ବେଆଇନ ଦାଦନ ଚାଲାଣବେଳେ ପଶ୍ଚିମ ଓଡିଶାରୁ ଶତାଧିକ ଶ୍ରମିକ ଉଦ୍ଧାର ! ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଚାଲାଣବେଳେ ଉଦ୍ଧାର କଲା ପୁଲିସ

35

କନକ ବ୍ୟୁରୋ: ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ପାଇଁ ଉଦ୍ୟମ ବେଳେ କଂଟାବାଞ୍ଜି ପୋଲିସ ୮୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ତେଲେଙ୍ଗାନା ଚାଲାଣ ହେଉଥିବା ୧୫ ଜଣ ଶିଶୁ ଓ ୬୬ ଜଣ ମହିଳା ଓ ପୁରୁଷଙ୍କୁ ଉଦ୍ଧାର କରିଛି ପୁଲିସ । ବିନା ଲାଇସେନ୍ସରେ ବେଆଇନ ଭାବରେ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ୫ ଜଣ ଦାଦନ ସର୍ଦ୍ଦାରକୁ ଗରିଫ କରିଛି ।

କଂଟାବାଞ୍ଜି, ଖଡିଆଳ, ବେଲପଡା ଓ ଗାଇସିଲେଟ ଅଚଂଳର କିଛି ମହିଳା ଓ ପୁରୁଷକୁ ନେଇ ଜଣେ ଦଲାଲ କଂଟାବାଞ୍ଜି ଷ୍ଟେସନକୁ ନେଉଥିବା ପୁଲିସକୁ ଖବର ମିଳିଥିଲା । ଏହାପରେ ବଲାଙ୍ଗିର ପୁଲିସର ସ୍ପେଶାଲ ସ୍କ୍ୱାଡ ଓ ଏସଡିପିଓଙ୍କ ନେତୃତ୍ୟରେ କଂଟାବାଞ୍ଜି ଷ୍ଟେସନରେ ଚଢାର କରି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ସେହିପରି ପାଟଣାଗଡ ବ୍ଲକ ବରବାହଲ ଗାଁରୁ ୧୯ ଜଣ ଦାଦନକୁ ଉଦ୍ଧାର କରିଛି ପାଟଣାଗଡ ପୁଲିସ । ବରଗଡ ଜିଲ୍ଲା ଘାଟଗାଁ ଅଂଚଳର ୧୦ ଜଣ ପୁରୁଷ, ୬ ଜଣ ମହିଳା ଓ ୩ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ । ଏହି ଘଟଣାରେ ଜଣେ ଦଲାଲକୁ ଅଟକ ରଖିଛି ପୁଲିସ । ସେହିପରି ଲାଠୋରରେ ମଧ୍ୟ ୨୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କୁ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରାଯିବା ସହ ଜଣେ ଦଲାଲକୁ ଗିରଫ କରାଯାଇଛି ।