ପୋଲ ପାର ହେଲେ ସ୍କୁଲ ! କିନ୍ତୁ ଦୁଇ ମାସ ହେଲାଣି ଭାଙ୍ଗି ପଡିଛି ପୋଲ, ବିପଦପୂର୍ଣ୍ଣ ଅବସ୍ଥାରେ ୯ ଫୁଟର ନାଳ ଡେଇଁ ସ୍କୁଲ ଯାଉଛନ୍ତି କୁନିପିଲା ।

25

ଗୁଜୁରାଟର ଖେଡା ଜିଲ୍ଲାରେ ପୋଲ ଭାଙ୍ଗି ଯିବା ହେତୁ ଲୋକମାନେ ଓ ଛୋଟପିଲାମାନେ କିପରି ବିପଦପୂର୍ଣ୍ଣ ନଳା ଦେଇ ପାର ହେଉଛନ୍ତି ତାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖେଡାର ନାଏକା ଓ ଭେରାଇ ଗ୍ରାମକୁ ଯୋଡ଼ୁଥିବା ଏକ ପୋଲ ଦୁଇ ମାସ ହେବ ଭାଙ୍ଗି ଯାଇଛି। ଏଯାବତ୍ ଏହାର ମରାମତି କରା ଯାଇନାହିଁ । ଏମିତିରେ ଗ୍ରାମରୁ ବାହାରକୁ ଯିବାକୁ ହେଲେ ୯ଫୁଟ ଉଚ୍ଚ ବିପଦପୂର୍ଣ୍ଣ ନଳା ଉପର ଦେଇ ଯିବାକୁ ଗ୍ରାମବାସୀ ବାଧ୍ୟ ହେଉଛନ୍ତି । ଏହି ନଳା ଛଡ଼ା ଗ୍ରାମ ବାହାରକୁ ଯିବା ପାଇଁ ଲୋକମାନଙ୍କ ପାଖରେ ଅନ୍ୟ କୌଣସି ରାସ୍ତା ହିଁ ନାହିଁ । କେବଳ ବଡ଼ ଲୋକ ନୁହନ୍ତି, ଛୋଟ ପିଲାମାନେ ବି ଏହି ନଳା ଦେଇ ପ୍ରତିଦିନ ସ୍କୁଲ ଯାଉଥିବା ଦେଖିବାକୁ ମିଳୁଛି ।

କାରଣ ପୋଲ ଭାଙ୍ଗି ଯିବା ପରେ ସ୍କୁଲ ଯିବା ପାଇଁ ଅନ୍ୟ କୌଣସି ପାଖ ରାସ୍ତା ନାହିଁ । ଏଥିପାଇଁ ଅଭିଭାବକମାନେ ପ୍ରତିଦିନ ବାଧ୍ୟ ହୋଇ ନିଜ ପିଲାଙ୍କ ହାତ ଧରି ଏହି ନଳା ପାର କରି ସ୍କୁଲରେ ନେଇ ଛାଡିଥାଆନ୍ତି । ଏହି ନଳାପାର କରି ଗ୍ରାମ ବାହାରକୁ ଯିବା ପାଇଁ ଗ୍ରାମବାସୀଙ୍କୁ ଏକଘଣ୍ଟା ସମୟ ଲାଗିଥାଏ । ଯଦି ଏହି ନଳା ବାଟେ ସେମାନେ ନଯିବେ ତେବେ ୧୦କିମି ଦୂର ଅତିକ୍ରମ କଲା ପରେ ଯାଇ ଗ୍ରାମବାସୀ ବାହାରକୁ ଯାଇ ପାରିବେ ।

ଗ୍ରାମବାସୀ କହନ୍ତି, ଏହି ପୋଲ ମରାମତି ପାଇଁ ଅନେକ ଥର ସେମାନେ ପ୍ରଶାସନକୁ କହିଛନ୍ତି । କିନ୍ତୁ ଏଯାବତ୍ କେହି ସେମାନଙ୍କ କଥା ଶୁଣି ନାହାନ୍ତି । ଏହି ଘଟଣାକୁ ନେଇ ପ୍ରାଶାସନ କହୁଛି, ବର୍ଷା ହେତୁ ପୋଲ ମରାମତି କାମ ଆରମ୍ଭ ହୋଇପାରି ନାହିଁ । ତେବେ ଖେଡା କଲେକ୍ଟର ଆଇକେ ପଟେଲ ଗ୍ରାମବାସୀଙ୍କୁ ଆଶ୍ୱସନା ଦେଇ କହିଛନ୍ତି ଖୁବ୍ ଶୀଘ୍ର ପୋଲ ମରାମତି କାମ ଆରମ୍ଭ କରି ଦିଆଯିବ ।