ପର୍ବତ ଦୋହଲାଇବା ସହଜ ହେଲେ ଚୀନ ସେନାକୁ ନୁହେଁ ! ଭାରତକୁ ନାଲିଆଖି ଦେଖାଇଲା ଡ୍ରାଗନ୍

74

ଚାଇନାର ପ୍ରତିରକ୍ଷା ମନ୍ତ୍ରଣାଳୟ ପୁଣି ଭାରତକୁ ନାଲିଆଖି ଦେଖାଇଛି । ନିଜ ସୀମା ଓ ସାର୍ବଭୌମତ୍ୱ ବଜାୟ ରଖିବାକୁ ଚୀନ୍ ସେନାର ଦକ୍ଷତା ଓ ପାରିବା ପଣିଆକୁ ନେଇ ପ୍ରଶ୍ନ କରିବା କିମ୍ବା ଦ୍ୱନ୍ଦ୍ୱରେ ରହିବାକୁ ଭାରତକୁ ମନା କରିଛି ଏହି ପଡୋଶୀ ରାଷ୍ଟ୍ର । ଅର୍ଥାତ୍ ପରୋକ୍ଷରେ ଚେତାଇ ଦେବାକୁ ଚାହିଁଛି ଯେ, ଚୀନ୍ ସେନାର ଦକ୍ଷତା ପ୍ରତି ଭାରତ ପ୍ରଶ୍ନବାଚୀ ସୃଷ୍ଟିନ’କରୁ । ନଚେତ ପରିସ୍ଥିତି ବିଗିଡିବ । ଏହାର ଅଧାରରେ ଭାରତକୁ ଯୁଦ୍ଧର ଧମକ ଦେବାକୁ ମଧ୍ୟ ପଛାଇନାହିଁ ଚୀନ୍ ।

ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ପର୍ବତକୁ ଦୋହଲାଇବା ସହଜ ହେଲେ ପିପୁଲ୍ସ ଲିବରେସନ୍ ଆର୍ମି ବା ପିଏଲଏକୁ ହଲାଇବା କଷ୍ଟକର । ନିଜ ଦେଶର ସାର୍ବଭୌମତ୍ୱ ବଜାୟ ରଖିବାକୁ ଚୀନ୍ ସେନା ସଂପୂର୍ଣ୍ଣ ସକ୍ଷମ ଓ ସର୍ବଦା ସେନାର ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଡ୍ରାଗନ୍ କହିଛି । ସିକ୍କିମର ଡୋକଲାମ ଅଂଳରେ ଭାରତ ଓ ଚୀନ୍ ମଧ୍ୟରେ ବଢୁଥିବା ଟେନସନ୍ ଦୃଷ୍ଟିକୋଣରୁ ଏହି ବୟାନ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି । ଚୀନ୍ ସରକାର ପରେ ଏବେ ଚୀନ୍ ସେନା ଭାରତକୁ ନାଲିଆଖି ଦେଖାଇବାକୁ ଆଗକୁ ଆସିଛି ।

ଚୀନ୍ ସେନା ପକ୍ଷରୁ ଦିଆଯାଇଥିବା ବୟାନ ଅନୁସାରେ, ଡୋକଲାମ୍ ଅଂଚଳରୁ ଭାରତୀୟ ସେନା ପଛକୁ ହଟିଯାଉ, ନଚେତ୍ ଚାଇନା ନିଜ ସେନା ସଂଖ୍ୟା ଆହୁରି ବୃଦ୍ଧି କରିବ । ୧ ଅଗଷ୍ଟରେ ପିଏଲଏକୁ ପୁରିବ ୯୦ ବର୍ଷ । ଆଉ ଏହା ପୁର୍ବରୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛି ଚୀନ୍ ସେନା । ଗତ ୯୦ ବର୍ଷ ଧରି ନିଜ ସୀମାର ରକ୍ଷା କରିବାକୁ ପିଏଲଏ ସକ୍ଷମ ଆଉ ଆଗକୁ ମଧ୍ୟ ଏଦିଗରେ କାର୍ଯ୍ୟ ଜାରି ରଖିବ ବୋଲି ସେନା ମୁଖପାତ୍ର କହିଛନ୍ତି ।

ଗତ ଜୁନ୍ ମଧ୍ୟ ଭାଗରେ ନିଜ ସୀମା ମଧ୍ୟରେ ଅର୍ଥାତ୍ ଡୋଙ୍ଗଲଙ୍ଗ ଅଂଚଳରେ ଚୀନ୍ ସେନା ଏକ ସଡକ ନିର୍ମାଣ କରୁଥିବା ବେଳେ ଭାରତୀୟ ସେନା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରି ଚୀନ୍ ସେନାର କାମରେ ବାଧା ଆଣିଥିଲା । ତେଣୁ ବିବାଦୀୟ ଅଂଚଳରୁ ସେନା ଅପସାରି ନେବାକୁ ଭାରତକୁ ପରାମର୍ଶ ଦେଇଛି ଚୀନ୍ । ଏହି ସମୟରେ ଭାରତ ବୟାନ୍ ଜରି କରି କହିଥିଲା, ସୀମାରେ ଚାଇନା ନିର୍ମାଣ କରୁଥିବା ଏହି ରାସ୍ତାର ଗୁରୁତର ପ୍ରଭାବ ରହିଛି । ହେଲେ ଏହି ସମୟରେ ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା କିଛି ବୟାନ୍ ବିବାଦକୁ ଆହୁରି ଆଗକୁ ନେଇଥିଲା ।

ଚୀନ୍ ମିଡିଆରେ ପୂର୍ବରୁ ପ୍ରକାଶ ପାଇଥିବା ଖବର ଅନୁସାରେ, ଡୋକଲାମ ବିବାଦକୁ ନେଇ ଯୁଦ୍ଧ କରିବା ପାଇଁ ଚୀନ୍ ପଛଘୁଂଚା ଦେବନାହିଁ ଏବଂ ଯଦି ଏପରି ହୁଏ ତେବେ ଭାରତକୁ ଏହାର ପରିମାଣ ଭୋଗିବାକୁ ପଡିପାରେ । ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଆହୁରି ମଧ୍ୟ ପ୍ରକାଶ କରିଥିଲା, ୧୯୬୨ ଯୁଦ୍ଧ ପରେ ଚୀନକୁ କ୍ରମାଗତ ଭାବେ ଭାରତ ଉସୁକାଉଛି । ଏପରିକି ସୀମାରେ ଚୀନର ସେନା ଯୁଦ୍ଧାଭ୍ୟାସ କରୁଥିବାରୁ ଭିଡିଓ ମଧ୍ୟ ପ୍ରକାଶ କରିଥିଲା ଗ୍ଲୋବାଲ ଟାଇମ୍ସ ।

ସେହିପରି ସୀମାରେ ପରିସ୍ଥିତି, ସମ୍ଭାବ୍ୟ ଯୁଦ୍ଧ ଓ ସେନା ମୁତୟନ ନେଇ ଜେଟଲୀ କହିଥିଲେ, ୧୯୬୨ର ଭାରତ ଓ ବର୍ତ୍ତମାନର ଭାରତ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । ଯାହାର ଜବାବରେ ଭାରତକୁ ନାଲି ଆଖି ଦେଖାଇ ଚୀନ୍ କହିଥିଲା, ନିଜ ସୀମା ସୁରକ୍ଷା ପାଇଁ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ । ୧୮୯୦ ସିନୋ ବ୍ରିଟିଶ ଚୁକ୍ତି ଅନୁଯାୟୀ ଭାରତ-ଚୀନ୍ ମଧ୍ୟରେ ସିକ୍କିମ ଠାରେ ସୀମା ନିୟନ୍ତ୍ରଣ କରାଯାଇଥିଲା ଏବଂ ଭାରତ ଏହି ଚୁକ୍ତିକୁ ସମ୍ମାନ ଜଣାଉ । ଏହାସହ ଡୋକଲାମରେ ପ୍ରବେଶ କରିବା ପାଇଁ ଭୁଟାନକୁ କଭର ଅପ୍ ଭାବେ ଭାରତ ବ୍ୟବହାର କରୁଛି ବୋଲି ଚୀନ୍ ଅଭିଯୋଗ କରିଥିଲା ।

ତେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କଡା ପ୍ରତିକ୍ରିୟା ରଖି କହିଥିଲେ, ଚୀନର ମୁକାବିଲା ପାଇଁ ଭାରତ ସଂପୂର୍ଣ ରୂପେ ସକ୍ଷମ । ଚୀନ, ଡୋକଲାମ ଟ୍ରାଇ ଜଙ୍କସନ ଶେଷ ହେଉଥିବା କ୍ଷେତ୍ରର ସ୍ଥିତି ବଦଳାଇବା ପାଇଁ ପ୍ରୟାସ କରୁଛି । ରାସ୍ତାର ମରାମତି ଇତ୍ୟାଦି କାମ କରି ଏହି କ୍ଷେତ୍ରରେ ଆଧିପତ୍ୟ ବିସ୍ତାର ପାଇଁ ଚୀନ୍ ଉଦ୍ୟମ କରୁଛି । ଯାହାକି ଭାରତ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ଫଳରେ ଭାରତୀୟ ସେନା ଏହାର ବିରୋଧ କରିବାରୁ ଚୀନ୍ ବାରମ୍ବାର ପରିଣାମ ଭୋଗିବାକୁ ଧମକ ଦେଉଛି ।

ଯଦି ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୁଏ ତେବେ ଏହାର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ସକ୍ଷମ ବୋଲି ପୂର୍ବରୁ ଦୃଢୋକ୍ତି ପ୍ରକାଶ କରିଥିଲେ ସୁଷମା । ଡୋକଲାମ କ୍ଷେତ୍ରରୁ ସେନା ପ୍ରତ୍ୟାହାର ପାଇଁ ମଧ୍ୟ ଭାରତ ଉପରେ ଚାପ ସୃଷ୍ଟି କରୁଛି ଚୀନ୍ । କିନ୍ତୁ ଚୀନର କାର୍ଯ୍ୟକଳାପକୁ ବିରୋଧ କରିବା ପାଇଁ ନିୟମ ଓ ଆଇନ ଭାରତ ସପକ୍ଷରେ ଅଛି । ତେଣୁ ଚୀନ ଯଦି ସୀମାରୁ ସେନା ପ୍ରତ୍ୟାହାର କରେ ତେବେ ଆମେ ମଧ୍ୟ ସେନା ଫେରାଇ ଆଣିବୁ ବୋଲି କହିଥିଲେ ବୈଦେଶିକ ମନ୍ତ୍ରୀ ।

ତେବେ ଏହା ଭିତରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ବୟାନବାଜି ଆଉ ପରସ୍ପରକୁ ନାଲି ଆଖି ଦେଖାଇବା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଉଭୟ ଦେଶର କୁଟନୈତିକ ବିଶେଷଜ୍ଞ ସ୍ଥିତିକୁ ସାମାନ୍ୟ କରିବାକୁ ଉଦ୍ୟମ କରୁଥିବା ବେଳେ ଏଭଳି ବୟାନବାଜି ସ୍ଥିତିକୁ ଜଟିଳ କରୁଥିବା ଅନୁମାନ କରାଯାଉଛି ।