ଟ୍ୟାଙ୍କ ଓ ହେଲିକପ୍ଟରକୁ ନେଇ ସୀମାରେ ଯୁଦ୍ଧାଭ୍ୟାସ କଲା ଡ୍ରାଗନବାହିନୀ ! ଚୀନ୍ ଗଣମାଧ୍ୟମରେ ପ୍ରକାଶ ପାଇଲା ସାଂଘାତିକ ତଥ୍ୟ

36

କନକ ବ୍ୟୁରୋ : ଭାରତ ଓ ଚୀନ୍ ଆକାଶରେ ଏବେ ଯୁଦ୍ଧର କଳାବାଦଲ ଘୂରି ବୁଲୁଛି । ଭାରତ ଓ ଚୀନ୍ ମଧ୍ୟରେ ଦେଖା ଦେଇଥିବା ଡୋକଲାମ ବିବାଦ ଥମିବାର ନାଁ ନେଉନଥିବା ବେଳେ ଚୀନର ଆଉ ଏକ ଚାଲାକି ସାମ୍ନାକୁ ଆସିଛି । ଚୀନ୍ ମିଡିଆ ରିପୋର୍ଟ ଅନୁଯାୟୀ, ଡ୍ରାଗନବାହିନୀ ବର୍ଡର ଠାରୁ କିଛି ଦୂରରେ ଟ୍ୟାଙ୍କ ଓ ହେଲିକପ୍ଟର ସହ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି ।

ଚୀନ୍ ଗଣମାଧ୍ୟମ ଚାଇନା ସେଣ୍ଟ୍ରାଲ ଟେଲିଭିଜନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୀମା ପାଶ୍ୱର୍ବତ୍ତୀ ଅଞ୍ଚଳରେ ଚୀନର ପିପୁଲ୍ସ ଲିବରେସନ ଆର୍ମିର ଯବାନ ମାନେ ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି । ଏହି ଯୁଦ୍ଧାଭ୍ୟାସରେ ପିଏଲଏର ୧୦ଟି ୟୁନିଟ ସହ ବାୟୁସେନାର ୟୁନିଟ ମଧ୍ୟ ଭାଗ ନେଇଛନ୍ତି । ଭାରତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଟରଙ୍କ ନେତୃତ୍ୱରେ ଏହି ମର୍କଡ୍ରିଲ କରାଯାଇଛି । ଏହି ମର୍କଡ୍ରିଲରେ ଟ୍ୟାଙ୍କର ଶକ୍ତି ପରୀକ୍ଷଣ କରାଯାଉଥିବା ବେଳେ ହେଲିକପ୍ଟରରୁ ଗୁଳିବର୍ଷା କରାଯାଉଥିବାର ଭିଡିଓ ସାମ୍ନାକୁ ଆସିଛି ।

ଡୋକଲାମ ବିବାଦର ସମାଧାନର ବାଟ ବାହାରି ନଥିବା ବେଳେ ଅଗଷ୍ଟ ୧୫ରେ ଚୀନ୍ ସେନା ଲଦାଖ ଅଞ୍ଚଳରେ ପୁଣି ଥରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରଥିଲା । କିନ୍ତୁ ଭାରତୀୟ ଯବାନ ମାନେ ଚୀନର ଏହି ଚାଲାକିକୁ ସଫଳ ହେବାକୁ ଦେଇନଥିଲେ । ତେଣୁ ଅନ୍ୟ ଉପାୟ ନପାଇ ଡ୍ରାଗନବାହିନୀ ଭାରତୀୟ ଯବାନଙ୍କ ଉପରକୁ ପଥର ଫିଙ୍ଗିଥିଲେ । ଭାରତ ମଧ୍ୟ ଅନୁରୂପ ଭାବେ ଚୀନ୍ ସେନାକୁ ପଥର ଫିଙ୍ଗିଥିଲା । ଫଳରେ ଉଭୟ ପକ୍ଷର କିଛି ସୈନିକ ଆହତ ହୋଇଥିଲେ ।

କଣ ଏହି ଡୋକଲାମ ବିବାଦ:ଡୋକଲାମ କ୍ଷେତ୍ର ଭାରତ-ଚୀନ୍ -ଭୂଟାନ ଟ୍ରାଇଜଙ୍କସନରେ ଅବସ୍ଥିତ । ଏହି କ୍ଷେତ୍ରଟି ମୁଖ୍ୟତଃ ଭୂଟାନ ସୀମାରେ ଅବସ୍ଥିତ । କିନ୍ତୁ ଚୀନ୍ ଏହି କ୍ଷେତ୍ରରେ ଦାଦାଗିରି ଦେଖାଉଛି । ଚଳିତ ବର୍ଷ ଜୁନ ମାସରେ ଚୀନ୍ ଏହି ଅଞ୍ଚଳକୁ ନିଜର ବୋଲି କହି ସଡକ ନିର୍ମାଣ ଆରମ୍ଭ କରିଥିଲା । କିନ୍ତୁ ଭାରତୀୟ ସେନା ଚୀନ୍ କରୁଥିବା ସଡକ ନିର୍ମାଣକୁ ବନ୍ଦ କରିବା ପରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

କାରଣ ଭାରତ-ଭୂଟାନ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ଚୁକ୍ତି ଅନୁଯାୟୀ, ବାହ୍ୟ ଆକ୍ରମଣରୁ ଭୂଟାନକୁ ରକ୍ଷା କରିବା ପାଇଁ ଭାରତ ପ୍ରତିଶୃତିବଦ୍ଧ । ତେଣୁ ଚୀନ ଭୂଟାନ ସୀମାରେ କରୁଥିବା ସଡ଼କ ନିର୍ମାଣକୁ ଭାରତ ବନ୍ଦ କରିଛି । ଯାହାକୁ ସହଜରେ ଗ୍ରହଣ କରିପାରୁ ନାହିଁ ଚୀନ୍ । ତେଣୁ ନିଜର ଆଧିପତ୍ୟ ଜାହିର କରିବା ପାଇଁ ଭାରତକୁ ବାରମ୍ବାର ଯୁଦ୍ଧ ଧମକ ଦେଉଛି ।