ଚୀନର ପାକିସ୍ତାନ ପ୍ରୀତି ! ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ପାକିସ୍ତାନ ଆତଙ୍କବାଦୀ ପ୍ରସଙ୍ଗ ଉଠାଇବାକୁ ଭାରତକୁ ବାରଣ କଲା ଚୀନ

30

କନକ ବ୍ୟୁରୋ : ପୁଣି ପାକିସ୍ତାନ ପ୍ରୀତି ଦେଖାଇଲା ଚୀନ୍ । ବ୍ରିକ୍ସ ସମ୍ମଳନୀ ପୂର୍ବରୁ ପାକିସ୍ତାନର ଆତଙ୍କବାଦୀ ପ୍ରସଙ୍ଗ ନଉଠାଇବାକୁ ଇସାରା କରିଛି ଚୀନ୍ । ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ପ୍ରେସ ବ୍ରିଫିଂରେ ଭାରତଙ୍କୁ ଆତଙ୍କବାଦୀ ପ୍ରସଙ୍ଗ ନଉଠାଇବା ନେଇ ପରୋକ୍ଷରେ କୁହାଯାଇଛି । ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁଇଙ୍ଗ୍ କହିଛନ୍ତି- ବ୍ରିକ୍ସ ସମ୍ମଳନୀ ପାଇଁ ଆତଙ୍କବାଦୀ ପ୍ରସଙ୍ଗ ଉପଯୁକ୍ତ ବିଷୟ ନୁହେଁ । ଯାହା ଉପରେ ଆଲୋଚନା ହେବ ।

ଏହି ପ୍ରସଙ୍ଗ ଉଠାଇଥିଲେ ବ୍ରିକ୍ସ ସମ୍ମଳନୀ ପ୍ରକୃତ ଉଦ୍ଦେଶ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ବ୍ରିକ୍ସ ସମ୍ମଳନୀ ପ୍ରତି ବିଶ୍ୱ ସମୁଦାୟର ଏକ ନଜର ରହିଛି । ତେଣୁ ଉଚିତ ଯୋଗଦାନ ଦେଇ ପ୍ରତିନିଧି ରାଷ୍ଟ୍ରଗୁଡ଼ିକ ଏହି ସମ୍ମିଳନୀର ସଫତଳା ନେଇ ପ୍ରୟାସ କରିବା ଆବଶ୍ୟକ । ପାକିସ୍ତାନ ଦ୍ୱାରା ସୃଷ୍ଟି ହେଉଥିବା ଆତଙ୍କବାଦ ନେଇ ଭାରତ କଡା ଅଭିମୁଖ୍ୟ ଗ୍ରହଣ କରୁଥିବା ବେଳେ ଆମେରିକା ମଧ୍ୟ ପାକିସ୍ତାନକୁ ଉଚିତ ଶିକ୍ଷା ଦେଇଛି ।

ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ ନକଲେ ପାକିସ୍ତାନକୁ ଦିଆଯାଉଥିବା ଆର୍ଥିକ ସହାୟତା ବନ୍ଦ କରିବା ନେଇ ଟ୍ରମ୍ପ ସରକାର ଚେତାବନୀ ଦେଇଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ରିକ୍ସ ସମ୍ମିଳନୀର ପ୍ରମୁଖ ଏଜେଂଡା ଭିତରେ ରହିଛି ଆତଙ୍କବାଦ ବିରୋଧରେ ପ୍ରତିନିଧି ରାଷ୍ଟ୍ରମାନେ ପରସ୍ପରକୁ ସହଯୋଗ କରିବେ । କିନ୍ତୁ ଠିକ୍ ସମ୍ମିଳନୀ ପୂର୍ବରୁ ଚୀନ୍ର ଏହି ପାକିସ୍ତାନ ପ୍ରୀତି ପ୍ରତିନିଧି ରାଷ୍ଟ୍ରଙ୍କୁ ଏକ ପ୍ରକାର ଅଡୁଆ ସ୍ଥିତିରେ ପକାଇଦେଇଛି । ଏପଟେ ଆସନ୍ତା ୩ ତାରିଖରେ ଚୀନ୍ର ଜିଆମେନ୍ ସହରରେ ଅନୁଷ୍ଠିତ ହେଉଛି ବ୍ରିକ୍ସ ସମ୍ମଳନୀ । ଯେଉଁରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଉଛନ୍ତି । ତେବେ ଦେଖିବାର କଥା ଚୀନର ଏହି ଇସାରାକୁ କେମିତି ଗ୍ରହଣ କରୁଛି ଭାରତ ।