ଭାରତର ଜାତୀୟ ପତକାକୁ ଚୀନର ଅସମ୍ମାନ ! ଜୋତା ଖୋଳ ଉପରେ ଡ୍ରାଗନ ଲଗାଇଲା ତ୍ରିରଙ୍ଗା, କେବେ ସୁଧୁରିବ ଚାଇନା ?

76

କନକ ବ୍ୟୁରୋ : ଡୋକଲାମ ବିବାଦକୁ ନେଇ ଦିନକୁ ଦିନ ଚୀନର ବାଚଳାମି ବଢିବାରେ ଲାଗିଛି । କେତେବେଳେ ଯୁଦ୍ଧ ପାଇଁ ଭାରତକୁ ଉସୁକାଉଛି ତ ପୁଣି କେତେବେଳେ ଭାରତୀୟ ସୀମାରେ ଜବରଦସ୍ତି ପଶିବାକୁ ଉଦ୍ୟମ କରୁଛି । ତେବେ ଏସବୁ ଭିତରେ ଚୀନର ଏକ ଜୋତା କମ୍ପାନି ଭାରତର ଜାତୀୟ ପତକାକୁ ଅପମାନିତ କରିଥିବାର ଘଟଣା ସାମ୍ନାକୁ ଆସିଛି । ଏହି କମ୍ପାନି ଜୋତା ପ୍ୟାକିଙ୍ଗ କରିବା ପାଇଁ ଭାରତର ଜାତୀୟ ପତକା ଚିତ୍ର ଥିବା ଖୋଳ ବ୍ୟବହାର କରୁଛି ।

ତେବେ ଚୀନ୍ କମ୍ପାନିର ଏଭଳି କାରାନାମା ଉତ୍ତରାଖଣ୍ଡର ଆଲମୋଡାରେ ଦେଖିବାକୁ ମିଳିଛି । ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁଯାୟୀ, ଆଲମୋଡାର ଏକ ଜୋତା ବେପାରୀ ବିଶନ ବୋରା ଡିଷ୍ଟିବ୍ୟୁଟରଙ୍କ ପାଖରୁ ଚୀନ କମ୍ପାନିର ଜୋତା ମଗାଇଥିଲେ । ଡିଷ୍ଟ୍ରିବ୍ୟୁଟରଙ୍କ ପାଖରୁ ଠିକ୍ ସମୟରେ ଜୋତା ମଧ୍ୟ ମିଳିଥିଲା ।ହେଲେ ଦୋକାନୀ ଜୋତାର ଖୋଳ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ତ୍ରିରଙ୍ଗା ଚିତ୍ର ଥିବା ଖୋଳରେ ପଶିଥିବା ଜୋତା ତାଙ୍କ ପାଖକୁ ଆସିଥିଲା ।

ତେବେ ଚୀନ୍ କମ୍ପାନିର ଏଭଳି କାରନାମା ନେଇ ଦୋକାନୀ ବିଶନ ବୋରା ପୁଲିସ ନିକଟରେ ଅଭିଯୋଗ କରିଥିଲେ । ପୁଲିସ ଏହି ମାମଲାର ଯାଞ୍ଚକରିବା ସହ ସଙ୍ଗେସଙ୍ଗେ ଜୋତା ପଠାଇଥିବା ଡିଷ୍ଟ୍ରିବ୍ୟୁଟରଙ୍କୁ ଏନେଇ ସମନ ଜାରି କରିଥିଲା । ତେବେ ଡିଷ୍ଟ୍ରିବ୍ୟୁଟର କହିଛନ୍ତି ଏହି ଜୋତାକୁ ସେ ଦିଲ୍ଲୀର ବଡ ବେପାରୀଙ୍କ ଠାରୁ ଆଣିଥିଲେ । ଦୋକାନୀ ବିଶନ ବୋରାଙ୍କ ଅଭିଯୋଗ କ୍ରମେ ଉତ୍ତରାଖଣ୍ଡ ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି । ତା ସହିତ ଦିଲ୍ଲୀର ଡିଷ୍ଟ୍ରିବ୍ୟୁଟରଙ୍କୁ ଏ ନେଇ ପଚରାଉଚରା କରାଯିବ ବୋଲି କହିଛି ପୁଲିସ । ପୁଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।