ଚୀନକୁ ଭାରତର ଜବାବ୍ ! ସୀମାରେ ବିବାଦ ନେଇ ମୁହଁ ଖୋଲିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ

37

କନକ ବ୍ୟୁରୋ : ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ସମ୍ପାଦକୀୟ ପୃଷ୍ଠାରେ ଭାରତକୁ ଧମକ । ଚୀନ ପୁଣିଥରେ ବିଷୋଦଗାର କରିଛି ଭାରତ ବିରୁଦ୍ଧରେ । ଯୁଦ୍ଧ ପରିସ୍ଥିତି ଉପୁଜିବା ପଛରେ କେବଳ ହିନ୍ଦୁ ରାଷ୍ଟ୍ରବାଦ ଦାୟୀ ବୋଲି କହିଛି ଗ୍ଲୋବାଲ ଟାଇମ୍ସ । ୨୦୧୪ରେ ମୋଦି କ୍ଷମତାକୁ ଆସିବା ପରେ ଭାରତରେ ହିନ୍ଦୁ ରାଷ୍ଟ୍ରବାଦ ବଢ଼ିଥିବା ଏଥିରେ ଉଲ୍ଲେଖ କରାଯାଇଛି । ଲେଖା ଅନୁଯାୟୀ ଭାରତରେ ମୁସଲମାନଙ୍କ ଉପରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି । ଏବେ ଚୀନ ସହ ମୁହାଁମୁହିଁ ସ୍ଥିତି ଉପୁଜିବା ପଛରେ ହିନ୍ଦୁ ରାଷ୍ଟ୍ରବାଦ ହିଁ ଦାୟୀ ବୋଲି ଲେଖିଛି ଗ୍ଲୋବାଲ ଟାଇମ୍ସ । ଚୀନର ବିକାଶ ଭାରତ ପାଇଁ ଅସହ୍ୟ ବୋଲି ମଧ୍ୟ ଲେଖାଯାଇଛି ଏହି ସମ୍ପାଦକୀୟରେ । ଭାରତର ରାଷ୍ଟ୍ରବାଦୀ ଶକ୍ତି ଯୁଦ୍ଧ କରି ଚୀନଠାରୁ ପ୍ରତିଶୋଧ ନେବାକୁ ଚାହାନ୍ତି ବୋଲି କହିଛି ଗ୍ଲୋବାଲ ଟାଇମ୍ସ ।

ସେପଟେ ସଂସଦରେ ଏହାର ଜବାବ ଦେଇଛନ୍ତି ସୁଷମା । ସୁଷମା କହିଛନ୍ତି, ସ୍ଥିତି ମୁକାବିଲା କରିବାକୁ ଭାରତ ବେଶ ସକ୍ଷମ । ଚୀନର କାର୍ଯ୍ୟକଳାପକୁ ବିରୋଧ କରିବା ପାଇଁ ନିୟମ ଓ ଆଇନ ଭାରତ ସପକ୍ଷରେ ଥିବା କହିଛନ୍ତି ସୁଷମା ।

ଗତକାଲି ଚୀନ ସେନାର ନିଜସ୍ୱ ମୁଖପତ୍ର ପିଏଲଏ ଡେଲି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଥିଲା । ଏଥିରେ ଗତମାସ ଶେଷ ଭାଗରେ ଚୀନ ଭାରତ ନିକଟସ୍ଥ ସୀମାକୁ ହଜାର ହଜାର ଟନ୍ ଯୁଦ୍ଧସାମଗ୍ରୀ ପଠାଇଥିବାର କୁହାଯାଇଥିଲା । ଉତ୍ତର ତିବ୍ଦତର କୁନଲୁନ୍ ଅଂଚଳକୁ ଏହି ଯୁଦ୍ଧ ସାମଗ୍ରୀ ପଠାଯାଇଥିବା ଦର୍ଶାଯାଇଥିଲା । ସୀମାରେ ଉତ୍ତେଜନା ଜାରି ରହିଥିବା ବେଳେ ଏତେ ପରିମାଣରେ ଯୁଦ୍ଧ ସାମଗ୍ରୀ ପଠାଇବା ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦର୍ଶାଇଥିଲା ଯାହା ଏବେ ବି ଜାରି ରହିଛି ।

କିଛି ଦିନ ତଳେ ପିପୁଲକ୍ସ ଲିବରେସନ୍ ଆର୍ମିର ଗୁରୁତ୍ୱପୂର୍ଣ୍ଣ ମାଉଂଟେନ୍ ବ୍ରିଗେଡ୍ ତିବତରେ ୧୧ ଘଂଟା ଧରି କରିଥିଲା ଯୁଦ୍ଧାଭ୍ୟାସ । ସିସିଟିଭି ତଥ୍ୟ ମୁତାବକ ଏହି ସମରାଭ୍ୟାସରେ ଆର୍ମିର ଅନ୍ୟ ପ୍ରମୁଖ ବିଭାଗ ମଧ୍ୟ ଭାଗ ନେଇଥିଲେ । ଯେଉଁଥିରେ ଚୀନର ସର୍ବାଧୁନିକ ଟ୍ୟାଙ୍କ କୁହାଯାଉଥିବା ଟାଇପ୍-୯୬ବି ନଜରକୁ ଆସିଥିଲା । ଆଂଟି ଟ୍ୟାଙ୍କ୍ ଗ୍ରେନେଡ୍ ମଧ୍ୟ ସାମିଲ ହୋଇଥିଲା ଏହି ଅଭ୍ୟାସରେ । ଏବେ ଗ୍ଲୋବାଲ ଟାଇମ୍ସର ସମ୍ପାଦକୀୟ ପୁଣିଥରେ ଦର୍ଶାଇଛି ଚୀନର ଆକ୍ରମଣାତ୍ମକ ଆଭିମ୍ମୁଖ୍ୟକୁ ।