୮ ଦିନ ମଧ୍ୟରେ ପୃଥିବୀରେ ବାଡେଇ ହୋଇପାରେ ଚୀନର ‘ସିଆଙ୍ଗଙ୍ଗ-୧’ ! ସୃଷ୍ଟି ହୋଇପାରେ ସାଂଘାତିକ ପରିସ୍ଥିତି, ୨ ବର୍ଷ ପୂର୍ବରୁ ଚୀନ ବୈଜ୍ଞାନିକ ହରାଇଛନ୍ତି ନିୟନ୍ତ୍ରଣ

68

ଆଗାମୀ ଏକ ସପ୍ତାହ ମଧ୍ୟରେ ମହାକାଶରେ ଥିବା ଚୀନର ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ସିଆଙ୍ଗଙ୍ଗ-୧ ପୃଥିବୀ ଉପରେ ଖସିପାରେ । ନଚେତ ବାୟୁମଣ୍ଡଳରେ ନଷ୍ଟ ହୋଇଯାଇପାରେ ବୋଲି ବୈଜ୍ଞାନିକ ମାନେ ଅନୁମାନ କରୁଛନ୍ତି । ମାର୍ଚ୍ଚ ୩୧ରୁ ଏପ୍ରିଲ ୪ ମଧ୍ୟରେ ଏହି ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ପୃଥିବୀ ସହିତ ମାଡ ହେବାର ସମ୍ଭାବନା ରହିଛି । ଚୀନ ପକ୍ଷରୁ କୁହାଯାଇଛି ଯେ, ସିଆଙ୍ଗଙ୍ଗ-୧ ସହ ମାର୍ଚ୍ଚ ୧୬ ପରଠାରୁ କୌଣସି ତଥ୍ୟ ପଠାଇନାହିଁ । ତେଣୁ ଏହା କୌଣସି ମୁହୂତ୍ତରେ ବି ନଷ୍ଟ ହୋଇପାରେ ।

ଏହାପୂର୍ବରୁ ସିଆଙ୍ଗଙ୍ଗ-୧ ଉପରୁ ଚୀନ ବୈଜ୍ଞାନିକ ମାନେ ପ୍ରାୟ ୨ ବର୍ଷ ହେବ ନିୟନ୍ତ୍ରଣ ହରାଇଥିଲେ । ତେବେ ଏହା ପୃଥିବୀ ପୃଷ୍ଠରେ କେଉଁଠି ମାଡ଼ କରିବ ତାହା ସ୍ପଷ୍ଟ ହୋଇ ନ ଥିବାରୁ ବୈଜ୍ଞାନିକମାନଙ୍କ ମଧ୍ୟରେ ଏହାକୁ ନେଇ ବିଭିନ୍ନ ଆଶଙ୍କା ପ୍ରକାଶ ପାଇଛି। ୮ ଟନ୍ ଓଜନ୍ ବିଶିଷ୍ଠ ଏହି ଗବେଷଣା କେନ୍ଦ୍ରରେ ପ୍ରଚୁର ପରିମାଣର ରାସାୟନିକ ପଦାର୍ଥ ସହିତ ଦହନଶୀଳ ହାଇଡ୍ରୋଜେନ୍ ଗ୍ୟାସ ଥିବାରୁ ଏହା ପୃଥିବୀ ପୃଷ୍ଠରେ ପଡ଼ିବା ପରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଜର୍ମାନୀର ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ‘ସିଆଙ୍ଗଙ୍ଗ-୧ ’ସମ୍ଭବତଃ ୪୩ ଡିଗ୍ରି ଉତ୍ତର ଓ ୪୩ ଡିଗ୍ରି ଦକ୍ଷିଣ ଅକ୍ଷାଂଶରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ। ଫଳରେ ଏହା ଯେ କୌଣସି ୟୁରୋପୀୟ ଦେଶରେ ଖସିପଡ଼ିପାରେ ବୋଲି ଆାଶଙ୍କା କରାଯାଉଛି। ଅପରପକ୍ଷେ , ପୃଥିବୀର ୭୦ ଭାଗ ଜଳ ଥିବାରୁ, ଏହା କୌଣସି ମହାସାଗରରେ ଖସି ପଡ଼ିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।

୧୨ ମିଟର ଲମ୍ବ ଓ ୩.୩ ମିଟର ପରିଧି ବିଶିଷ୍ଠ ୮ଟନ୍ ଓଜନର ‘ସିଆଙ୍ଗଙ୍ଗ-୧ ’ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଏହା ଖଣ୍ଡ ଖଣ୍ଡ ହୋଇ ଜଳିଯିବ ବୋଲି କେତେକ ବୈଜ୍ଞାନିକ କହୁଥିବା ବେଳେ ତଥାପି ସମଗ୍ର ‘ସିଆଙ୍ଗଙ୍ଗ-୧ ’ସମ୍ପୂର୍ଣ୍ଣଭାବେ ନ ଜଳି ଏକ ବଡ଼ ଖଣ୍ଡ ପୃଥିବୀରେ ବାଡ଼େଇ ହୋଇପାରେ ବୋଲି ଅନ୍ୟ କେତେକ ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି।