ଲଦାଖରେ ମୁହାଁମୁହିଁ ହେଲେ ଭାରତ ଓ ଚୀନ୍ ସେନା ! ସୀମା ଭିତରକୁ ଅନୁପ୍ରବେଶ ଉଦ୍ୟମ କରୁଥିଲା ଡ୍ରାଗନ୍ ସେନା

31

କନକ ବ୍ୟୁରୋ : ଭାରତୀୟ ସୀମାବର୍ତ୍ତୀ ଅଂଚଳ ଲଦାଖର ପେଙ୍ଗୋଙ୍ଗ୍ ଅଂଚଳରେ ପୁଣି ଅନୁପ୍ରବେଶ ଉଦ୍ୟମ କରିଛି ଚୀନ ସେନା । ଏହାକୁ ନେଇ ଭାରତୀୟ ସେନା ଓ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି । ତେବେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି ଭାରତୀୟ ସେନା । ଚୀନ ସେନାର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେବା ପରେ ଭାରତୀୟ ସେନା ଉପରକୁ ପଥରମାଡ ଆରମ୍ଭ କରିଦେଇଥିଲେ । ଏହାର କଡା ଜବାବ ଦେଇଥିଲା ଭାରତୀୟ ସେନା । ଫଳରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଛନ୍ତି ।

ଭାରତୀୟ ସୀମାରେ ଚୀନ୍ ଯବାନମାନେ ପ୍ରବେଶ କରିବାକୁ ଉଦ୍ୟମ ବେଳେ ସେମାନଙ୍କୁ ରୋକିଥିଲେ ଭାରତୀୟ ଯବାନ । ଡ୍ରାଗନ୍ ସେନାର ଯବାନମାନେ ଦୁଇ ଦୁଇ ଥର ଭାରତୀୟ ସୀମାରେ ଅନୁପ୍ରବେଶ କରିିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦୁଇ ଥର ଯାକ ଅସଫଳ ହୋଇଥିଲେ ଚୀନ ସେନା । ସେହିପରି ଫିଙ୍ଗର ଫୋର ଅଂଚଳରେ ଚୀନ ସେନା ଅନୁପ୍ରବେଶ କରିବାରେ ସଫଳ ହୋଇଥିଲେ । କିନ୍ତୁ ଭାରତୀୟ ସେନା ସେମାନଙ୍କୁ ସୀମା ଆରପଟୁ ତଡିବାରେ ସଫଳ ହୋଇଛି । ଦୀର୍ଘ ଦୁଇ ମାସ ହେବ ଡୋକଲାମ ଅଂଚଳରେ ସେନା ମୂତୟନକୁ ନେଇ ଚୀନ ଓ ଭାରତ ମଧ୍ୟରେ ଉତେଜକ ପରିସ୍ଥିତି ଲାଗି ରହିଛି ।

ସୂଚନାଯୋଗ୍ୟ ଡୋକଲାମ ବିବାଦ ନେଇ ଭାରତ ଓ ଚୀନ ମଧ୍ୟରେ ଥିବା ସମ୍ପର୍କ ଜଟିିଳ ପରିସ୍ଥିତି ଆଡ଼କୁ ଗତି କରୁଛି । ଦୁଇ ଦେଶ ମଧ୍ୟରେ ସବୁବେଳେ ବିବାଦ ଲାଗି ରହିଛି । କେତେବେଳେ ଡୋକଲାମ ପ୍ରସଙ୍ଗରେ ପଡୋଶୀ ଦେଶ ଚୀନ ଉତ୍ତେଜିତ ବୟାନ ଦେଇ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି ତ ଆଉ କେତେବେଳେ ଭାରତ ସୀମାକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଭାରତ ଚୀନକୁ ଡରି ନଯାଇ ନିଜର କଡ଼ା ଆଭିମୁଖ୍ୟରେ ଅଟଳ ରହିଛି ।