ଉତ୍ତରାଖଣ୍ଡରେ ଚୀନ୍‌ ସେନାର ଅନୁପ୍ରବେଶ

39

କନକ ବ୍ୟୁରୋ: ସିକ୍କିମ ସେକ୍ଟରର ଡୋକଲାମଠାରେ ସୀମା ବିବାଦକୁ ନେଇ ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇରହିଥିବା ବେଳେ ଉତ୍ତରାଖଣ୍ଡର ବାରାହୋଟିଠାରେ ଚୀନ୍ ସେନା ଭାରତରେ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ଚୀନ୍ ଗସ୍ତର ଦୁଇଦିନ ପୂର୍ବରୁ ଚୀନ୍ ସେନା ଏହି କାଣ୍ଡ ଘଟାଇଥିବା ଆଜି ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ।

ତେବେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆଜି କୁହାଯାଇଛି ଯେ ଚଳିତ ମାସ ଚୀନ ସେନା ଦୁଇ ଥର (ଜୁଲାଇ ୧୫ ଏବଂ ୨୫ ତାରିଖ) ଅନୁପ୍ରବେଶ କରିଥିଲେ । ଜୁଲାଇ ୨୫ ତାରିଖ ସକାଳ ୯ରେ ଚୀନର ୫୦ ଜଣ ସୈନ୍ୟ ଉତ୍ତରାଖଣ୍ଡର ବାରାହୋଟିଠାରେ ସୀମା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ । ସେମାନେ ଭାରତୀୟ ଅଞ୍ଚଳ ଭିତରକୁ ୮୦୦ରୁ ୧୦୦୦ ମିଟର ପର୍ଯ୍ୟନ୍ତ ଯାଇଥିଲେ । ଦୁଇ ଘଣ୍ଟା ପରେ ଚୀନ୍ ସୀମାକୁ ଫେରି ଯାଇଥିଲେ ।

ଏହା ପୂର୍ବରୁ ଗତବର୍ଷ ଜୁଲାଇ ମାସରେ ଚୀନ୍ ସେନା ଉତ୍ତରାଖଣ୍ଡର ବାରହୋଲିଠାରେ ଭାରତର ୨୦୦ ମିଟର ମଧ୍ୟକୁ ଅନୁପ୍ରବେଶ କରିଥିଲେ । ଗତ ୨୫ ତାରିଖର ଅନୁପ୍ରବେଶ ନେଇ ଭାରତ ସରକାର ଚୀନ୍ ପ୍ରତିପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଘଟଣାର ପ୍ରତିବାଦ କରିଛନ୍ତି । ଡୋକଲାମ ଘଟଣାରେ ଦୁଇ ଦେଶର ସମ୍ପର୍କରେ ଅବନତି ଘଟିଥିବା ବେଳେ ବାରାହୋଟି ଅନୁପ୍ରବେଶ ଘଟଣା ଏହାକୁ ଆହୁରି ତିକ୍ତ କରିବା ଆଶଙ୍କାସୃଷ୍ଟି ହୋଇଛି ।

ବ୍ରିକ୍ସ ସମ୍ମିଳନୀ ଅବସରରେ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସହିତ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଡୋଭାଲଙ୍କ ଆଲୋଚନା ସତ୍ୱେ ଡୋକଲାମ ଅଚଳାବସ୍ଥାର ସମାଧାନ ଦିଗରେ କୌଣସି ଉଲ୍ଲେଖନୀୟ ସଫଳତା ମିଳିନାହିଁ । ଏଦିଗରେ କୌଣସି ଆଲୋଚନା ପୂର୍ବରୁ ଭାରତ ସେନା ପ୍ରତ୍ୟାହାର କରିବା ଜିଦରେ ଚୀନ୍ ଅଟଳ ରହିଛି । ଚୀନ୍ ସେନା ଭୁଟାନ ଅଞ୍ଚଳରେ ଅନୁପ୍ରବେଶ କରିଥିବା ଅଭିଯୋଗକୁ ଚୀନ୍ ସ୍ୱୀକାର କରୁନାହିଁ ।

ଡୋକଲାମରେ ରାସ୍ତା ନିର୍ମାଣ କରି ଚୀନ୍ ଦୁଇଦେଶ ମଧ୍ୟରେ ସ୍ୱାକ୍ଷରିତ ୨୦୧୨ ବୁଝାମଣାକୁ ଉଲ୍ଲଙ୍ଘନ କରିଛି ବୋଲି ଭାରତ କହିଛି । ସ୍ଥିତାବସ୍ଥା ପରିବର୍ତ୍ତନ ନିମନ୍ତେ ଚୀନର ଏହି ଏକତରଫା ଉଦ୍ୟମ ଭାରତର ସୁରକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ବିପର୍ଯ୍ୟୟମୂଳକ ହୋଇପାରେ ବୋଲି ଭାରତ ଦର୍ଶାଇଛି । ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟାସ୍ତରୀୟ ବୈଠକରେ ଡୋଭାଲ ଚୀନ୍ ରାଷ୍ଟ୍ରପତି ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏହି ଘଟଣାର କିଛି ସମାଧାନ ହୋଇନାହିଁ ।

ଡୋକଲାମ ସମ୍ପର୍କରେ ବ୍ରିକ୍ସ ବୈଠକରେ କିଛି ଆଲୋଚନା ହୋଇନଥିବାରୁ ଉଭୟ ପକ୍ଷ ଏହାକୁ ଦ୍ୱପାକ୍ଷିକ ସ୍ତରରେ ସୀମିତ ରଖିବାକୁ ଚାହାନ୍ତି ବୋଲି ପ୍ରମାଣିତ ହୋଇଛି । ଆସନ୍ତା ଅଗଷ୍ଟ ୧ରେ ଚୀନ୍ ସେନା ପିଏଲଏର ୯୦ତମ ବାର୍ଷିକୀ ପାଳନ ଥିବାରୁ ଏହା ପୂର୍ବରୁ ରାଷ୍ଟ୍ରପତି ଜିନପିଙ୍ଗ ଭାରତୀୟ ସେନା ପ୍ରତ୍ୟାହାର ଦାବିରୁ ପଛକୁ ଫେରିପାରିବେ ନାହିଁ ବୋଲି ଚୀନ୍ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି ।