ଚୀନ ଦେଲା ଖୋଲା ଖୋଲି ଧମକ ! କାହାରିକୁ ଛଡାଯିବନି ଇଞ୍ଚେ ଜମି, ଦରକାର ହେଲେ ବେଜିଂ ଖେଳିବ ରକ୍ତର ଖେଳ ।

26

ଚୀନ ରାଷ୍ଟ୍ରପତି ପଦ ମିଳିବା ପରେ ନ୍ୟାସନାଲ ପିପୁଲ୍ସ କଂଗ୍ରେସରେ ପ୍ରଥମ ଭାଷଣ ଦେଲେ ଜିନପିଙ୍ଗ୍ । ଏହି ଅବସରରେ ଚୀନ ସାର୍ବଭୌମତ୍ୱକୁ ଚାଲେଂଜ୍ କରୁଥିବା ତତ୍ୱ ଗୁଡ଼ିକୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଜିନପିଙ୍ଗ୍ ଘୋଷଣା କରିଛନ୍ତି । ବିଶ୍ୱରେ ଉଚିତ ସ୍ଥାନ ପାଇବାକୁ ରକ୍ତର ଖେଳ ଖେଳିବାକୁ ମଧ୍ୟ ଚୀନ ପଛାଇବ ନାହିଁ ବୋଲି ସେ କହିଛନ୍ତି । ପୂର୍ବରୁ ଜିନପିଙ୍ଗଙ୍କ ପାଇଁ ଚୀନ ସଂସଦ ସମ୍ବିଧାନ ସଂଶୋଧନ କରିଥିଲା ।

କାହାରିକୁ ଇଂଚେ ଜମି ଛାଡ଼ିବ ନାହିଁ ଚୀନ । ଦରକାର ହେଲେ ଖୁନୀ ଖେଳ ଖେଳିବ ବେଜିଂ । କିଛି ଏଭଳି ଶବ୍ଦରେ ଚୀନ ସାର୍ବଭୌମତ୍ୱକୁ ଚାଲେଂଜ୍ କରୁଥିବା ତତ୍ୱଗୁଡ଼ିକୁ କଡ଼ା ଚେତବନୀ ଦେଇଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ୍ । ନ୍ୟାସନାଲ ପିପୁଲ୍ସ କଂଗ୍ରେସରେ ନିଜର ପ୍ରଥମ ଅଭିଭାଷଣରେ ଜିନପିଙ୍ଗ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି । ଆମେରିକା ଓ ଭାରତକୁ ଟାର୍ଗେଟ୍କରି ସେ କହିଛନ୍ତି, ଚୀନ କୌଣସିଦେଶ ବିରୁଦ୍ଧରେ ବିସ୍ତାରବାଦୀ ନୀତି ଆପଣାଇବନାହିଁ । ତାଇୱାନକୁ ନିଜର ଅଂଚଳ ଭାବୁଥିବା ଚୀନ କାହାରିକୁ ଇଂଚେ ଜମି ଛାଡ଼ିବ ନାହିଁ ବୋଲି ରାଷ୍ଟ୍ରପତି ଜିନପିଙ୍ଗଙ୍କ ଜରିଆରେ କଡ଼ା ବାର୍ତା ଦେଇଛି ।

ଜିନପିଙ୍ଗଙ୍କୁ ଆଜୀବନ ରାଷ୍ଟ୍ରପତି ଭାବେ ଅବସ୍ଥାପିତ କରିବାକୁ ଚୀନ ସଂସଦରେ ହୋଇସାରିଛି ସମ୍ବିଧାନ ସଂଶୋଧନ ଓ ଜିନପିଙ୍ଗ୍ ନେଇସାରିଛନ୍ତି ପଦ ଗୋପନୀୟତାର ଶପଥ । ଏହାପରେ ନିଜ ପ୍ରଥମ ଅଭିଭାଷଣରେ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇ ଜିନପିଙ୍ଗ୍ ନିଜ ପ୍ରତିବେଶୀ ଦେଶଗୁଡ଼ିକୁ ଆହ୍ୱାନ ଦେଇଛନ୍ତି । ମହାସାଗରୀୟ କ୍ଷେତ୍ରରେ ଚୀନର ଆଧିପତ୍ୟକୁ ବିରୋଧ କରୁଥିବାରୁ ଏହା ଆମେରିକା ପାଇଁ ବି ଏକ ଆହ୍ୱାନ ।

ସହଯୋଗୀ ନର୍ଥ କୋରିଆ ସହ ମଧ୍ୟ ଚୀନର ରହିଛି ସୀମା ବିବାଦ । ୧୪୧୬ କିମି ବିଶିଷ୍ଟ ନର୍ଥ କୋରିଆ – ଚୀନ ସୀମା ଅଧିକାଂଶ ସ୍ଥାନରେ ବିବାଦୀୟ । ସେହିପରି ରୁଷିଆ – ଚୀନ ସୀମା ୪୩୦୦ କିମି ବିଶିଷ୍ଟ ଥିବା ବେଳେ ଜେଂବାଓର ମାଲିକାନାକୁ ନେଇ ୨ ଦେଶରେ ବିବାଦ ଲାଗିରହିଛି । ଚୀନ-ଭିଏତନାମ ସୀମା ୧୩୦୦ କିମି ବିଶିଷ୍ଟ ହୋଇଥିବା ବେଳେ ବିବାଦ ଶୀତଳ ଯୁଦ୍ଧ ସମୟରୁ ଲାଗି ରହିଛି । ସ୍ଥଳଭାଗ ବ୍ୟତୀତ ଜଳଭାଗରେ ମଧ୍ୟ ଚୀନର ବିବାଦ ରହିଛି ଜାପାନ, ସାଉଥ୍ କୋରିଆ, ଫିଲିପାଇନ୍ସ ଓ ଭିଏତନାମ ସହ । ବିସ୍ତାରବାଦୀ ନୀତିକୁ ଆଧାର କରି ଚୀନ ସବୁବେଳେ ଅନ୍ୟ ଦେଶର ସାର୍ବଭୌମତ୍ୱକୁ ଆହ୍ୱାନ କରିଛି ଯାହାର ଡୋକଲାମ ଏକ ଉଦାହରଣ । ଏବେ ଚୀନ ପୁଣି ସାର୍ବଭୌମତ୍ୱ ଆଳରେ ବିଶ୍ୱକୁ ଦେଇଛି ଧମକ ।