ଚୀନର ଦାଦାଗିରି ! ପୁଣିଥରେ ଭାରତୀୟ ସୀମାରେ ପଶିଲା ଡ୍ରାଗନ ବାହିନୀର ଲଢୁଆ ହେଲିକପ୍ଟର

27

ଚେତୁନି ଚୀନ । ବାରମ୍ବାର ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଚୀନ ଭାରତକୁ ଉସକାଇବା ଛାଡୁନାହିଁ । ପୁଣିଥରେ ଭାରତୀୟ ସୀମାରେ ଚୀନ୍ ହେଲିକକପ୍ଟର ଅନୁପ୍ରବେଶ କରିଛି। ଗୋଟିଏ ମାସ ମଧ୍ୟରେ ଲଗାତାର ଚତୁର୍ଥ ଥର ପାଇଁ ଚୀନ୍ ପ୍ରକୃତ ନିୟନ୍ତ୍ରଣ ସୀମା ରେଖା ପାର୍ କରି ଭାରତୀୟ ବାୟୁସୀମାରେ ପଶିବାକୁ ଉଦ୍ୟମ କରିଛି। ଆଜି ଚୀନ୍ ସେନାର ହେଲିକପ୍ଟର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ବରାହୋଟୀ ଅଞ୍ଚଳରେ ପ୍ରବେଶ କରିଥିଲା। ଯଦିଓ କିଛି ସମୟ ମଧ୍ୟରେ ହେଲିକପ୍ଟରଟି ସେଠାରୁ ଫେରି ଯାଇଥିଲା ତଥାପି ଏହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି।
ଗତବର୍ଷ ଠିକ୍ ଏହି ସ୍ଥାନରେ ୨ଶହ ଚୀନ୍ ସେନା ନିୟନ୍ତ୍ରଣ ସୀମା ପାରି ହୋଇି ଭାରତ ସୀମା ଭିତରକୁ ଚାଲି ଆସିଥିଲେ। ଗତ ୧୦ ତାରିଖରେ ଚୀନ୍ ସେନାର ହେଲିକପ୍ଟର ଏହି ଅଞ୍ଚଳରେ ପ୍ରାୟ ୪କିମି ଭାରତୀୟ ସୀମାକୁ ପଶି ଆସିଥିଲା। ଗତ ୮ ତାରିଖରେ ମଧ୍ୟ ଏକ ହେଲିକପ୍ଟର ଲଦାଖ୍ ସ୍ଥିତ ଭାରତୀୟ ସୀମାରେ ୧୮ କିମି ପଶି ଫେରିଯାଇଥିଲା। ଗତ ୧୭ ତାରିଖରେ ମଧ୍ୟ ଲଦାଖ୍ ସୀମାନ୍ତ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ହୋଇଥିଲା। ଚୀନ୍ ସେନା ବାରମ୍ବାର ଏଭଳି ବାୟୁସୀମା ଉଲ୍ଲଂଘନ କରୁଥିବା ନେଇ ଭାରତ ସରକାରଙ୍କ ଅଭିଯୋଗ ପରେ ମଧ୍ୟ ଚୀନ୍ ନିଜ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆଣୁନାହିଁ।