ଆଜି ଭାରତ ଆସୁଛନ୍ତି ଚୀନ ରାଷ୍ଟ୍ରପତି । ସି ଜିନପିଙ୍ଗଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ତାମିଲନାଡୁର ମାମଲାପୁରମ, ସିସିଟିଭି ନଜରରେ ପୁରା ସହର

127

କନକ ବ୍ୟୁରୋ : ଆଜି ଭାରତ ଗସ୍ତରେ ଆସୁଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ତାମିଲନାଡୁ ମମ୍ମଲାପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଜିନପିଙ୍ଗ । ଉଭୟଙ୍କ ମଧ୍ୟରେ ଅନଔପଚାରିକ ସାକ୍ଷାତ ହେବ । ଆଜି ଓ ଆସନ୍ତାକାଲି ମହାବଳିପୁରମରେ ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ଅନୈାପଚାରିକ ଶିଖର ସମ୍ମିଳନୀରେ ସାମିଲ ହେବେ । ଏହାସହ କିଛି ଐତିହାସିକ ସ୍ଥାନ ପରିଦର୍ଶନ କରିବେ । ୨୪ ଘଂଟା ରହଣୀ ମଧ୍ୟରେ ୭ ଘଂଟା ସମୟ ମୋଦିଙ୍କ ସହ ଅତିବାହିତ କରିବେ ଜିନପିଙ୍ଗ । ଚୀନ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଚେନ୍ନାଇ ସମତେ ତାମିଲନାଡୁରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତିରିକ୍ତ ସାଜସଜ୍ଜା ସାଙ୍ଗକୁ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ।

ବ୍ୟାପକ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏହାସହ ଡ୍ରୋନ ଜରିଆରେ ଆକାଶମାର୍ଗରୁ ପରିସ୍ଥିତି ଓ ସମସ୍ତ ଗତିବିଧି ଉପରେ ନଜର ରଖାଯାଇଛି । ସ୍ଥାନେ ସ୍ଥାନେ ବ୍ୟାପକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ପାଖାପାଖି ୫ହଜାରରୁ ଅଧିକ ସୁରକ୍ଷାକର୍ମୀ ସୁରକ୍ଷା ଦାୟିତ୍ୱରେ ସହରର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି । ଆଜି ଅପରାହ୍ଣରେ ଚେନ୍ନାଇରେ ପହଁଚିବେ ଜିନପିଙ୍ଗ । ଏହାପରେ ମମ୍ମଲାପୁରମ ଅଭିମୁଖେ ଗସ୍ତ କରିବେ । ସେଠାରେ ମୋଦିଙ୍କ ସହ ସାକ୍ଷାତ ହେବ ଏବଂ ବିଭିନ୍ନ ପ୍ରସଙ୍ଗ ଯଥା ଆତଙ୍କବାଦ,ବ୍ୟବସାୟ ଓ ସୀମା ବିବାଦ ଉପରେ ହେବ ଅନୌପଚାରିକ ଆଲୋଚନା ।