ଚୀନର ଦାଦାଗିରି ! ମୋଟରସାଇକେଲ ଓ ଘୋଡାରେ ବସି ଭାରତୀୟ ସୀମାକୁ ଅନୁପ୍ରବେଶ କରୁଛନ୍ତି ଡ୍ରାଗନବାହିନୀ

44

ପୁଣିଥରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିଛନ୍ତି ଡ୍ରାଗନବାହିନୀ । କିନ୍ତୁ ଚଳିତଥର ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ନୂଆ ରଣନୀତି ଆପଣାଇଛି ଚୀନ୍ । ମୋଟର ସାଇକେଲ ମାଧ୍ୟମରେ ଚୀନ୍ ସେନା ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଛନ୍ତି । ଚଳିତ ମାସରେ ଉତ୍ତରାଖଣ୍ଡର ବାରାହୋତି ଅଞ୍ଚଳରେ ଡ୍ରାଗନବାହିନୀ ଅନୁପ୍ରବେଶ କରି ଭାରତର ଚିନ୍ତା ବଢାଇଛି ।

ଆଇଟିବିପିର ସୁତ୍ର ଅନୁଯାୟୀ, ଜୁଲାଇ ୧୦ ତାରିଖରେ ବାରାହେତିର ତୁନଜୁନ ଅଞ୍ଚଳରେ ଚୀନ୍ ସୈନିକ ମାନେ ବାଇକରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିଲେ । ଜଣେ ସୈନିକ ବାଇକରେ ବସି ଭାରତୀୟ ସୀମାର ୫୦୦ ମିଟର ପର୍ଯ୍ୟନ୍ତ ଭିତରକୁ ଅନୁପ୍ରବେଶ କରିଥିଲେ । ତେବେ ଭାରତୀୟ ସେନାର ବିରୋଧ ପରେ ଡ୍ରାଗନବାହିନୀ ଉକ୍ତ ଅଞ୍ଚଳରୁ ଫେରି ଯାଇଥିଲେ । ଆଇଟିବିପି ଅନୁଯାୟୀ, ଜୁଲାଇ ମାସରେ ପାଖାପାଖି ୫ ଥର ଚୀନ ସୈନିକ ମାନେ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଥିଲେ । ପ୍ରଥମେ ୮ ଜୁଲାଇରେ ଡ୍ରାଗନବାହିନୀର ୩୨ ଜଣ ସୈନିକ ଛୋଟ ଛୋଟ ଗାଡି ଗୁଡିକରେ ଅନୁପ୍ରବେଶ କରିବା ସହ ଭାରତୀୟ ସୀମାର ୪ କିଲୋମିଟର ଭିତରକୁ ଚାଲି ଆସିଥିଲେ । ଏହାପରେ ସେହିଦିନ ପୁଣିଥରେ ଘୋଡାରେ ବସି କିଛି ଚୀନ ସୈନିକ ଉକ୍ତ ଅଞ୍ଚଳକୁ ଆସିଥିଲେ ।

ତେବେ ଭାରତୀୟ ସେନାର ବିରୋଧ ପରେ ଚୀନ ସୈନିକ ମାନେ ଉକ୍ତ ଅଞ୍ଚଳରୁ ଫେରି ଯାଇଥିଲେ । ମିଳିଥିବା ଖବର ଅନୁଯାୟୀ, ୩ ଜୁଲାଇ, ୬ ଜୁଲାଇ, ୭ ଜୁଲାଇରେ ମଧ୍ୟ ଡ୍ରାଗନବାହିନୀ ତୁନଜୁନର ପାଖାପାଖି ୨୦୦ ମିଟର ଭିତରକୁ ଚାଲି ଆସିଥିଲେ । କିନ୍ତୁ ବାରମ୍ବାର ଡ୍ରାଗନବାହିନୀର ଏଭଳି ଅନୁପ୍ରବେଶ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାପୂର୍ବରୁ ମଧ୍ୟ ବାରାହେତି ଅଞ୍ଚଳକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । କାରଣ ଏହି ଅଞ୍ଚଳରେ ଚୀନ ସେନା ବାରମ୍ବାର ଅନୁପ୍ରବେଶ କରି ନିଜର ଆଧିପତ୍ୟ ଦେଖାଇବାକୁ ଚାହୁଁଛି ।

ଉତ୍ତରାଖଣ୍ଡ ହିମାଳୟ କ୍ଷେତ୍ରରେ ଆସୁଛି । ଆଉ ସବୁଠୁ ବଡ କଥା ହେଲା,ଏହି ରାଜ୍ୟ ୩୪୫ କିଲୋମିଟର ଅଞ୍ଚଳ ଚୀନ ସୀମାକୁ ଲାଗି କରି ରହିଛି । ଖାସକରି ଚମୋଲି, ଉତ୍ତରକାଶୀ ଓ ପିଥୋରଗଡ ଜିଲ୍ଲାର ସୀମା ଚୀନ ସୀମାର ପାଖରେ ରହିଛି । ତେଣୁ ଅଧିକାଂଶ ସମୟ ଚୀନ ସେନା ଏଠାରେ ପ୍ରବେଶ କରିଥାନ୍ତି । ଗୋଟିଏ ସମୟରେ ଏଠାକାର ନିବାସୀ ମାନଙ୍କର ତିବ୍ଦତ ସହ ବ୍ୟବସାୟିକ ସମ୍ବନ୍ଧ ରହିଥିଲା । କିନ୍ତୁ ୧୯୬୨ ମସିହାରେ ଚୀନ ସହ ଯୁଦ୍ଧ ହେବା ପରେ ଏହି ସମ୍ବନ୍ଧରେ ଲକ୍ଷ୍ମଣରେଖା ଟଣା ହୋଇଥିଲା । ସେବେଠାରୁ ବାରମ୍ବାର ଚୀନ ଏହି ଅଞ୍ଚଳ ଉପରେ ଆଧିପତ୍ୟ ଜାହିର କରିବାକୁ ପ୍ରୟାସ କରି ଆସୁଛି ।