ପ୍ରମିଳାଙ୍କ ଚେଷ୍ଟା ହେଲା ସଫଳ ! କମ୍ ବୟସରେ ବାହା କରାଉଥିବା ନିଜ ବାପା-ମାଆଙ୍କ ବଦଳିଲା ନିଷ୍ପତ୍ତି

42

କନକ ବ୍ୟୁରୋ : ୨୨ ବର୍ଷୀୟ ପ୍ରମିଳା କୁଦେଇ । ଘର ଭ୍ରୁଙ୍ଗିଯୋଡି, କନ୍ଧମାଳରେ । ଯୁକ୍ତ-୩ ପାସ୍ କରିଛନ୍ତି ପ୍ରମିଳା । ଆଗକୁ ଆହୁରି ପଢିବାକୁ ଇଛା । ହେଲେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ପ୍ରମିଳାଙ୍କ ପାଇଁ ବିବାହ ପ୍ରସ୍ତାବ ଆଣିଥିଲେ ପରିବାର । ବାଧ୍ୟ କରିଥିଲେ ବାହାହେବାକୁ । ହେଲେ ପ୍ରମିଳା ଠିକ୍ ଜାଣିଥିଲେ ୧୮ ବର୍ଷରୁ କମ୍ ବୟସରେ ବିବାହ କରିବା ଆଇନ୍ ବିରୋଧୀ । ଏନେଇ ବାପା-ମାଆଙ୍କୁ ବାରମ୍ବାର ବୁଝାଇବା ପରେ ଅନ୍ତରଂଗ କ୍ଲବର ସହାୟତା ନେଇଥିଲେ ପ୍ରମିଳା । ପରେ ବଦଳିଯାଇଥିଲା ପ୍ରମିଳାଙ୍କ ପରିବାରର ଚିନ୍ତାଧାରା ।

ଓଡିଶାର ଗ୍ରାମାଂଚଳରେ ୨୧.୭ ପ୍ରତିଶତ ଏବଂ ସହରାଂଚଳରେ ୧୯.୫ ପ୍ରତିଶତ ଝିଅଙ୍କ ବାହାଘର ୧୮ କିମ୍ବା ତାଠୁ କମ୍ ବୟସରେ କରିଦିଆଯାଏ । ବାଲ୍ୟ ବିବାହରେ ଜାତୀୟ ହାର ୨୬. ୮ ପ୍ରତିଶତ ଥିବା ବେଳେ ଓଡିଶାର ୮ଟି ଜିଲ୍ଲା ଜାତୀୟ ହାରଠାରୁ ବି ଅଧିକ । ଯେଉଁଥିରେ ସବୁଠୁ ଆଗରେ ରହିଛି ମାଲକାନଗିରି । ୧୮ ବର୍ଷରୁ କମ୍ ବୟସର ଝିଅଙ୍କୁ ବିବାହ କରାଇବା ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ । ତଥାପି ଓଡିଶାର କୋଣଅନୁକୋଣରେ ଚାଲିଛି ବାଲ୍ୟ ବିବାହ ।

ଗରିବାବସ୍ଥା, କୁସଂସ୍କାର, ପ୍ରଚଳିତ ପରମ୍ପରା ଏବଂ ସାମାଜିକ ପ୍ରଥା ବାଲ୍ୟ ବିବାହ ପଛର ପ୍ରମୁଖ କାରଣ । ବାଲ୍ୟ ବିବାହ ଦ୍ୱାରା ଝିଅଙ୍କ କ୍ଷେତ୍ରରେ କମ୍ ବୟସରେ ଗର୍ଭଧାରଣ, ଶିଶୁ ଜନ୍ମ ବେଳେ ସମସ୍ୟା ଏବଂ କମ୍ ଓଜନର ଶିଶୁ ଜନ୍ମ ହେବା ଭଳି ସମସ୍ୟା ଦେଖାଦେଇଥାଏ । ଏପରିକି ଗୋଟିଏ ସୁସ୍ଥ ଶିଶୁ ଜନ୍ମ ହେବା ନେଇ ଆଶଙ୍କା ରହିଥାଏ । ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି । ଶିଶୁ ଓ ମାତୃ ମୃତ୍ୟୁହାର କମାଇବା ପାଇଁ ବାଲ୍ୟ ବିବାହ ବନ୍ଦ ହେବା ଜରୁରୀ । ମହିଳାଙ୍କ ପ୍ରତି ହିଂସା ରୋକିବାରେ ଅକ୍ସଫାମ୍ ଇଣ୍ଡିଆ ଓ କନକ ନ୍ୟୁଜର ମିଳିତ ଅଭିଯାନ- ନୂଆ କରି ଭାବିବା, ହିଂସାମୁକ୍ତ ସମ୍ପର୍କ ଗଢିବା । ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ମିସ୍ କଲ୍ କରନ୍ତୁ- ୦୯୭୦୦୦୮୯୫୫୫