ଧାମରା ବନ୍ଦରରେ ଲାଗିଲା ଚୀନ୍ ଜାହାଜ । କରୋନା ଭୟ ଯୋଗୁଁ ଜାହାଜକୁ ନେଇ ବନ୍ଦର କର୍ମଚାରୀଙ୍କ ବିରୋଧ, ସେପଟେ ଚୀନରୁ ଫେରିଲେ ଓଡିଆ ଦମ୍ପତ୍ତି ।

369

କନକ ବ୍ୟୁରୋ : ଚୀନରେ କରୋନା ଭୂତାଣୁ ୨୧ ଶହରୁ ଅଧିକ ଜୀବନ ନେଲାଣି । ଏଭଳି ସ୍ଥିତିରେ କିନ୍ତୁ ବର୍ତିଯାଇଛନ୍ତି ଜୟପୁରର ଏକ ଦମ୍ପତି । ଚୀନରେ ରହୁଥିବା ଏହି ଦମ୍ପତି ଗତ ଜାନୁଆରୀରେ ଛୁଟିରେ ଗାଁକୁ ଆସିଥିଲେ । ଆଉ ଜୟପୁରରେ ଥାଇ ଜାଣିପାରିଥିଲେ କରୋନା ଭୂତାଣୁର ଭୟାବହତା ସମ୍ପର୍କରେ । ଏହାରି ଭିତରେ ଧାମରା ବନ୍ଦରରେ ଲାଗିଛି ଚୀନ୍ ଜାହାଜ । ଯାହା ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

ମାନସ ବକ୍ସି ଏବଂ ପ୍ରତିମା ସାହୁ । କରୋନାରୁ ବର୍ତ୍ତିଯାଇଛନ୍ତି ଜୟପୁରର ଏହି ଦମ୍ପତି । ଚୀନରେ ଭୟଙ୍କର ଭୂତାଣୁ ଆତଙ୍କ ଖେଳାଇଥିବା ବେଳେ ରକ୍ଷା ପାଇଯାଇଛନ୍ତି ମାନସ ଓ ପ୍ରତିମା । କାରଣ, କରୋନା କାୟା ବିସ୍ତାର କରିବା ସମୟରେ ସେମାନେ ଜୟପୁର ଫେରିଆସିଥିଲେ । ନୂଆବର୍ଷ ଛୁଟି ପାଇଁ ଉଭୟ ଜାନୁଆରୀ ୧୬ରେ କୋଲକାତା ଆସିଥିଲେ । ପରେ ବୁଲାବୁଲି ସାରି ଗତ ୨୧ ତାରିଖରେ ଗାଁକୁ ଫେରିଥିଲେ । ଆଉ, ଗାଁକୁ ଫେରିବା ପରେ ଜାଣିପାରିଥିଲେ ଚୀନରେ ଆତଙ୍କ ଖେଳାଇଛି କରୋନା ।

ମାନସ ଓ ପ୍ରତିମା ଚୀନର ସାମେନ ସିଟିରେ ରହନ୍ତି । ମାନସ ୩ ବର୍ଷ ହେଲା ଚୀନର ସ୍ୱାସ୍ଥ୍ୟ ବିଭାଗରେ ବୈଜ୍ଞାନିକ ଭାବେ କାମ କରୁଛନ୍ତି । ଗତ ୯ ତାରିଖରେ ଚୀନ୍ ଫେରିବା ପାଇଁ ଟିକେଟ୍ ହୋଇଥିଲା । ତେବେ କରୋନା ଯୋଗୁଁ ପ୍ରବାସୀ ଭାରତୀୟଙ୍କ ଚୀନ ଗସ୍ତ ଉପରେ ଭାରତ ସରକାର କଟକଣା ଲଗାଇଥିବାରୁ ଟିକେଟ୍ କ୍ୟାନସଲ କରି ପୁଣି ମାର୍ଚ୍ଚ ୮ ତାରିଖ ପାଇଁ ଟିକେଟ୍ କରିଛନ୍ତି ।

ଜାପାନ ଜାହାଜରେ ଫଶିଛନ୍ତି ଓଡ଼ିଆ ଯନ୍ତ୍ରୀ । ଭାଇର ଶୁଭ ମନାସି ଭଉଣୀର ପୂଜାର୍ଚ୍ଚନା । କରୋନା ଭୂତାଣୁ ଯୋଗୁଁ ଜାପାନର ଡାଏମଣ୍ଡ ପ୍ରିନସେସ୍ ଜାହାଜରେ ଫଶିଥିବା ଓଡିଆ ଇଂଜିନିୟର ଶିବାଶିଷ ନାୟକଙ୍କ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି । ଭାଇ କେମିତି ସୁରକ୍ଷିତ ଭାବେ ଜାହାଜରୁ ମୁକୁଳିବେ ଏବଂ ଘରକୁ ଫେରିଆସିବେ ସେଥିପାଇଁ ଠାକୁରଙ୍କୁ ଡାକିଛନ୍ତି ବାପା-ମାଆ ଓ ଭଉଣୀ ।

ଧାମରା ବନ୍ଦରରେ ଚୀନ୍ ଜାହାଜ । ବନ୍ଦର କର୍ମଚାରୀଙ୍କ ଭିତରେ ଭୟ । ଚୀନରେ କରୋନା ଭୂତାଣୁର ତାଣ୍ଡବ ଭିତରେ ଧାମରା ବନ୍ଦରରେ ଲାଗିଛି ଚୀନ୍ ଜାହାଜ । ଯାହାକୁ ନେଇ ବନ୍ଦର କର୍ମଚାରୀ ଭୟଭୀତ ହୋଇପଡିଛନ୍ତି । ଜାହାଜର ପତାକା କାଢି ଦିଆଯାଇଥିବା ଜଣାପଡ଼ିଛି । ଦୁଇଟି ଜାହାଜରେ ଆଇରନ ପ୍ଲେଟ୍, କୋଇଲା ଭର୍ତି ହୋଇ ଆସିଥିବା ବେଳେ କର୍ମଚାରୀଙ୍କୁ ଜାହାଜରୁ ବାହାରିବାକୁ ମନା କରାଯାଇଛି ।