କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ପ୍ରଥମ ଥର ପାଇଁ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇଥିଲେ । ତେବେ ନିର୍ମଳାଙ୍କ ଏହି ଗସ୍ତରେ ଚୀନ୍ ଖୁବ୍ ବିବ୍ରତ ହୋଇପଡ଼ିଥିବା ଜଣାଯାଇଛି । ଅରୁଣାଚଳପ୍ରଦେଶକୁ ପୁଣି ବିବାଦୀୟ ଅଞ୍ଚଳ ବୋଲି ଚୀନ୍ ଦୋହରାଇବା ସହ ସେଠିକି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଦିଗରେ ଆଦୌ ସହାୟକ ହେବନି ବୋଲି କହିଛି ।

ନିର୍ମଳା ଚୀନ୍ ସୀମା ସଂଲଗ୍ନ ଅରୁଣାଚଳର ଦୁର୍ଗମ ଅଞ୍ଜୌ ଜିଲ୍ଲାର ବିଭିନ୍ନ ସେନା ଘାଟି ବୁଲି ପ୍ରତିରକ୍ଷା ଏବଂ ସାମରିକ ପ୍ରସ୍ତୁତିି ଅନୁଧ୍ୟାନ କରିଥିଲେ । କୌଣସି ବି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସେନାବାହିନୀ କିପରି ସଜାଗ ରହିଛନ୍ତି, ତାହା ପରଖିଥିଲେ । ତେବେ ନିର୍ମଳାଙ୍କ ଗସ୍ତରେ ଚୀନ୍ ଖପା ହୋଇ ବିବାଦୀୟ ଅଞ୍ଚଳକୁ ନିର୍ମଳାଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠାରେ ପ୍ରତିବନ୍ଧକ ସାଜିବ ବୋଲି କହିଛି । ଚୀନ୍-ଭାରତ ସୀମାର ପୂର୍ବ ଭାଗରେ ବିବାଦ ରହିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ନିର୍ମଳାଙ୍କ ଗସ୍ତକୁ ବିରୋଧ କରି ଚୀନ୍ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ହୁଆ ଚୁନିଂ ଏପରି ବୟାନ ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ, ଭାରତ ଏବଂ ଚୀନ୍ ମଧ୍ୟରେ ୩,୪୮୮ କିମି ପରିବ୍ୟାପ୍ତ ବାସ୍ତବ ନିୟନ୍ତ୍ରଣ ରେଖାକୁ ନେଇ ସୀମା ବିବାଦ ରହିଥିବା ବେଳେ ଏହାର ସମାଧାନ ଲାଗି ଉଭୟ ପକ୍ଷ ମଧ୍ୟରେ ସ୍ୱତନ୍ତ୍ର ଅଧିକାରୀଙ୍କ ଦ୍ୱାରା ୧୯ ଥର ଆଲୋଚନା ହୋଇସାରିଛି । ମାତ୍ର ସେଥିରୁ କୌଣସି ସୁଫଳ ମିଳିପାରିନି। ଅପରପକ୍ଷେ, ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଏକ ଅଂଶ ଭାବେ ଦାବି କରୁଛି ଏବଂ ବାରମ୍ବାର ଏଠାକୁ ଭାରତର ବରିଷ୍ଠ ଅଧିକାରୀମାନଙ୍କ ଗସ୍ତକୁ ନେଇ ଲଗାତାର ଅସନ୍ତୋଷ ପ୍ରକାଶ କରୁଛି । ନିର୍ମଳାଙ୍କ ଗସ୍ତ ପରେ ଚୁନିଂ କଥାବାର୍ତ୍ତା ମାଧ୍ୟମରେ ଭାରତ ଏହି ସୀମା ବିବାଦର ସମାଧାନ ଲାଗି ସହଯୋଗର ହାତ ବଢ଼ାଇ ଏକ ସନ୍ତୁଳିତ ଉପାୟରେ କାର୍ୟ୍ୟ କରିବା ଉଚିତ୍ ବୋଲି ଗଣମାଧ୍ୟମକୁ କହିଛନ୍ତି ।