ବ୍ରିକ୍ସ ସମ୍ମିଳନୀ ପରେ ଚୀନର ନୂଆ ରୂପ ! ପାକିସ୍ତାନକୁ କହିଲା ଭାଇ, ଆତଙ୍କବାଦ ବିରୋଧରେ ପାକସ୍ତାନର ଲଢ଼େଇକୁ ପ୍ରଂଶସା କଲା ବେଜିଂ

43

କନକ ବ୍ୟୁରୋ : ଆତଙ୍କବାଦକୁ ନେଇ ବ୍ରିକ୍ସ ସମ୍ମିଳନୀର ଘୋଷଣା ନାମା ପରେ ଏବେ ଚୀନର ସ୍ୱର ବଦଳିଛି । ପାକିସ୍ତାନ ବିଦେଶ ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫଙ୍କ ଚୀନ ଗସ୍ତ ପରେ ଏବେ ସ୍ୱର ବଦଳାଇଛି ବେଜିଂ । ଚୀନ କହିଛି ପାକିସ୍ତାନ ଆମର ଭଲ ଭାଇ ଓ ଇସଲାମାବାଦ ଆତଙ୍କବାଦ ବିରୋଧରେ ପୁରା ଶକ୍ତିର ସହ ଲଢେଇ କରୁଛି । ଖ୍ୱାଜା ମହମ୍ମଦଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି, ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୱି । ପାକିସ୍ତାନର ପକ୍ଷ ନେଇ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୱି କହିଛନ୍ତି, ଆତଙ୍କବାଦ ବିରୋଧୀ ଲଢେଇରେ ପାକିସ୍ତାନର ଶ୍ରେଷ୍ଠ ପ୍ରଦର୍ଶନ କରିଛି । ତେଣୁ କିଛି ଦେଶ ପାକିସ୍ତାନକୁ ଏହି ଶ୍ରେୟ ଦେବା ଉଚିତ । ଏଥିସହ ପାକିସ୍ତାନକୁ ଚୀନ ଠାରୁ କେହି ଅଧିକ ବୁଝିପାରିବେ ନାହିଁ ବୋଲି କହିଛନ୍ତି ୱାଙ୍ଗ ୱି । ଆତଙ୍କବାଦ ଜର୍ଜରିତ ପାକିସ୍ତାନର ଲଢେଇକୁ ବିଶ୍ୱ ମାନ୍ୟତା ଦେବା ସମୟ ଆସିଛି ବୋଲି ଚୀନ ବିଦେଶ ମନ୍ତ୍ରୀ କହିଛନ୍ତି ।

ଗତକାଲି ନିଜ ମାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିବା ନେଇ ମାନିଥିଲା ପାକିସ୍ତାନ । ବୈଦେଶିକ ମନ୍ତ୍ରୀ ଖ୍ୱାଜା ଆସିଫ ଏହାକୁ ସ୍ୱୀକାର କରି କହିଛନ୍ତି, ପାକିସ୍ତାନରୁ ଆନ୍ତର୍ଜାତୀୟ ସ୍ତରରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କରଇ ତୋଇବା ଓ ଜୈସ ଏ ମହମ୍ମଦ ପରିଚାଳିତ ହେଉଛି । ଏହି ସବୁ ସଂଗଠନକୁ ରୋକ ଲଗାଇବା ପାଇଁ କିଛି କାମ କରିବାକୁ ପଡିବ ବୋଲି ମଧ୍ୟ ସେ କହିଛନ୍ତି । ବିଶ୍ୱ ସମୁଦାୟର ପାକିସ୍ତାନ ଉପରେ ପଡୁଥିବା ଚାପ ଦୃଷ୍ଟିରୁ ଏମିତି କିଛି କରି ନିଜକୁ ପ୍ରମାଣିତ କରିବାକୁ ପଡିବ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି । ବ୍ରିକ୍ସରେ ଘୋଷଣାନାମା ନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏହା ଚୀନର ଆନୁଷ୍ଠାନିକ ମନ୍ତବ୍ୟ ନାହିଁ । କାରଣ ଏହି ସଂଗଠନରେ ଭାରତ, ଋଷ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ପରି ଦେଶ ମଧ୍ୟ ରହିଛନ୍ତି ।

ପୂର୍ବରୁ ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ଟାର୍ଗେଟ କରିଥିଲେ ମୋଦି । ଏଥିସହ ଆତଙ୍କବାଦ ମୁକାବିଲା କରିବା ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଆତଙ୍କବାଦର ମୁକାବିଲା କରିବା ପାଇଁ ନୂଆ ପଦକ୍ଷେପ ନେବା ଗରୁରୀ ହୋଇପଡିଛି ବୋଲି ମୋଦି କହିଥିଲେ । ଏହାପରେ ବ୍ରିକ୍ସରେ ହୋଇଥିବା ମିଳିତ ଘୋଷଣାନାମାରେ ପ୍ରଥମଥର ପାଇଁ ପାକିସ୍ତାନଭିତ୍ତିକ ଜୈଶ ଓ ଲସ୍କର ଆତଙ୍କବାଦୀ ସଙ୍ଗଠନକୁ ତୀବ୍ର ନିନ୍ଦା କରାଯାଇଥିଲା ।

ଏଥିରେ ଚୀନର ଘନିଷ୍ଠ ବନ୍ଧୁ ଭାବେ ପାକିସ୍ତାନର ନାମ ଉଚ୍ଚାରଣ ହୋଇନଥିଲେ ମଧ୍ୟ ଆତଙ୍କବାଦ ଘଟାଇବା, ଏହାକୁ ସମର୍ଥନ ଓ ପ୍ରୋତ୍ସାହନ ଯୋଗାଉଥିବା ରାଷ୍ଟ୍ର ହିଂସା ପାଇଁ ଉତ୍ତରଦାୟୀ ହେବ ବୋଲି ଚେତାବନୀ ଦିଆଯାଇଥିଲା । ତେବେ ଜୈଶ ମୁଖ୍ୟ ମସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ନିମନ୍ତେ ଜାତିସଂଘରେ ଅନ୍ତର୍ଜାତୀୟ ପ୍ରସ୍ତାବକୁ ବିରୋଧ କରିଆସିଥିବା ଚୀନ୍ ବ୍ରିକ୍ସ ମିଳିତ ଘୋଷଣାନାମାରେ ନିର୍ଦ୍ଦିଷ୍ଟ ପାକ୍ ଆତଙ୍କବାଦୀ ସଙ୍ଗଠନମାନଙ୍କ ନାମ ଉଲ୍ଲେଖକୁ ବିରୋଧ ନକରିବା ଏହାର ନୀତିରେ ପରିବର୍ତ୍ତନ ବୋଲି ଅନୁମାନ କରାଯାଉଛି । ଯଦିଓ ଏଥିରେ ସିଧାସଳଖ ପାକିସ୍ତାନର ନାଁ ନିଆଯାଇନି କିନ୍ତୁ ପରୋକ୍ଷରେ ଆତଙ୍କବାଦର ବିଲୋପ ପାଇଁ ସତର୍କ କରାଯାଇଛି ।

ବ୍ରିକ୍ସ ଦେଶମାନଙ୍କ ତରଫରୁ ଜାରୀ କରାଯାଇଥିବା ଘୋଷଣାପତ୍ରରେ ସାରା ବିଶ୍ୱର ସୁରକ୍ଷା ନେଇ ଚିନ୍ତାବ୍ୟକ୍ତ କରାଯାଇଛି । ଏପରିକି ଦୁନିଆସାରା ଯେଉଁଠି ବି ଆତଙ୍କବାଦ କାର୍ୟ୍ୟକଳାପ ହେଉଛି ତାହା ଉପରେ କଡା କାର୍ୟ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଲସ୍କର ଇ ତୋଇବା, ଜୈସ ଇ ମହମ୍ମଦ, ତାଲିବାନ, ଆଇଏସଆଇଏଲ, ଅଲକାୟଦା ଭଳି ୧୦ଟି ଆତଙ୍କବାଦୀ ସଂଗଠନ ନେଇ ଆଲୋଚନା ହୋଇଛି ।