ଭାରତୀୟ ଡ୍ରୋନକୁ ଖସାଇଲା ଚୀନ ସେନା ! ଚୀନର ଅସନ୍ତୋଷ, ତଦନ୍ତ ଜାରି

58

କନକ ବ୍ୟୁରୋ : ଭାରତର ଏକ ଡ୍ରୋନକୁ ଖସାଇ ଦେଇଛି ଚୀନ ସେନା । ଡ୍ରୋନଟି ଭାରତୀୟ ସୀମା ଅତିକ୍ରମ କରି ଚୀନ ସୀମାରେ ଉଡୁଥିବାର ଦେଖି ଚୀନ ସେନା ଖସାଇଦେଇଥିବା ଜଣାପଡିଛି । ତେବେ ଭାରତ ପକ୍ଷରୁ ଏହା ନିଖୋଜ ହୋଇଯାଇଥିବା କୁହାଯାଇଛି । ଡ୍ରୋନଟି ସିକିମ ସେକ୍ଟରରେ ଅଭ୍ୟାସ କରୁଥିବା ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଇଥିଲା ।

ଭାରତର ଏକ ଚାଳକବିହୀନ ବିମାନ(ଡ୍ରୋନ) ନିୟମିତ ପ୍ରଶିକ୍ଷଣରେ ନିୟୋଜିତ ଥିବା ବେଳେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଡ୍ରୋନଟି ସୀମା ଅତିକ୍ରମ କରି ଚୀନ ଆକାଶରେ ଉଡ଼ୁଥିବାରୁ ଏହାକୁ ଚୀନ ଖସାଇ ଦେଇଥିବା କୁହାଯାଉଛି। ଯାନଟିର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାହା ସହ ନିୟନ୍ତ୍ରଣ କକ୍ଷର ଯୋଗାଯୋଗ ସମ୍ପର୍କ ସମ୍ଭବ ହୋଇନଥିଲା ଏବଂ ତାହା ନିଖୋଜ ହୋଇଯାଇଥିଲା ବୋଲି ଭାରତ ପକ୍ଷରୁ କୁହାଯାଇଛି। ଏପରିକି ଭାରତୀୟ ସୀମା ସୁରକ୍ଷା ବଳ ତରଫରୁ ବିମାନର ନିଖୋଜ ସମ୍ପର୍କରେ ଚୀନ ପ୍ରତିପକ୍ଷଙ୍କୁ ତୁରନ୍ତ ଜଣାଇଦିଆଯାଇଥିଲା ବୋଲି ମଧ୍ୟ ଭାରତ ସ୍ପଷ୍ଟ କରିଛି।

ସୂଚନାନୁଯାୟୀ, ଉକ୍ତ ଡ୍ରୋନଟି ନିୟମିତ ଅଭ୍ୟାସ କ୍ରମରେ ସିକିମ ସେକ୍ଟରରେ ଉଡୁଥିବା ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଏହାର ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ଏହା କୁଆଡ଼େ ନିଖୋଜ ହୋଇଯାଇଥିଲା। ତେବେ ଏ ସମ୍ପର୍କରେ ଚୀନ ପ୍ରତିପକ୍ଷଙ୍କୁ ସୂଚନା ଦିଆଯିବା ପରେ ଚୀନ ଯାନଟିକୁ ନିଜ ଅଞ୍ଚଳରେ ଠାବ କରି ଖସାଇ ଦେବା ସହ ଏହାକୁ ଭିନ୍ନ ରଙ୍ଗ ଦେଇଛି । ଭାରତୀୟ ଯାନଟି ନିୟମ ଉଲ୍ଲଂଘନ କରି ଚୀନ ସୀମାରେ ଅନୁପ୍ରବେଶ କରିବା ସହ ଏହାର କ୍ଷେତ୍ରୀୟ ସାର୍ବଭୌମତ୍ୱରେ ଆଞ୍ଚ ଆଣିଛି ବୋଲି ଚୀନର ସରକାରୀ ମୁଖପତ୍ର ଜିନୁଆରେ ପ୍ରକାଶ ପାଇଛି। ଏଥିରେ ଚୀନ ତୀବ୍ର ଅସନ୍ତୋଷ ଜାହିର କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଥିବା କୁହାଯାଇଛି।