ଚିଲିକା ଗର୍ଭରେ ପୁନର୍ଜନ୍ମ ! ବାପା କାନ୍ଧରୁ ଖସି ଯାଇ ବି ବଂଚିଲା ୪ବର୍ଷର ପୁଅ

70

କନକ ବ୍ୟୁରୋ : କାଳିଜାଇ କାଳ୍ପନିକ ଦୁର୍ଘଟଣାର କାହାଣୀଠାରୁ କିଛି କମ୍ ନଥିଲା ଗତକାଲିର ଚିଲିକା ଡଙ୍ଗାବୁଡି ଘଟଣା । ଅକାଳରେ ପ୍ରାଣ ହରାଇଲେ ୪ ଜଣ । ମୃତ୍ୟୁ ମୁହଁରୁ ଖସି ଆସିଲେ ୧୧ ଜଣ । ହେଲେ ଏମାନଙ୍କ ମଧ୍ୟରେ ୪ ବର୍ଷିୟ ପ୍ରବୀଣର ପୁନର୍ଜନ୍ମ କାହାଣୀ ଥିଲା ଖୁବ୍ ରୋମାଂଚକର । ଯାହା ଜୀବନକୁ ଫେରାଇ ଦେଇଛି ଚିଲିକାର ଅକାତକାତ ପାଣି । ବ୍ରହ୍ମପୁର ହସ୍ପିଟାଲରେ ଏବେ ତାର ଚିକିତ୍ସା ଚାଲିଛି । ଆଉ ପୁଅର ଏହି ପୁନର୍ଜନ୍ମର କାହାଣୀକୁ ବଖାଣିଛନ୍ତି ତାର ବାପାମାଆ ।

ମଝି ଦରିଆରେ ହଠାତ୍ ମାଡି ଆସିଲା ଆତଙ୍କର ପବନ । ଚହଲିଗଲା ଚିଲିକାର ପାଣି । ଦୋହଲିଗଲା ଯାତ୍ରୀବାହୀ ଡଙ୍ଗା । ଲୁଣି ପାଣିରେ ଓଦା ହେଉଥିଲା ପାଦ , ହେଲେ ମୃତ୍ୟୁର ଭୟରେ ଓଦା ହେଉଥିଲା ମନ । ଜୀବନ ଓ ମୃତ୍ୟୁର ମୁହୂର୍ତ୍ତରେ ଆଶ୍ରା ସାଜିଥିଲା ଖଣ୍ଡିଏ ଲମ୍ବା ବାଉଁଶ । ସମସ୍ତେ ବିକଳରେ ଜାବୁଡି ଧରିଥିଲେ ସେହି ବାଉଁଶକୁ । ୨୯ଜଣଙ୍କ ମଧ୍ୟରେ ଥିଲେ ବାପିନା , ଜୁଲି ଓ ତାଙ୍କର ୪ବର୍ଷର ପୁଅ ପ୍ରବୀଣ । ବାପା ବାଉଁଶକୁ ଧରିଥିଲେ ଆଉ ପୁଅ ବାପାକୁ ।

ଚିଲିକା ଆକାଶରେ ବାଦଲ ନଥିଲା, ହେଲେ ଅଜଣା ପବନ କିନ୍ତୁ ଖୁବ୍ ଡରାଉଥିଲା । ୟା ଭିତରେ ଜଣେ ପରେ ଜଣେ ଛିଟିକି ପଡୁଥିଲେ ଡଙ୍ଗା ଭିତରୁ । ମୃତ୍ୟୁକୁ ବୁଝି ନଥିବା ୪ ବର୍ଷର ପ୍ରବୀଣ ମୃତ୍ୟୁର ଭୟରେ ଜଙ୍ଗସଡ ହେଉଥିବା ବାପାକୁ ଜାବୁଡି ଧରୁଥିଲା ଆହୁରି ଜୋରରେ । ହେଲେ ପାରି ନଥିଲା । ଶେଷରେ ବାପା କାନ୍ଧରୁ ଖସି ଯାଇଥିଲା ପୁଅ ।

ବାପା ଭାବିଲେ ଚିଲିକା ଚୋରାଇ ନେଲା ତାଙ୍କ କଅଁଳା କୁଅକୁ । ହେଲେ ମାତ୍ର କିଛି ସମୟ ପରେ ଅଶାନ୍ତ ଚିଲିକାର କୋଳରେ ପ୍ରବୀଣ ଭାସୁଥିଲା । ସେତେବେଳକୁ ଲୁଣି ପାଣି ପିଇ ଅଚେତ ହୋଇପଡିଥିଲା ସେ ।
ଚିଲିକାର ଏହି ଡଙ୍ଗାବୁଡିରେ ୪ ଜଣ ପ୍ରାଣ ହରାଇଛନ୍ତି । ହେଲେ ମରଣ ମୁହଁରୁ ଜୀବନ ପାଇଛି ପ୍ରବୀଣ । ଖାଲି ଜୀବନ ତ ନୁହେଁ ଚିଲିକା ଗର୍ଭରୁ ପାଇଛି ପୁନର୍ଜନ୍ମ ।