ପାକିସ୍ତାନ ଶିଖୁଛି ଚୀନର ରଣକୌଶଳ ! ଯୁଦ୍ଧାଭ୍ୟାସ ନାଁରେ ଭାରତକୁ ଶକ୍ତିପ୍ରଦର୍ଶନ

32

କନକ ବ୍ୟୁରୋ : ଚୀନ-ପାକିସ୍ତାନ ବାୟୁସେନାର ଆରମ୍ଭ ହୋଇଛି ମିଳିତ ଯୁଦ୍ଧାଭ୍ୟାସ । ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ପଦକ୍ଷେପ ପାଇଁ ବ୍ରିକ୍ସ ସହଯୋଗୀ ରାଷ୍ଟ୍ରଙ୍କ ସହ ଚୀନ ଏକମତ ହେବା ପରେ ଏହି ଯୁଦ୍ଧାଭ୍ୟାସ ଡ୍ରାଗନର ଦୋମୁହାଁ ନୀତିକୁ ଦର୍ଶାଇଛି । ଚୀନ ବୈଦେଶିକ ମନ୍ତ୍ରୀ ଆତଙ୍କବାଦ ବିରୁଦ୍ଧରେ ପାକିସ୍ତାନର ବଳିଦାନକୁ ମାନ୍ୟତା ଦେବା ଉଚିତ କହିବା ପୁଣିଥରେ ପ୍ରମାଣିତ କରିଛି ୨ ଦେଶର ଚିରସବୁଜ ବନ୍ଧୁତାକୁ ।

ଯୁଦ୍ଧାଭ୍ୟାସ ୨୦ ଦିନର, ଆକ୍ସନ୍ ମୁଡରେ ଭାରତର ଦୁଇ ବଡ଼ ଶତ୍ରୁ :

3ଚୀନରେ ଆରମ୍ଭ ହୋଇଛି ଚୀନ ଓ ପାକିସ୍ତାନ ବାୟୁସେନାର ସଂଯୁକ୍ତ ସମରାଭ୍ୟାସ । ଯେଉଁଥିରେ ଭାଗ ନେଇଛନ୍ତି ଉଭୟ ଦେଶର ଅନେକ ଅତ୍ୟାଧୁନିକ ଓ ନବୀନତମ ଲଢୁଆ ବିମାନ ଓ ବୋମାବର୍ଷଣକାରୀ ବିମାନ । ଚୀନ ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଯୁଦ୍ଧାଭ୍ୟାସର ବିସ୍ତୃତ ବିବରଣୀ ପ୍ରକାଶ କରିଥିବା ବେଳେ ଦୁଇ ଦେଶର ବିଦେଶ ମନ୍ତ୍ରୀ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ ଏହି ଯୁଦ୍ଧାଭ୍ୟାସରେ ଭୂପୃଷ୍ଠରୁ ଆକାଶକୁ ପ୍ରକ୍ଷେପଣ କରାଯାଇପାରୁଥିବା ମିସାଇଲ୍ ଓ ଅତ୍ୟାଧୁନିକ ରାଡାର ସାମିଲ ହୋଇଛନ୍ତି । ସେପଟେମ୍ବର ୨୭ ପର୍ଯ୍ୟନ୍ତ ଦୀର୍ଘ ୨୦ ଦିନ ଧରି ଚାଲିବ ଚୀନ-ପାକିସ୍ତାନର ଏହି ମିଳିତ ସମରାଭ୍ୟାସ । ଏସିଆରେ ଭାରତର ପ୍ରଭାବ ରୋକିବାକୁ ଏହି ଅଭ୍ୟାସ ଉଦ୍ଦିଷ୍ଟ ବୋଲି କହିଛନ୍ତି ବିଶେଷଜ୍ଞ ।

ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ ଅଭ୍ୟାସରେ କେଜି-୨୦୦ ଏଡବ୍ଲ୍ୟୁଏଏସ୍ ସମେତ ଜେ-୧୧ ଓ ଜେଏଚ୍-୭ ବୋମାବର୍ଷଣକାରୀ ବିମାନ ସାମିଲ ହୋଇଛନ୍ତି । ସେହିପରି ପାକିସ୍ତାନ ପକ୍ଷରୁ ଏହି ଅଭ୍ୟାସରେ ଜେଏଫ୍-୧୭ ଥଣ୍ଡର ଫାଇଟର୍ ଜେଟ୍ ଓ ଶାହିନ୍ ଯୁଦ୍ଧବିମାନ ଯୋଗ ଦେଇଛନ୍ତି । ଏଥିସହ ଅଭ୍ୟାସ ଜରିଆରେ ଦୁଇ ଦେଶ ମଧ୍ୟରେ ଅତ୍ୟାଧୁନିକ ଯୁଦ୍ଧ ସଂଚାଳନା ବିଷୟରେ କୌଶଳ ବିନିମୟ କରାଯାଇଛି ।

ଷଷ୍ଠ ଶାହିନ୍ ସମରାଭ୍ୟାସର କାହାଣୀ , ଏକାଠି ହୋଇଛନ୍ତି ଭାରତର ଦୁଇ ପ୍ରତିଯୋଗୀ :

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଉପରେ ବାରମ୍ବାର ଚାପ ପଡୁଥିବାବେଳେ ଚୀନ-ପାକିସ୍ତାନର ମିଳିତ ଯୁଦ୍ଧାଭ୍ୟାସ ଏସିଆର ନୂଆ ସମୀକରଣ ଆଡ଼କୁ ଈଶାରା ଦେଇଛି । ସେପଟେ ଏହି ଅଭ୍ୟାସ ଜରିଆରେ ସମୁହ ଯୁଦ୍ଧାଭ୍ୟାସ, ସୈନିକ ସମ୍ବନ୍ଧ ଓ ସହଯୋଗ ବୃଦ୍ଧି, ଏୟାର ଡିଫେନ୍ସ ଦିଗରେ ପାକିସ୍ତାନ ଚୀନର ରଣନୀତିକୁ ଶିଖିବ । ବୈଷୟିକ ରଣକୌଶଳ ଶିଖିବା ଦିଗରେ ମଧ୍ୟ ଏହା ସହାୟକ ହେବ ପାକିସ୍ତାନ ପାଇଁ । ଅନ୍ୟ ପଟେ ଭାରତ ବିରୋଧୀ ରଣନୀତିରେ ପାକିସ୍ତାନ ଚୀନର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହୋଇ ଥିବାରୁ ଏହି ସମରାଭ୍ୟାସ ପୁଣିଥରେ ନିକଟତର କରିବ ଉଭୟ ଦେଶକୁ ।