ଓଡ଼ିଆ ପଢ଼,ପୁରସ୍କାର ନିଅ ! ଓଡ଼ିଆରେ ଶିଶୁଙ୍କୁ ମନର କଥା କହିଲେ ନବୀନ, ମୋ ସ୍କୁଲ କ୍ୟାମ୍ପେନ ର କଲେ ଶୁଭାରମ୍ଭ

191

କନକ ବ୍ୟୁରୋ : ମନ ଜିଣିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରୀୟ ଶିଶୁଦିବସ ପାଳନ ଉତ୍ସବରେ ପିଲାଙ୍କୁ ପାଠ ପଢ଼ି ସ୍ୱପ୍ନ ସାକାର କରିବାର ମନ୍ତ୍ର ଦେଇଛନ୍ତି ନବୀନ । ପିଲାଙ୍କୁ ବୃତି, ଅଭିଭାବକଙ୍କୁ ସମ୍ମାନ ଏବଂ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମୋ ସ୍କୁଲ ଅଭିଯାନ ପାଇଁ ଶହେ କୋଟିର କପର୍ସ ପାଣ୍ଠି ନେଇ ଆଜି ଘୋଷଣା ହୋଇଛି ।

କୁନି କୁନି ସ୍କୁଲ ପିଲାଙ୍କ ଉତ୍ସାହ ଓ ଉକ୍ରଣ୍ଠା ଭିତରେ ଥିଲା ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା । କ’ଣ କହିବେ? ପିଲାଙ୍କୁ କି ବାର୍ତା ଦେବେ? ଖାସ କରି କେଉଁ ଭାଷାରେ ପିଲାଙ୍କୁ ଉଦବୋଧନ ଦେବେ ? ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଆସି ପହଂଚିଥିଲେ କ୍ୟାପିଟାଲ ହାଇସ୍କୁଲ ପଡିଆରେ, ଯେଉଁଠି ରାଜ୍ୟସ୍ତରୀୟ ଶିଶୁଦିବସ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ମଂଚ ଉପରେ ଚାଲିଥିଲା ସାଂସ୍କୃତିକ କାର୍ୟ୍ୟକ୍ରମ । ଓଡିଶାର ସଂସ୍କୃତିର ଝଲକ ଦେଖିବାକୁ ମିଳୁଥିଲା ତାସହ ଥିଲା ଚିତାକର୍ଷକ ଦୃଶ୍ୟ । ଏତମାମ ଦିଗକୁ ମନ ଯାଉନଥିଲା । ନଜର ଅଟକୁଥିଲା ନବୀନଙ୍କ ଭାବମୁର୍ତ୍ତି ଉପରେ ।

ଶିଶୁଦିବସ କାର୍ୟ୍ୟକ୍ରମରେ ଆସିଥିଲା ନବୀନଙ୍କ ସମୟ । ଯେଉଁଠି ୧୦ ମିନିଟ ସେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବାର କାର୍ୟ୍ୟକ୍ରମ ଥିଲା । ହେଲେ ନବୀନଙ୍କ ପୁରା ଅଭିଭାଷଣ ଥିଲା ୧୧ ମିନିଟ ୫୩ ସେକେଣ୍ଡର । ଅର୍ଥାତ୍ ନବୀନ ପାଖାପାଖି ୨ ମିନିଟ ଅଧିକ କହିଥିଲେ । ଏହା ଯେତିକି ମହତ୍ୱପୁର୍ଣ୍ଣ ନଥିଲା, ଯେଉଁ ଢଙ୍ଗରେ ନିଜ ବକ୍ତବ୍ୟ ରଖିଲେ ଆଉ ଯେଭଳି ଢଙ୍ଗରେ ରଖିଲେ ତାହା ଥିଲା ଗୁରୁତ୍ୱପୁର୍ଣ୍ଣ । ବିନା କାଗଜରେ ଆଜି ନବୀନ ନିଜ ମନର କଥା କହିଥିଲେ । ଯାହା ଉପସ୍ଥିତ ସମସ୍ତଙ୍କ ମନକୁ ବେଶ ଛୁଇଁଥିଲା ।

naveenପ୍ରଥମଥର ପାଇଁ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଅନ୍ଦାଜ୍ରେ । ପିଲାଙ୍କ ଭିତରେ ଯେମିତି ପିଲାଟିଏ ପାଲଟି ଯାଇଥିଲେ ମୁଖ୍ୟମନ୍ତ୍ରୀ । ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ୩ଟି ଦାୟିତ୍ୱର ପାଠ । ସିଧାବାର୍ତା-ଭଲ ପାଠ ପଢ଼, ସ୍ୱପ୍ନ ସାକାର କର । ପିତାମାତାଙ୍କ ଧ୍ୟାନ ଦିଅ । ଏବଂ ନିଜ ସମାଜ, ଦେଶ ଏବଂ ଗାଁର ସେବା କର ।

ମହାପୁରୁଷଙ୍କ ପ୍ରେରଣା ଦେଇ ବାର୍ତା ସହ ଓଡ଼ିଶା ଭାଷାର ଟେକ ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ଭାଷା ବୃତିି ନେଇ ଘୋଷଣା କରିଥିଲେ ନବୀନ । ଏହି ଘୋଷଣା ଅନୁସାରେ, ଦଶମ ଶ୍ରେଣୀରେ ଓଡ଼ିଆ ଭାଷାରେ ଭଲ କରିଥିବା ପିଲାଙ୍କୁ ମିଳିବ ୫ହଜାର ଟଙ୍କାର ପୁରସ୍କାର । ପ୍ରତି ବ୍ଲକର ୧୦ ଜଣ ପିଲା ପାଇବେ ୫ହଜାର ଲେଖାଏଁ ପୁରସ୍କାର । ସେହିପରି ୧୦ମରେ ଭଲ ନମ୍ବର ପିଲାଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ମେଧାବୃତି । ଯାହା ରାଜ୍ୟର ୪୦ ହଜାର ଛାତ୍ରଛାତ୍ରୀ ପାଇବେ ।

ମେଧାବୀ ଛାତ୍ରଙ୍କ ପିଲା ପାଇବେ ବୃତି, ଆଉ ତାସହ ପିଲାଙ୍କ ବାପା-ମାଙ୍କୁ ସମ୍ମାନିତ ହେବ । ପ୍ରତି ବ୍ଲକରେ ୩ଟି ସ୍କୁଲ ଏକ ଲକ୍ଷ ଲେଖାଏଁ ପୁରସ୍କାର ପାଇବେ, ଯାହା ସ୍କୁଲର ଶିକ୍ଷକମାନଙ୍କୁ ମଧ୍ୟ ବଂଟାଯିବ ।ମୋ ସ୍କୁଲ ଅଭିଯାନର ବି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ପାଇଁ ଶହେ କୋଟିର କର୍ପସ ପାଣ୍ଠି ଗଠନ ହେବ । ସ୍କୁଲ ପୂର୍ବତନ ଛାତ୍ର କିମ୍ବା ସ୍ଥାନୀୟ ଜନତା ଯଦି ଅର୍ଥ ଦାନ କରନ୍ତି, ସେହି ପରିମାଣର ଦୁଇଗଣ ଅର୍ଥ ଦେବେ ସରକାର । ଯାହା ସ୍କୁଲର ବିକାଶ ପାଇଁ ଖର୍ଚ୍ଚ ହେବ ।

ଶିଶୁଦିବସରେ ନବୀନ ସରକାରଙ୍କ ଏହି ଆଡମ୍ବର ଆୟୋଜନକୁ ବିଜେପି ସମାଲୋଚନା କରିଛି । ବିଜେପି କହିଛି ଏହି ସମାରୋହ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଗଲା କିନ୍ତୁ ଏଥିରେ ବିକାଶର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନାହିଁ । ସେହିଭଳି କଂଗ୍ରେସ କହିଛି ଘୋଷଣା କରିବାରେ ନବୀନ ମାଷ୍ଟର । କିନ୍ତୁ ଏହାର ପ୍ରତିକ୍ରିୟାରେ ବିଜେଡି କହିଛି ବିରୋଧୀ ନକରାତ୍ମକ ମନୋଭାବ ପୋଷଣ କରୁଛନ୍ତି ।

naveenଶିଶୁ ଦିବସରେ ନବୀନ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । କିନ୍ତୁ ଏହି ଘୋଷଣା କେବଳ ଘୋଷଣାରେ ରହିଯିବନି ତ ? ଶିଶୁଦିବସରେ ସରକାରଙ୍କ ବଡ ନାରା ଭିତରେ କଣ ରହିଛି ଓଡ଼ିଶାରେ ସ୍କୁଲ ଶିକ୍ଷାର ସ୍ଥିତି । କେମିତି ପାଠ ପଢୁଛନ୍ତି ଆମ ପିଲା । କ’ଣ ରହିଛି ସେମାନଙ୍କ ପାଇଁ ବ୍ୟବସ୍ଥା । କିଛି ତଥ୍ୟ ଉପରେ ନଜର ପକାନ୍ତୁ । ରାଜ୍ୟରେ ସମୁଦାୟ ୩୪ ହଜାର ୨୩୮ଟି ପ୍ରାଥମିକ ଏବଂ ୧୭ ହଜାର ୭୨୬ ଉଚ୍ଚମାଧ୍ୟମିକ ସ୍କୁଲ ଅଛି । ସେଥି ମଧ୍ୟରୁ ୨୯ ହଜାର ୯୪୪ଟି ପ୍ରାଥମିକ ସ୍କୁଲରେ ପ୍ରତି ଶ୍ରେଣୀ ପାଇଁ ବଖରାଏ ଗୃହ ନାହିଁ । ୧୧ ହଜାର ୭୪୪ଟି ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରତି ଶ୍ରେଣୀ ପାଇଁ ବଖରାଏ ଶ୍ରେଣୀ ଗୃହ ନାହିଁ । ୩୨ ହଜାର ୫୫୩ଟି ପ୍ରାଥମିକ ସ୍କୁଲରେ ପ୍ରତି ଶ୍ରେଣୀ ପାଇଁ ଜଣେ ହେଲେ ବି ଶିକ୍ଷକ ନାହାନ୍ତି । ୧୨ ହଜାର ୪୬୬ଟି ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରତି ଶ୍ରେଣୀ ପାଇଁ ଜଣେ ହେଲେ ବି ଶିକ୍ଷକ ନାହାନ୍ତି । ରାଜ୍ୟର ସମସ୍ତ ସରକାରୀ ସ୍କୁଲ ମଧ୍ୟରୁ ୭ ପ୍ରତିଶତ ହେଉଛି ଜଣେ ଶିକ୍ଷକରେ ଚାଲୁଥିବା ସ୍କୁଲ । ୬୬ ପ୍ରତିଶତ ସରକାରୀ ପ୍ରାଥମିକ ସ୍କୁଲରେ ୩୦ ଜଣ ଛାତ୍ର ପାଇଁ ଜଣେରୁ କମ୍ ଶିକ୍ଷକ ଅଛନ୍ତି । ସର୍ବ ଶିକ୍ଷା ଅଭିଯାନରେ ରାଜ୍ୟରେ ଏବେ ୨୪ ହଜାର ୪୪୬ଟି ଶିକ୍ଷକ ପଦ ଖାଲି ରହିଛି । ସରକାରୀ ହାଇସ୍କୁଲରେ ମୋଟ ୧୧ ହଜାର ୩୪୧ ପଦବୀ ଖାଲି ରହିଛି । ରାଜ୍ୟର ୩୭୬ ଟି ସ୍କୁଲର ନିଜସ୍ୱ ଘର ନାହିଁ ବୋଲି ବିଧାନସଭାର ତଥ୍ୟ କହୁଛି ।
ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ, ଛାତ୍ରଛାତ୍ରୀଙ୍କ ସହ ସ୍କୁଲ, ଅଭିଭାବକ ଏବଂ ଶିକ୍ଷକଙ୍କୁ ବି ପ୍ରୋତ୍ସାହିତ କରିବା ପାଇଁ ପାଇଁ ଘୋଷଣା କରିଛନ୍ତି ।ଯେଉଁ ଦୃଶ୍ୟ ୧୭ ବର୍ଷରେ କେବେ ଦେଖିବାକୁ ମିଳିନଥିଲା, ଆଜି ପ୍ରଥମଥର ପାଇଁ ଦେଖିବାକୁ ମିଳିଥିଲା ।ଯାହା ସାଧାରଣ ଲୋକଙ୍କୁ ରୋମାଞ୍ଚିତ କରିଛି ।