ଭାରତକୁ ପୁଣି ଚୀନର ଧମକ ! ଗ୍ଲୋବାଲ ଟାଇମ୍ସରେ ପ୍ରକାଶ, ଡୋକ୍ଲାମ୍ ସୀମା ବିବାଦ ନେଇ ଯୁଦ୍ଧ ପାଇଁ ପ୍ରସ୍ତୁତ ଚୀନ

31

କନକ ବ୍ୟୁରୋ : ଭାରତକୁ ପୁଣି ଧମକାଇଲା ଚୀନ୍ । ଭାରତ ଓ ଚୀନ୍ ମଧ୍ୟରେ ଲାଗିରହିଥିବା ସୀମା ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡୋକଲାମ ସୀମା ବିବାଦକୁ ନେଇ ଭାରତକୁ ପୁଣି ନାଲି ଆଖି ଦେଖାଇଛି ଚୀନ୍ । କୌଣସି ପରିସ୍ଥିତିର ସମ୍ମୁଖିନ ହେବା ପାଇଁ ଚୀନ୍ ପ୍ରସ୍ତୁତ ବୋଲି ଚୀନ୍ ମିଡିଆରେ ଖବର ପ୍ରକାଶ ପାଇଛି । ଡୋକଲାମ ବିବାଦକୁ ନେଇ ଯୁଦ୍ଧ କରିବା ପାଇଁ ମଧ୍ୟ ଚୀନ୍ ପଛଘୁଂଚା ଦେବନାହିଁ ଏବଂ ଯଦି ଏପରି ହୁଏ ତେବେ ଭାରତକୁ ଏହାର ପରିମାଣ ଭୋଗିବାକୁ ପଡିବ ବୋଲି ଏଥିରେ ପ୍ରକାଶ ପାଇଛି ।

ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଆହୁରୀ ମଧ୍ୟ ପ୍ରକାଶ କରିଛି ଯେ, ୧୯୬୨ ଯୁଦ୍ଧ ପରେ ଚୀନକୁ କ୍ରମାଗତ ଭାବେ ଭାରତ ଉସୁକାଉଛି । ଆଗାମୀ ଦିନରେ ସମସ୍ତ ପରିସ୍ଥିତିର ସମ୍ମୁଖିନ ହେବାକୁ ଚୀନ୍ ପ୍ରସ୍ତୁତ ରହିବା ଦରକାର ବୋଲି ମଧ୍ୟ ଏହି ଲେଖାରେ ଉଲ୍ଲେଖ ରହିଛି । ସୀମାରେ ଲାଗିରହିଥିବା ଉତ୍ତେଜନା ପାଇଁ ଚୀନ ଆଗକୁ ଆସି ଏହାର ମୁକାବିଲା କରିବା ଆବଶ୍ୟକ । ଏବଂ ସୀମାରେ ଭାରତକୁ ମଧ୍ୟ କଡା ମୁକାବିଲାର ସମ୍ମୁଖିନ ହେବାକୁ ପଡିବ ବୋଲି ଗ୍ଲୋବାଲ ଟାଇମ୍ସରେ ଖବର ପ୍ରକାଶ ପାଇଛି । ଡୋକଲାମ ଅଂଚଳରେ ଯେଉଁ ସଡକ ନିର୍ମାଣକୁ ନେଇ ବିବାଦ ଆରମ୍ଭ ହୋଇଥିଲା ସେହି ନିର୍ମାଣ କାମ ପୁଣିଥରେ ଆରମ୍ଭ କରିବା ଉଚିତ । ଏହାସହ ସୀମାରେ ଚୀନ୍ ସେନାଙ୍କ ସଂଖ୍ୟା ବଢାଇବା ଦରକାର ବୋଲି ଏଥିରେ ଲେଖାଅଛି ।

ଚୀନ୍ ଏକ ସର୍ବଭୌମ୍ୟ ରାଷ୍ଟ୍ର ହୋଇଥିବାରୁ ଏହା ଚୀନର ଅଧିକାର ବୋଲି ଲେଖିଛି ଗ୍ଲୋବାଲ ଟାଇମ୍ସ । ଚୀନ୍ କୌଣସି ପ୍ରକାର ଯୁଦ୍ଧକୁ ଭୟ କରେ ନାହିଁ ବରଂ ଏଥିପାଥଇଁ ନିଜକୁ ପ୍ରସ୍ତୁତ କରୁଛି ବୋଲି ଏହି ଲେଖାରେ ପ୍ରକାଶ ପାଇଛି । ଡୋକଲାମ ଅଂଚଳରେ ଜୁନ୍ ୧୬ରୁ ଦୁଇ ଦେଶ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ଗ୍ଲୋବାଲ ଟାଇମ୍ସ କ୍ରମାଗତ ଭାବେ ଭାରତକୁ ଧମକ ଦେଇ ଏପରି ଲେଖା ପ୍ରକାଶ କରୁଛି । ସୀମାରେ ଚୀନର ସେନା ଯୁଦ୍ଧାଭ୍ୟାସ କରୁଥିବାରୁ ଭିଡିଓ ମଧ୍ୟ ପ୍ରକାଶ କରିଥିଲା ଗ୍ଲୋବାଲ ଟାଇମ୍ସ ।