ଚିନ୍ତା ବଢାଇଲା ଚୀନ୍ ! ଭାରତ ସୀମା ନିକଟକୁ ପଠାଇଲା ହଜାର ହଜାର ଟନର ଯୁଦ୍ଧସାମଗ୍ରୀ

78

କନକ ବ୍ୟୁରୋ : ଚୀନ ସେନାର ନିଜସ୍ୱ ମୁଖପତ୍ର ପିଏଲଏ ଡେଲି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛି । ଏଥିରେ କୁହାଯାଇଛି, ଗତମାସ ଶେଷ ଭାଗରେ ଚୀନ ଭାରତ ନିକଟସ୍ଥ ସୀମାକୁ ହଜାର ହଜାର ଟନ୍ ଯୁଦ୍ଧସାମଗ୍ରୀ ପଠାଇଛି । ଉତ୍ତର ତିବ୍ଦତର କୁନଲୁନ୍ ଅଂଚଳକୁ ଏହି ଯୁଦ୍ଧ ସାମଗ୍ରୀ ପଠାଯାଇଛି । ସିକିମ ସୀମା ନିକଟରେ ଡୋକାଲାମ ଅଂଚଳରେ ଏକ ରାସ୍ତା ନିର୍ମାଣକୁ ନେଇ ଚୀନ ଓ ଭାରତୀୟ ସେନା ଏକ ପ୍ରକାର ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଚୀନ ବାରମ୍ବାର ଭାରତୀୟ ସେନାକୁ ପଛକୁ ହଟିବାକୁ ତାଗିଦ୍ କରୁଛି । ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ଏହି ବିବାଦ ଜାରି ରହିଥିବା ବେଳେ ଇତି ମଧ୍ୟରେ ଭାରତୀୟ ସୀମା ନିକଟସ୍ଥ କୁନଲୁନ୍ ଅଂଚଳକୁ ଏତେ ପରିମାଣରେ ଯୁଦ୍ଧ ସାମଗ୍ରୀ ପଠାଇବା ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦର୍ଶାଉଛି । ତେବେ ଭାରତ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଏହି ଘଟଣା ପରେ ଚୀନ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଦୁଇଟି ପ୍ରମୁଖ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଓ ଚାଇନା ଡେଲି ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରି ପରୋକ୍ଷରେ ଚେତାବନୀ ଦେଇଛନ୍ତି । ଚାଇନା ଡେଲି ଏହାର ଏକ ସମ୍ପାଦକୀୟରେ ଲେଖିଛି ଯେ, ଚୀନର ସତର୍କ ବାଣୀ ପ୍ରତି ଭାରତ ଅଣଦେଖା ନକରୁ । ଏଥିରେ ଆହୁରି ମଧ୍ୟ କୁହାଯାଇଛି, ଯଦି ଭାରତ ଚୀନର କଥାକୁ ଅଣଦେଖା କରେ ତେବେ ପରିସ୍ଥିତି ଖରାପ ହେବ । ସେପଟେ ଗ୍ଲୋବାଲ ଟାଇମ୍ସ ଗତକାଲି ଏକ ଟ୍ୱିଟ୍ କରି କହିଛି, ଯଦି ଭାରତ ଏହି ବିବାଦକୁ ଆହୁରି ବଢାଇବ, ତେବେ ଭାରତକୁ ଚୀନର ଶକ୍ତିକୁ ସାମ୍ନା କରିବାକୁ ପଡିବ । ସରକାରୀ ନିୟନ୍ତ୍ରିତ ଏହି ଖବର କାଗଜର ଟ୍ୱିଟ୍ ପରୋକ୍ଷରେ ଧମକ ଦେଇଛି ଯେ, ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି ।