ଚୀନର ସିପିଇସି ସୁରକ୍ଷା ଚିନ୍ତା: ବାଲୁଚି ଆତଙ୍କବାଦୀଙ୍କ ସହ ଚଳାଇଛି ଗୋପନରେ କଥାବାର୍ତ୍ତା

36

କନକ ବ୍ୟୁରୋ: ଚୀନ-ପାକିସ୍ତାନ ଆର୍ଥିକ କରିଡର- ସିପିଇସିକୁ ସୁରକ୍ଷା ଦେବା ପାଇଁ ପାକିସ୍ତାନ ବାଲୁଚିସ୍ତାନରେ ଆତଙ୍କବାଦୀଙ୍କ ସହ ସଂପର୍କ ରଖିଛି ଚୀନ । ଏନେଇ ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ଡନ ନ୍ୟୁଜ ଖବର ପ୍ରକାଶ କରିଛି । ପ୍ରାୟ ୫ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପକୁ ସୁରକ୍ଷା ଦେବା ଲାଗି ଚୀନ ଏହାର ମୁଖ୍ୟ ଅଧିକାରୀମାନଙ୍କୁ ପଠାଇ ବାଲୁଚିସ୍ତାନ ଆତଙ୍କବାଦୀଙ୍କ ସହ ଗୁପ୍ତରେ କଥାବାର୍ତା ଜାରି ରଖିଛି । ଗତ ୫ ବର୍ଷ ଗେଲାଣି ପାକିସ୍ତାନ ଆତଙ୍କବାଦୀଙ୍କ ସହ ସିଧାସଳଖ ସଂପର୍କରେ ରହିଛନ୍ତି ଚୀନର ଅଧିକାରୀମାନେ । ଏପରିକି ଚଂଚକତା କରି ପ୍ରାୟ ୨ ମାସ ତଳେ ଚୀନ ଏକ ବିଜ୍ଞପ୍ତି ଜାରି କରିଥିଲା ଯେ, ସିପିଇସିି ପ୍ରକଳ୍ପ ବିରୋଧରେ ଆତଙ୍କବାଦୀ ହମଲା ହୋଇପାରେ । ପାକିସ୍ତାନରେ ଥିବା ଏହାର ନାଗରିକମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଚୀନ ବିଜ୍ଞପ୍ତି ଜାରି କରିଥିଲା । ପାକିସ୍ତାନସ୍ଥିତ ଚୀନ ଦୂତାବାସ ୱେବସାଇଟରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ଆତଙ୍କବାଦୀଙ୍କ ସହ ସିଧାସଳଖ ଲିଙ୍କ ସାମ୍ନାକୁ ଆସିବା ପରେ ଚୀନର ଦୋମୁହାଁ ନୀତି ଧରାପଡିଛି ।

ଅପରପକ୍ଷେ, ସିପିଇସି ପ୍ରକଳ୍ପ ବିରୋଧରେ ଆତଙ୍କବାଦୀ ଆକ୍ରମଣ ନେଇ ଚୀନ୍ ପାକିସ୍ତାନରେ ଥିବା ଏହାର ନାଗରିକଙ୍କୁ ସତର୍କ କରାଇବା ଲାଗି ବିଜ୍ଞପ୍ତି ପ୍ରକାଶ କରିବାର ୨ ମାସ ପରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ପାକିସ୍ତାନ ସ୍ଥିତ ଚୀନ୍ ଦୁତାବାସ ଏହାର ୱେବସାଇଟରେ ଏକ ବିବୃତି ଜାରି କରି କହିଥିଲା ଯେ ପାକିସ୍ତାନରେ ଚୀନ୍ ପ୍ରତିଷ୍ଠାନ ଏବଂ ଚୀନ୍ ନାଗରିକଙ୍କ ବିରୋଧରେ ଆତଙ୍କବାଦୀ ଆକ୍ରମଣ ଯୋଜନା ରହିଛି। ଦୂତାବାସ ପକ୍ଷରୁ ସମସ୍ତ ପ୍ରତିଷ୍ଠାନ ଏବଂ ଚୀନ୍ ନାଗରିକଙ୍କ ସୁରକ୍ଷା ବୃଦ୍ଧି ପାଇଁ ସତର୍କ କରାଯାଇଥିଲା ।

ଏପରିକି ସିପିଇସି ପ୍ରକଳ୍ପ ବିରୋଧରେ ଆକ୍ରମଣ ପାଇଁ ଭାରତ ୪୦୦ ମୁସଲିମ୍ ଯୁବକଙ୍କୁ ଆଫଗାନିସ୍ତାନ ପଠାଇ ତାଲିମ ଦେଉଛି ବୋଲି ଚଳିତ ମାସ ପ୍ରାରମ୍ଭରେ ପାକିସ୍ତାନ ଗଣମାଧ୍ୟମ ଡନରେ ପ୍ରକାଶ ପାଇଥିଲା । ତେବେ ପ୍ରକଳ୍ପର ସୁରକ୍ଷା ପାଇଁ ଆତଙ୍କବାଦୀଙ୍କୁ ଚୀନ୍ ପ୍ରୋତ୍ସାହନ କରିବା ଘଟଣା ଆତଙ୍କବିରୋଧୀ ରାଷ୍ଟ୍ରମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।