ନିର୍ଦ୍ଦେଶକୁ ଜିଲ୍ଲାପାଳ ଓ ତହସିଲଦାରମାନେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସମ୍ଭବତଃ ଆସନ୍ତା ମାସ ଆରମ୍ଭରେ ସେମାନଙ୍କୁ ଟଙ୍କା ମିଳିଯାଇପାରେ ବୋଲି ଅନୁମାନ କରାଯାଉଛି ।

ଜିଲ୍ଲାପାଳମାନଙ୍କୁ ଅର୍ଥ ସଚିବଙ୍କ ଚିଠି । ଏହି ଚିଠିରେ ଜିଲ୍ଲାପାଳମାନେ ତହସିଲଦାରମାନଙ୍କ ଜରିଆରେ ଟଙ୍କା ବାଂଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ ଲେଖଯାଇଛି- ଚିଟଫଣ୍ଡ୍ କମିଶନ ଦେଇଥିବା ପ୍ରଥମ ଦୁଇଟି ରିପୋର୍ଟ ଆଧାରରେ ୧୦ ହଜାର ଟଙ୍କାରୁ କମ୍ ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କ ତାଲିକା ଦିଆଯାଇଛି । ସେହି ଅନୁସାରେ ଜିଲ୍ଲାୱାରୀ ଟଙ୍କା ବଂଟାଯାଇଛି । କ୍ଷେତ୍ରୀୟ ସ୍ତରରେ ଗଢ଼ାଯାଇଥିବା ଯାଂଚ୍ କମିଟି ଏହାର ସରଜମିନ୍ ଯାଂଚ୍ କରି ହିତାଧକାରୀଙ୍କ ଆକାଉଂଟକୁ ଟଙ୍କା ପ୍ରେରଣ କରନ୍ତୁ ।

ଚିଠିରେ କୁହାଯାଇଛି- କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀମାନଙ୍କୁ ନିର୍ଦ୍ଦିଷ୍ଟ ତାରିଖରେ ତହସିଲଦାରଙ୍କ ନିକଟରେ ଉପସ୍ଥିତ ହେବାକୁ କୁହାଯାଉ । ଜମାକାରୀମାନଙ୍କୁ ବିନା ଷ୍ଟାମ୍ପ୍ ଡ୍ୟୁଟିରେ କ୍ଷତିପୂର୍ତ୍ତି ଚୁକ୍ତିପତ୍ର ବା ଇଣ୍ଡେମିନିଟି ବଣ୍ଡ୍ରେ ସ୍ୱାକ୍ଷର କରିବାକୁ କୁହାଯାଉ । ଏଥିସହିତ ସେମାନଙ୍କୁ ସେମାନଙ୍କ ବ୍ୟାଙ୍କ୍ ପାସ୍ବୁକର ପ୍ରଥମ ପୃଷ୍ଠାର ନକଲ ଦେବାକୁ କୁହାଯାଉ । ଯାହାଦ୍ୱାରା ସେମାନଙ୍କ ବ୍ୟାଙ୍କ୍ ଆକାଉଂଟକୁ ଇ-ଟ୍ରାନସଫର ଯୋଗେ ସିଧାସଳଖ ଟଙ୍କା ପଠାଯାଇପାରିବ ।

ଚିଟଫଣ୍ଡ୍ କ୍ଷତିଗ୍ରସ୍ତଙ୍କ ଚିହ୍ନଟ ପାଇଁ ଗଢ଼ାଯାଇଥିବା କମିଶନ୍ ଏପଯର୍ଯ୍ୟନ୍ତ ତାଙ୍କର ୪ଟି ପ୍ରାଥମିକ ରିପୋର୍ଟ ଦେଇସାରିଛନ୍ତି । କମିଶନଙ୍କ ରିପୋର୍ଟ ଆଧାରରେ ୧ ଲକ୍ଷ ୧୬ ହଜାର ୫୦୪ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଛନ୍ତି । କେବଳ ତହସିଲଦାରଙ୍କ ସ୍ତରରେ ପ୍ରକୃତ ହିତାଧିକାରୀ ଯାଂଚ୍ ପରେ ଟଙ୍କା ଦିଆଯିବ ।