ସୋସିଆଲ ମିଡିଆରେ ଗୁଜବକୁ ନେଇ ଓଡ଼ିଶାରେ ଚାଲିଛି ମାରପିଟ! ପିଲା ଚୋର ସନ୍ଦେହରେ ଅଜଣା ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆକ୍ରମଣ କରୁଛନ୍ତି ସ୍ଥାନୀୟ ଲୋକ

71

କନକ ବ୍ୟୁରୋ : ସୋସିଆଲ୍ ମିଡିଆରେ ମିଛ ଖବରକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ଚାଲିଛି ମାରପିଟ୍ । ଯେଉଁଠି ଅଜଣା ବ୍ୟକ୍ତିଙ୍କୁ ଦେଖୁଛନ୍ତି, ତାଙ୍କୁ ଆକ୍ରମଣ କରିଦେଉଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ମେସେଜରେ କୁହାଯାଇଛି, ବିହାରରୁ ପ୍ରାୟ ୫ଶହ ଜଣ ପିଲାଚୋର ଓଡିଶାରେ ପସିଆସିଛନ୍ତି ଏବଂ ସେମାନେ ଛଟୋ ପିଲାଙ୍କୁ ଚୋରି କରି ତାଙ୍କ କିଡନୀ ଓ ଆଖି କାଢି ନେଉଛନ୍ତି । ସେହି ମେସେଜରେ ଫଟୋ ବି ଦିଆଯାଇଛି । ଏହାକୁ ଦେଖି ଲୋକେ ତାତି ଉଠିଛନ୍ତି ଏବଂ ଯେଉଁ ଅଜଣା ବ୍ୟକ୍ତିଙ୍କୁ ଦେଖୁଛନ୍ତି , ତାଉପରେ ଆକ୍ରମଣ କରୁଛନ୍ତି । ଆଜି ରାୟଗଡା, ବ୍ରହ୍ମପୁର, କନ୍ଧମାଳ ଓ ଭୁବନେଶ୍ୱରର ସାଲିଆ ସାହିରେ ଏଭଳି ଆକ୍ରମଣ ଘଟଣା ଦେଖିବାକୁ ମିଳିଛି । ସେପଟେ ପୋଲିସ ଡିଜି କହିଛନ୍ତି, ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଖବର ସମ୍ପୂଣ୍ଣ ମିଛ ।

ପିଲା ଚୋରୀର ଗୁଜବ ଖେଳିଗଲା ପରେ ଅଜରା ବ୍ୟକ୍ତିଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖାଦେବା ମାତ୍ରେ ଆରମ୍ଭ ହୋଇଯାଉଛି ମାଡ଼ । ଜଙ୍ଗଲରେ ନିଆଁ ବ୍ୟାପିବା ପରି ଓଡ଼ିଶାର ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ମାଡ଼ ବ୍ୟାପି ଚାଲିଛି । ରାୟଗଡ଼ାରେ ସୋସିଆଲ ମିଡ଼ିଆରେ ମେସେଜ ଦେଖିବା ପରେ ଲୋକଙ୍କ ମନରେ ଧାରଣା ହୋଇଥିଲା ପିଲା ଚୋରୀ କରିବାକୁ ରାକେଟ ବୁଲୁଛି । ଆଉ ଅଜଣା ବ୍ୟକ୍ତିଙ୍କୁ ଦେଖିଦେଲେ, ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି ଲୋକ ।

ବିହାରରୁ ୫୦୦ ଯୁବକଙ୍କ ପିଲା ଚୋରି ରାକେଟ ଏବେ ଓଡ଼ିଶା ଆସିଛନ୍ତି । ଏମାନେ ପିଲାଙ୍କୁ ଚୋରି କରି ନେବା ସହ ସେମାନଙ୍କ ଆଖି ତାଡ଼ି ନେଇ ଯାଉଛନ୍ତି ।ଏହି ସବୁ ମେସେଜ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ମେସେଜରେ କେତେ ଜଣଙ୍କର ଆଖି ତାଡ଼ି ନିଆଯାଉଥିବା ମଧ୍ୟ କୁହାଯାଉଛି । ଆଉ ଏହା ଦେଖି ନିଜ ନିଜ ଅଞ୍ଚଳରେ ସଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ରକ୍ତମୁଖା ହେଉଛନ୍ତି ସାଧାରଣ ଲୋକ । ଏସବୁ ଭିତରେ ନୟାଗଡ଼ରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ର ବର୍ଷା ହୋଇଛି । ବିଚରା ନିର୍ଦ୍ଦୋଷ ବ୍ୟକ୍ତି ଗାୟତ୍ରୀ ପରିବାରର ଏବଂ ଲୋକଙ୍କୁ ନୈତିକ ଶିକ୍ଷା ଦେବାକୁ ଆସନ୍ତି । କିନ୍ତୁ ଆଜି ସେ ପଡ଼ିଗଲେ-ଉତ୍ତ୍ୟକ୍ତ ଲୋକଙ୍କ ହାବୁଡ଼ରେ ।

ସାରା ରାଜ୍ୟରେ ଏଭଳି ଘଟଣା ଘଟୁଥିବାର ରିପୋର୍ଟ ଆସିବା ପରେ ପୋଲିସ ଡ଼ିଜି ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ସୋସିଆଲ ମିଡ଼ିଆରେ ଗୁଜବ ସୃଷ୍ଟି କରାଯାଉଛି । ତେଣୁ ଏହାକୁ ବନ୍ଦ କରିବାକୁ ହେଲେ ସୋସିଆଲ ମିଡ଼ିଆରେ ଏଭଳି ଗୁଜବ ବନ୍ଦ କରିବାକୁ ପଡ଼ିବ । ବ୍ରହ୍ମପୁର, ଖଲ୍ଲିକୋଟ, ନୟାଗଡ଼, ଦଶପଲ୍ଲା, କୋରାପୁଟର କୁମୁଲି, ଜୟପୁରର ଜୟନଗର ଓ କନ୍ଧମାଳ ଭଳି ସ୍ଥାନରେ ପିଲାଚୋର ସନ୍ଦେହରେ ମାଡ଼ ମାରି ଲହୁଲୁହାଣ କରିଦେଇଛନ୍ତି ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ । ତେବେ ଏହାର ମୂଲ କାରଣ-ସୋସିଆଲ ମିଡ଼ିଆରେ ଏଭଳି ମେସେଜ କିଏ ପଠାଉଛି ଓ କାହିଁକି ପଠାଉଛି ତାହା ସ୍ପଷ୍ଟ ହୋଇପାରିନାହିଁ ।