ପାଠ ପଢିବା ପାଇଁ ପ୍ରତିଦିନ ଜୀବନ ସହ ସଂଘର୍ଷ ! ଘାଇ ଟପିଲେ ସ୍କୁଲ, ପାଣି ଡେଇଁଲେ ପାଠପଢା ।

39

କନକ ବ୍ୟୁରୋ : ପାଣି ପାର ହେଲେ ପାଠଶାଳା । ନଦୀ ଭିତରେ ଘାଇ, ଆଉ ଘାଇ ମୁହଁରେ ପଶି ଅଂଟାଏ ଉଚ୍ଚର ପାଣି ପାର ହେଲେ ପଡିବ ସ୍କୁଲ । ଆଉ କିଛି ବାଟ ନାହିଁ । ଦିନେ କି ଦୁଇ ଦିନ ନୁହଁ, ବର୍ଷ ତମାମ ଏଭଳି ସ୍ଥିତି । ଜାଣନ୍ତୁ କାକଟପୁରରେ ଛାତ୍ରଛାତ୍ରୀଙ୍କ ସ୍କୁଲଯାତ୍ରାର ବାସ୍ତବ ସ୍ଥିତି ।

ଘାଇ ମୁହଁରେ ଅଂଟାଏ ପାଣିରେ ପଶି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ପାଣି ପାର ହେଲେ ପାଠପଢା । ସ୍କୁଲକୁ ଆଉ ରାସ୍ତା ନାହିଁ । ବର୍ଷା ଦିନେ କାଦୁଆ ନଦୀରେ ପାଣି ଉବୁଟୁବୁ । ଆଉ ତାରି ଭିତରେ ପଶି ନିଇତି ଯିବାକୁ ପଡିଥାଏ ସ୍କୁଲ୍ । ଟିକେ ଗୋଡ ଖସିଲେ କଥା ସରିଲା । କାକଟପୁର ବ୍ଲକ୍ ଅବଦାନ ପଂଚାୟତରେ ଭୟ ଓ ଆତଙ୍କ ଭିତରେ ଚାଲିଛି ସ୍କୁଲଯାତ୍ରା ।

ପ୍ରତିଦିନ ନଦୀ ପାର ହୋଇ ଚିତ୍ରେଶ୍ୱରୀ ମାଧ୍ୟମିକ ସ୍କୁଲକୁ ଆସନ୍ତି ତେଲିକୁଦ ଗାଁର ୬ଟି ୱାର୍ଡର ୫୦ରୁ ଅଧିକ ଛାତ୍ରଛାତ୍ରୀ । ଖରାଦିନେ ପାଣି କମ୍ ଥିବାରୁ କେମିତି କେମିତି କାମ ଚଳିଯାଉଛି । ହେଲ ବର୍ଷାଦିନେ ଅବସ୍ଥା ସାଂଘାତିକ । ନଦୀ ବନ୍ଧ ଖାଇଯାଇଥିବା ବେଳେ ଏବେ ତିନି ତିନିଟି ଘାଇ ସୃଷ୍ଟି ହୋଇଛି । ଯାହା ମଧ୍ୟ ଦେଇ ସ୍କୁଲ ଯାଉଛନ୍ତି ଛୋଟ ଛୋଟ ପିଲାମାନେ ।