ଭାରତକୁ ଚେତାବନୀ ଦେଲା ଚୀନ । ସାମରିକ ପ୍ରକଳ୍ପ କାର୍ଯ୍ୟକାରୀ କଲେ ଏହାର ପରିଣାମ ଭୋଗିବ ଭାରତ ।

26

ଭାରତ ଇଣ୍ଡୋନେସିଆ ସହ ମିଶି ମଲାକ୍କା ପ୍ରଣାଳୀ ନିକଟରେ ଏକ ସାମରିକ ଘାଟି ନିର୍ମାଣ କରିବା ପାଇଁ ଉଦ୍ୟମ କରୁଛି । କିନ୍ତୁ ସ୍ୱାଭାବିକ ଭାବେ ଚୀନ ଏହାକୁ ବିରୋଧ କରିବା ଆରମ୍ଭ କରିଛି । ଦକ୍ଷିଣ ଚୀନ ସାଗରକୁ ଭାରତ ମହାସାଗର ସହ ଯୋଡୁଥିବା ମଲାକ୍କା ପ୍ରଣାଳୀରେ ଭାରତ ପକ୍ଷରୁ କୌଣସି ସାମରିକ ପ୍ରକଳ୍ପ କାର୍ୟ୍ୟକାରୀ କରାଗଲେ ଚୀନ ମଧ୍ୟ ଚୁପ ହୋଇ ବସିବ ନାହିଁ ବୋଲି ଚୀନ ଚେତାବନୀ ଶୁଣାଇଛି ।

ଚୀନ ସରକାରଙ୍କ ନିୟନ୍ତ୍ରିତ ଖବର କାଗଜ ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି ଯେ ଇଣ୍ଡୋନେସିଆର ସବାଙ୍ଗରେ ଭାରତ ସାମରିକ ପ୍ରକଳ୍ପ କାର୍ୟ୍ୟକାରୀ କଲେ ସିଧାସଳଖ ଚୀନ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ । ଏହା ଦ୍ୱାରା ଭାରତ ନିଜେ ନିଜର କ୍ଷତି କରିବ । ଭାରତ ନିଜେ ନିଜର ଗୋଡ଼ରେ କୁରାଢି ମାରିବା ପରି ହେବ । ଭାରତ ଦକ୍ଷିଣ-ପୂର୍ବ ଏସିଆର ବନ୍ଦର ଗୁଡ଼ିକରେ ପୁଞ୍ଜିନିବେଶ କଲେ ଆମେ ତାହାକୁ ସ୍ୱାଗତ କରିବୁ, କିନ୍ତୁ ଉକ୍ତ ବନ୍ଦରଗୁଡ଼ିକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କଲେ ଚୀନ ଚାହାର ସିଧାସଳଖ ବିରୋଧ କରିବ ଓ ତାହା ଭାରତ ପାଇଁ ଶୁଭଙ୍କର ହେବ ନାହିଁ ।

ନିକଟରେ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ସାବାଙ୍ଗ ବନ୍ଦରର ବିକାଶ ପାଇଁ ରାଜିନାମା କରିଥିଲେ । ଏହି ସାବାଙ୍ଗ ବନ୍ଦରଟି ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମଲାକ୍କା ପ୍ରଣାଳୀ ବା ମଲାକ୍କା ଷ୍ଟ୍ରେଟ ନିକଟରେ ଅବସ୍ଥିତ । ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗର ମଧ୍ୟରେ ଏକ ପ୍ରମୁଖ ପ୍ରବେଶ ପଥ ହେଲା ଏହି ମଲାକ୍କା ଷ୍ଟ୍ରେଟ୍ । କେବଳ ଚୀନ ନୁହେଁ ଜାପାନ, କୋରିଆ, ମାଲେସିଆ ଆଦି ଦେଶର ତୈଳବାହୀ ଓ ଅନ୍ୟାନ୍ୟ ସାମଗ୍ରୀ ଥିବା ଜାହାଜ ଏହି ବାଟ ଦେଇ ଯିବାଆସିବା କରନ୍ତି । କିନ୍ତୁ ଭାରତ ମହାସାଗରରେ ଚୀନର ପତିଆରା ବଢୁଥିବାରୁ ନିଜ ଜଳ ସୀମାର ରକ୍ଷା ପାଇଁ ଭାରତ ଏସବୁ ପଦକ୍ଷେପ ନେଉଛି । ଥାଇଲାଣ୍ଡ, ଇଣ୍ଡୋନେସିଆର ସୁମାତ୍ରା ମଧ୍ୟରେ ଥିବା ଷ୍ଟ୍ରେଟ୍ ଅଫ ମଲାକ୍କା ଦେଇ ଚୀନର ଯୁଦ୍ଧ ଜାହାଜ ବାରମ୍ବାର ଭାରତ ମହାସାଗରରେ ପ୍ରବେଶ କରୁଛି । ଏହାକୁ ଦେଖି ଭାରତ ଓ ଇଣ୍ଡୋନେସିଆ ଏପରି ସାମରିକ ଭାଗିଦାରୀ କରୁଛନ୍ତି ।