ସିକ୍କିମ୍ ଓ ଉତ୍ତରାଖଣ୍ଡ ପରେ ଏବେ ହିମାଚଳ ପ୍ରଦେଶରେ ବି ଦାଦାଗିରି ଦେଖାଇଲା ଚୀନ୍

82

କନକ ବ୍ୟୁରୋ: ସିକ୍କିମ୍ ଓ ଉତ୍ତରାଖଣ୍ଡ ପରେ ହିମାଚଳ ପ୍ରଦେଶରେ ବି ଦାଦାଗିରି ଦେଖାଇଛି ଚୀନ୍ । ହିମାଚଳ ପ୍ରଦେଶର କିନ୍ନୋର ସୀମା ଅଞ୍ଚଳରେ ଚୀନ୍ ପକ୍ଷରୁ ଜବରଦସ୍ତି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେଠାକୁ ଚୀନ୍ ସେନାର ହେଲିକପ୍ଟର ବାରମ୍ବାର ଆସୁଥିବା ଓ ବଡ଼ବଡ଼ ମେସିନମାନ ଅଣାଯାଇ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି ।

ହିମାଚଳ ପ୍ରଦେଶର ସହ ଚୀନର ୨୬୦ କିମି ବ୍ୟାପୀ ଅନ୍ତର୍ଜାତୀୟ ସୀମାନ୍ତ ରହିଛି । ସେଠାରେ ଇଣ୍ଡୋ-ତିବ୍ଦତ ସୀମାନ୍ତ ପୁଲିସ (ଆଇଟିବିପି) ର ୩ ବାଟାଲିୟନ ମୁତୟନ ରହି ଭାରତୀୟ ସୀମାକୁ ସୁରକ୍ଷିତ ରଖିଛନ୍ତି । ଡୋକଲାମ ବିବାଦ ପୂର୍ବରୁ ଏଠାରେ ଚୀନ୍ ସେନାର ଆଦୌ କୌଣସି କାର୍ଯ୍ୟକଳାପ ନଥିବାବେଳେ ଏବେ ଅତ୍ୟନ୍ତ ଦୁର୍ଗମ କିନ୍ନୋର, ଲାହୋଲ ଓ ସ୍ପିତି ଅଞ୍ଚଳ ସୀମାରେ ଚୀନ୍ ସେନା ଚଳଚଞ୍ଚଳ ରହିଥିବା ଓ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ସ୍ଥାନୀୟ ଅଧିବାସୀମାନେ କହିଛନ୍ତି । ରାଜ୍ୟର ଶେଷ ଗ୍ରାମ କୌରିକସ୍ଥିତ ଭାରତୀୟ ସୀମାଠାରୁ ୫ କିମି ଦୂରରେ ଚୀନ୍ ସେନା ରାସ୍ତା ନିର୍ମାଣ କରୁଥିବା ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ।

ଗତ ଜୁଲାଇ ୨୫ ତାରିଖ ସକାଳ ୯ଟାବେଳେ ଦଳେ ଚୀନ୍ ସୈନ୍ୟ ଉତ୍ତରାଖଣ୍ଡର ବାରାହୋଟିଠାରେ ସୀମା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ । ସେମାନେ ଭାରତୀୟ ଅଞ୍ଚଳ ଭିତରକୁ ୮୦୦ରୁ ୧୦୦୦ ମିଟର ପର୍ଯ୍ୟନ୍ତ ଯାଇ କିଛି ସମୟ ରହିବା ପରେ ଚୀନ୍ ସୀମାକୁ ଫେରି ଯାଇଥିଲେ ।

ଏହା ପୂର୍ବରୁ ଗତବର୍ଷ ଜୁଲାଇ ମାସରେ ଚୀନ୍ ସେନା ଉତ୍ତରାଖଣ୍ଡର ବାରହୋଲିଠାରେ ଭାରତର ୨୦୦ ମିଟର ମଧ୍ୟକୁ ଅନୁପ୍ରବେଶ କରିଥିଲେ ଗତ ୨୫ ତାରିଖର ଅନୁପ୍ରବେଶ ନେଇ ଭାରତ ସରକାର ଚୀନ୍ ପ୍ରତିପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଘଟଣାର ପ୍ରତିବାଦ କରିଛନ୍ତି । ଏହା ପୂର୍ବରୁ ସିକ୍କିମର ଡୋକଲାମଠାରେ ମଧ୍ୟ ଦୁଇ ଦେଶର ସୈନ୍ୟ ଧସ୍ତାଧସ୍ତି ହେବା କଥା ଚର୍ଚ୍ଚାର ବିଷୟ ହୋଇଥିଲା ।