୮ ଘଂଟା ମୋବାଇଲରେ ଗେମ୍ ଖେଳିବା ହେଲା କାଳ ! ଦୃଷ୍ଟିଶକ୍ତି ହରାଇଲେ ଯୁବତୀ

74

ଆଜିକାଲିର ଯୁବପୀଢ଼ି ମୋବାଇଲ ଫୋନ୍ ବିନା ଗୋଟିଏ ଦିନ ବି କାଟି ପାରିବେ ନାହିଁ । ଆଜିର ଯୁଗରେ ମୋବାଇଲ ଫୋନ ମଣିଷର ଦୈନିକ ଜୀବନ ସହ ଏକ ଜରୁରୀ ଜିନିଷ ପାଲଟି ଗଲାଣି । ମୋବାଇଲ ଫୋନର ବ୍ୟବାହର ଛୋଟରୁ ବଡ ସବୁ ବୟସ ଓ ବର୍ଗର ଲୋକେ ବ୍ୟବହାର କରୁଛନ୍ତି । କହିବାକୁ ଗଲେ ମୋବାଇଲ ମାୟାରେ ବାୟା ସମସ୍ତେ । ସମୟ ବଦଳିବା ସହ ମୋବାଇଲର ବି ଉପଯୋଗୀତା ବଢିପାରେ ଲାଗିଛି । ଆଜିର ଡିଜିଟାଲ ଯୁଗରେ ମୋବାଇଲ ଦ୍ୱାରା ସବୁକାମ କମ ସମୟରେ ହେଇପାରୁଛି । ଦେଶ ବିଦେଶରେ ଥିବା ପରିବାର ଲୋକ ବନ୍ଧୁବାନ୍ଧବଙ୍କ ସହ ଅତି ସହଜରେ କଥା ହୋଇ ପାରୁଛେ ଏହି ମୋବାଇଲ ଫୋନ୍ ଯୋଗୁଁ । ଏତେ ସୁବିଧା ଥିଲେ ମଧ୍ୟ ଅଧିକ ସମୟ ମୋବାଇଲ ଫୋନର ବ୍ୟବହାର ବହୁତ କ୍ଷତି ପହଞ୍ଚାଇଥାଏ ।

ଆଜିକାଲି ଛୋଟରୁ ବଡ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ । ବଜାରକୁ ଅନେକ କମ୍ପାନୀର ସ୍ମାର୍ଟଫୋନ ଆସିଲାଣି, ଏବଂ ଶସ୍ତାରେ ମିଳିଯାଉଛି ଏବେ ଅନେକ ଫିଚର ଥିବା ଏହି ଫୋନ । ସ୍ମାର୍ଟଫୋନରେ ରହିଛି ଅନେକ ମନୋରଞ୍ଜନ ଭରା ଆପ । ଏବଂ ଏହି ସ୍ମାର୍ଟଫୋନରେ ଭିନ୍ନ ଭିନ୍ନ ଗେମ ଆପ ମଧ୍ୟ ରହିଛି । ଯାହାକୁ ଖୁବ୍ ମଜା ନେଇ ଘଂଟା ଘଂଟା ସମୟ ଅତିବାହିତ କରିଥାଆନ୍ତି ୟୁଜର୍ସ । ମାତ୍ର ଅଧିକ ସମୟ ମୋବାଇଲ ଫୋନ୍ ବ୍ୟବହାର ଆଖି ପାଇଁ ବିପଦ ସୃ୍ଷ୍ଟି କରେ ।

କଥାରେ ଅଛି ଅତିରୁ ଇତି । ଆଉ ଏପରି କିଛି ହୋଇଛି ଜଣେ ୨୧ବର୍ଷୀୟ ଚୀନା ଯୁବତୀଙ୍କ ସହ । ଘଂଟା ଘଂଟା ଧରି ସ୍ମାର୍ଟଫୋନରେ ଗେମ ଖେଳିବାର ପରିଣତି ଭୋଗିଛନ୍ତି ଯୁବତୀ ଜଣକ । ସୂଚନା ଅନୁସାରେ ଯୁବତୀ ଜଣକ ମୋବାଇଲ ଫୋନରେ ଘଂଟା ଘଂଟା ଧରି ଗେମ୍ ଖେଳିବା ଦ୍ୱାରା ନିଜର ଆଖି ହରାଇଛନ୍ତି । ଅଧିକ ସମୟ ଧରି ଚାଇନାର ପ୍ରସିଦ୍ଧ ମୋବାଇଲ ଗେମ କିଙ୍ଗ ଗ୍ଲୋରି ଖେଳୁଥିବା ସମୟରେ ଘଟିଥିଲା ଏହି ଆକସ୍ମିକ ଦୁର୍ଘଟଣା । ଯେଉଁ କାରଣରୁ ସେ ତାଙ୍କ ଦୃଷ୍ଟି ଶକ୍ତି ହରାଇଛନ୍ତି ।

ମୋବେଇଲ ଗେମ୍ ପ୍ରତି ଆସକ୍ତ ଥିବା ଏହି ମହିଳା ଜଣକ ଅକ୍ଟୋବର ୧ରେ ସକାଳୁ ୬ଟାରୁ ଉଠିବା ମାତ୍ରେ ନଖାଇ, ନପିଇ, ଅଫିସ ନଯାଇ ଲଗାତାର ୮ଘଂଟା ଗେମ ଖେଳିଥିଲେ । ଏହାଦ୍ୱାରା ତାଙ୍କ ଚକ୍ଷୁ ପଟଳରେ ରକ୍ତ ଜମାଟ ବାନ୍ଧି ଯାଇଥିଲା । ଯାହାଦ୍ୱାରା ସେ ଦୃଷ୍ଟିଶକ୍ତି ହରାଇଥିଲେ । ତେବେ ଏହି ଖବରରୁ ଜଣାପଡ଼ୁୁଛି ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର କେତେ ଭୟଙ୍କର ହୋଇପାରେ ।