ଚୀନ ବଜାରରେ ଭାରତ ଚାଉଳ ! କୃଷକଙ୍କୁ ମିଳିବ ଫାଇଦା

ଦୁଇଟି କିସମର ଚାଉଳର ହେବ ରପ୍ତାନୀ

198

ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢ଼େଇରୁ ଭାରତ ଲାଭ ଉଠାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଭାରତ ଏହାର ଚାଉଳକୁ ଚୀନରେ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ବିଶ୍ବର ସର୍ବବୃହତ ଚାଉଳ ରପ୍ତାନିକାରୀ ହେଉଛି ଭାରତ। ଯଦିଓ ଏହା ବିଶ୍ବର ଅନେକ ଦେଶକୁ ଚାଉଳ ରପ୍ତାନି କରୁଛି, କିନ୍ତୁ ଏ ପର୍ଯ୍ୟନ୍ତ ଚୀନ ବଜାରରେ ପ୍ରବେଶ କରିପାରିନାହିଁ।

ଚଳିତ ବର୍ଷ ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ ଗସ୍ତ ସମୟରେ ଚାଉଳ କାରବାରକୁ ନେଇ ଆଲୋଚନା ହୋଇଥିଲା। ସେହି ସମୟରେ ଏନେଇ ଏକ ବୁଝାମଣା ହୋଇଥିଲା। ତାହାକୁ ନଜରରେ ରଖି ଚୀନ୍ ଏହାର ବଜାରକୁ ଭାରତୀୟ ଚାଉଳ ପାଇଁ ଉନ୍ମୁକ୍ତ କରୁ ବୋଲି ଭାରତ ଚାହୁଁଛି। ସାଂଘାଇ ସହଯୋଗ ସମିତିର ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉପସ୍ଥିତିରେ ଅଣ ବାସୁମତି ଚାଉଳର ରପ୍ତାନି ପାଇଁ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଏହା ପରେ ଚୀନର ଏକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଥିଲେ ଓ ବିଭିନ୍ନ ରାଇସ ମିଲ ପରିଦର୍ଶନ କରି ଚାଉଳର ମାନ ଯାଞ୍ଚ କରିଥିଲେ। ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଚାଉଳ ରପ୍ତାନି ପାଇଁ ଗତ ସପ୍ତାହରେ ଚୀନ ସରକାରଙ୍କ ପକ୍ଷରୁ ୨୪ଟି ଭାରତୀୟ ରାଇସ୍ ମିଲକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହାପରେ ଏହି ରାଇସ ମିଲ ଗୁଡ଼ିକ ମଧ୍ୟରୁ ୬ଟି ରାଇସ୍ ମିଲକୁ ନେଇ ଏକ ବି୨ବି ବୈଠକ ଆୟୋଜନ କରାଯାଇଥିଲା। ସେଥିରେ ଚୀନର ୪୪ ଜଣ ଆମଦାନିକାରୀ ସାମିଲ ହୋଇଥିଲେ। ଭାରତୀୟ ଦୂତାବାସ ସହେସଯାଗରେ ଚୀନ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଏହି ବୈଠକ ଆୟୋଜନ କରାଯାଇଥିଲା। ଯେହେତୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ ହୋଇଯାଇଛି, ତେଣୁ ଖୁବଶୀଘ୍ର ଭାରତୀୟ ଚାଉଳ ଚୀନରେ ପହଂଚିବ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ଭାରତ ଓ ଚୀନ ଏସିଆର ଦୁଇ ବଡ଼ ଆର୍ଥିକ ମହାଶକ୍ତି ହୋଇଥିଲେ ମଧ୍ୟ ବାଣିଜ୍ୟ କାରବାର ଦୃଷ୍ଟିରୁ ଉଭୟ ରାଷ୍ଟ୍ର ପରସ୍ପର ପାଇଁ ଆଜି ପର୍ଯ୍ୟନ୍ତ ଉନ୍ମୁକ୍ତ ହୋଇପାରିନାହିଁ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ମଧ୍ୟ ଉଚ୍ଚ ସ୍ତରରେ ରହିଛି।