ଭାରତ ପାଇଁ ଚୀନପଟୁ ବଢ଼ୁଛି ବିପଦ ! ସୀମାରେ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ରକେଟ୍ ମୁତୟନ କରିବ ପଡ଼ୋଶୀ ଦେଶ

43

କନକ ବ୍ୟୁରୋ : ନିଜ ଦେଶର ସୁରକ୍ଷା ଆଳରେ ଚୀନ ଧୀରେ ଧୀରେ ଭାରତ ପ୍ରତି ସଙ୍କଟ ବଢ଼ାଉଛି । ଚୀନର କାର୍ଯ୍ୟକଳାପ ଏବେ ଭାରତ ପାଇଁ ଚିନ୍ତାର ବିଷୟ ପାଲିଟିଛି । ଚୀନ ମିଡ଼ିଆ ରିପୋର୍ଟ ଅନୁସାରେ ଖୁବ ଶୀଘ୍ର ଚୀନ ଭାରତ ସୀମା ପାଖରେ ଇଲେକ୍ଟ୍ରାମାଗ୍ନେଟିକ୍ କ୍ୟାଟାପୁଲ୍ଟ ରକେଟ୍ ମୁତୟନ କରିପାରେ । ଏହି ରକେଟର ବିଶେଷତ୍ୱ ହେଲା କମ ଅମ୍ଳଜାନ ଓ କମ ଆଲୋକରେ ମଧ୍ୟ ଶତ୍ରୁକୁ କଡ଼ା ଟକ୍କର ଦେବ । ଏହି ସବୁ ବିଶେଷତ୍ୱ ସତ୍ୱେ ରକେଟ୍ କମ୍ ବଜେଟରେ ପ୍ରସ୍ତୁତ ହୋଇଛି । ଆଉ ଏହା ଅଧିକ ଶକ୍ତିଶାଳୀ ମଧ୍ୟ ।

image courtesy – www.oneindia.com

ଚୀନ ବିଶେଷଜ୍ଞଙ୍କ ଅନୁସାରେ ବିଗତ କିଛି ଦିନ ଧରି ପଶ୍ଚିମ ସୀମା ଅଂଚଳରେ ଯେଉଁପରି ଘଟଣା ଘଟୁଛି, ସେମାନେ ଏପରି ପଦକ୍ଷେପ ନେବାପାଇଁ ବାଧ୍ୟ ହେଉଛନ୍ତି । ଏହି ଘଟଣାରେ ଡୋକଲାମ୍ ବିବାଦ ମଧ୍ୟ ସାମିଲ ରହିଛି । ଚୀନ ରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ପାହାଡ଼ି ଅଂଚଳରେ ଅମ୍ଳଜାନର କମ୍ ଥିବାରୁ ଅନେକ ସମସ୍ୟା ଉପୁଜି ଥାଏ । ତେବେ ଏହି ରକେଟ୍ ଯୋଗୁଁ ସେପରି କିଛି ସମସ୍ୟା ନହେବା ସହ ସଠିକ ଲକ୍ଷ୍ୟଭେଦ ହେବ ବୋଲି କୁହାଯାଇଛି । କୁହାଯାଇଛି ଏଥିପାଇଁ ସୈନିକଙ୍କୁ ଦୂର ପାହାଡ଼ ପାର କରିବା ପାଇଁ ପଡ଼ିବ ନାହିଁ । କାରଣ ଯେଉଁଠି ଏହି ରକେଟ୍ ରହିବ ସେଠାରୁ ହିଁ ଶତ୍ରୁର ବିନାଶ କରିପାରିବ ।

ଏହି ରକେଟକୁ ପିଏଲଏର ରକେଟ୍ ଫୋର୍ସକୁ ଦିଆଯିବ । ପିଏଲଏ ଫୋର୍ସ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ପ୍ରିୟ ଫୋର୍ସ ମଧ୍ୟରୁ ଗୋଟିଏ । ତେଣୁ ଫୋର୍ସର ଶକ୍ତି ବଢ଼ାଇବା ପାଇଁ ତାଙ୍କୁ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ ରକେଟ ପ୍ରଦାନ କରାଯିବ । ଚୀନର ରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଏହି ରକେଟ ଭାରତ ପାଇଁ ଚିନ୍ତାର ବିଷୟ ହୋଇପାରେ । ଚୀନକୁ ଭଲଭାବରେ ଜଣା ଭାରତୀୟ ସୈନିକମାନେ ବେଶ କ୍ଷମତାଶୀଳ ଓ ଯୁଦ୍ଧରେ ନିପୁଣ, ତେଣୁ ତାଙ୍କ ସେନାକୁ ମଜଭୁତ କରାଇବା ପାଇଁ ଲଗାତାର ପ୍ରୟାସ କରାଯାଉଛି ।