ଭାରତକୁ ଚୀନର ଡବଲ ଧୋକା ! ଲଦାଖ ଆକାଶରେ ଉଡିଥିଲା ଚୀନ୍ ସେନାର ଦୁଇଟି ହେଲିକପ୍ଟର, ସୀମା ଭିତରକୁ କଲା ଅନୁପ୍ରବେଶ ।

33

କନକ ବ୍ୟୁରୋ : ଭାରତକୁ ଡବଲ ଧୋକା ଦେଇଛି ଚୀନ୍ । ଡୋକଲାମ ବିବାଦ ପରେ ପୁଣି ଥରେ ଭାରତୀୟ ସୀମାରେ ପ୍ରବେଶ କରିବାକୁ ସାହସ ଦେଖାଇଛି ଚୀନ । ଚୀନ୍ ସେନା ପକ୍ଷରୁ ଦୁଇଟି ସ୍ଥାନରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରାଯାଇଛି । ଗୋଟିଏ ପଟେ ଜମ୍ମୁ କଶ୍ମୀର ଲଦାଖ ଅଂଚଳରେ ଚୀନ୍ ସେନାର ଦୁଇଟି ହେଲିକପ୍ଟର ଭାରତୀୟ ଆକାଶ ସୀମା ଭିତରେ ଦେଖିବାକୁ ମିଳିଛି । ଅନ୍ୟପଟେ ଅରୁଣାଚଳପ୍ରଦେଶରେ ଚୀନ୍ ସୈନିକଙ୍କୁ ଭାରତୀୟ ସୀମା ଭିତରେ ଦେଖିବାକୁ ମିଳିଛି । ଭାରତ-ତିବତ ସୀମା ପୋଲିସ ବା ଆଇଟିବିପି ରିପୋର୍ଟରେ ଏହି ଖୁଲାସା ହୋଇଛି ।

ରିପୋର୍ଟ ଅନୁସାରେ ଚୀନର ଦୁଇଟି ହେଲିକପ୍ଟର ଅଗଷ୍ଟ ୨୭ ତାରିଖ ସକାଳ ୯ଟାରେ ଲଦାଖର ବୁର୍ତସେ ଏବଂ ଟ୍ରେକ୍ ଜଙ୍କସନ୍ ପୋଷ୍ଟ ନିକଟରେ ଦେଖିବାକୁ ମିଳିଥିଲା । ଏହି ୨ଟି ହେଲିକପ୍ଟର ଏମଆଇ-୧୭ ଭଳି ଦେଖା ଯାଉଥିଲେ । ଭାରତୀୟ ସୀମା ଭିତରେ ଏହି ହେଲିକପ୍ଟର ଦୁଇଟି ପ୍ରାୟ ୫ ମିନିଟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ଲଦାଖର ବୁର୍ତସେ ଓ ଟ୍ରେକ୍ ଜଂକସନ୍ ପୋଷ୍ଟ ଟ୍ରିଗ ହାଇଟ ଡ଼େପସାଂଗ ଅଂଚଳରେ ପଡ଼ୁଥିବାରୁ ରଣନୈତିକ ଦୃଷ୍ଟିରୁ ଭାରତ ପାଇଁ ଏହା ବେଶ୍ ଗୁରୁତ୍ୱ ରଖୁଛି । ସେପଟେ ଅରୁଣାଚଳ ପ୍ରଦେଶର ଦିବାଙ୍ଗ ଘାଟିରେ ମଧ୍ୟ ଚୀନ୍ ସେନା ପ୍ରବେଶ କରିଥିଲା । ସ୍ଥାନୀୟ ଗ୍ରାମବାସୀଙ୍କ ପାଖରୁ ଏପରି ସୂଚନା ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଅଧିକ ସତର୍କତା ପୂର୍ବକ ଚୀନ୍ ସେନାର ଗତିବିଧି ଉପରେ ନଜର ରଖାଯାଇଛି ।