ଶ୍ରୀମନ୍ଦିର ଭିତରେ ବେଧଡକ ଚାଲିଛି ଶିଶୁ ଶ୍ରମିକ ପ୍ରଥା ! ଅବଢା ବିକ୍ରୀରେ ନିୟୋଜିତ ହେଉଛନ୍ତିି ପିଲା

37

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଶିଶୁ ଶ୍ରମିକ । ଅବଢ଼ା ବିକ୍ରିରେ ନିୟୋଜିତ ହୋଇଛନ୍ତି ନାବାଳକ । ଏମିତି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଆଉ ଏ’ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡିଛି ଶିଶୁ କଲ୍ୟାଣ କମିଟି । ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ଶିଶୁ ଶ୍ରମିକ ଭଳି ବେଆଇନ କାର୍ଯ୍ୟରେ ନାବାଳକଙ୍କୁ ନିୟୋଜିତ କରୁଥବା ସତ୍ୱେ ଏହାକୁ ଘଂଟ ଘୋଡାଇବା ପାଇଁ ଆଗେଇ ଆସୁଛନ୍ତି ସେବାୟତ?

କିଛି ଏଭଳି ଢ଼ଙ୍ଗରେ ଅବଢ଼ା ବିକ୍ରିରେ ନିୟୋଜିତ ହେଉଛନ୍ତି ନାବାଳକ । ଶ୍ରୀମନ୍ଦିର ଆନନ୍ଦବଜାରରେ ବେଧଡକ୍ ଶିଶୁ ଶ୍ରମିକ କାମ କରୁଥିବା ନ’ଜରକୁ ଆସିଛି । ଏଭଳି ଘଟଣା ସାମ୍ନାକୁ ଆସିଛି, ଯେତେବେଳେ କିଛି ସ୍ୱେଚ୍ଛାସେବୀ ସଂଗଠନ ପୁରୀ ଅମ୍ବାପଡ଼ାର ଜଣେ ୧୪ ବର୍ଷୀୟ ନାବାଳକ ମହାପ୍ରସାଦ ବିକ୍ରି କାର୍ଯ୍ୟରେ ନିୟୋଜିତ ଥିବା ଅବସ୍ଥାରେ ଉଦ୍ଧାର କରିଛନ୍ତି ।

ଏପଟେ ଶିଶୁ କଲ୍ୟାଣ କମିଟି ପକ୍ଷରୁ ଦିଆଯାଇଥିବା ଚିଠି ହସ୍ତଗତ ହୋଇନ’ଥିବା ଶ୍ରୀମନ୍ଦିର ପ୍ରଶାସନ କହୁଥିବା ବେଳେ ଚିଠି ପାଇଲା ପରେ ସେବାୟତ କଲ୍ୟାଣ କମିଟି ସହାୟତାରେ ସଚେତନା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । କିନ୍ତୁ ଏହି ପ୍ରସଙ୍ଗରେ ଅଜବ ଯୁକ୍ତି ବାଢ଼ିଛନ୍ତି ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର ।

କିଛି ବ୍ରାହ୍ମଣ ପିଲା କିମ୍ବା ନାବାଳକ ଜଗନ୍ନାଥ ସେବାରେ କିଛି ଅର୍ଥ ଉପାର୍ଜନ କରୁଛନ୍ତି । ଏହାକୁ ନେଇ କାହାକୁ କେମିତି ଦୋଷାରୋପ କରାଯିବ । କାହିଁକି ନା’ସରକାର ଶିଶୁ ଶ୍ରମିକ ପ୍ରଥା ଉଠାଇ ପାଇଁ ଆଇନ କରୁଛନ୍ତି କିନ୍ତୁ ଉଚ୍ଛେଦ ପରେ ସେମାନଙ୍କ ଥଇଥାନ ଚିନ୍ତା କାହିଁକି କରୁନାହାଁନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଦଇତାପତି ।

ଏଠି ପ୍ରଶ୍ନ ଉଠୁଛି ନାବାଳକଙ୍କୁ ଶିଶୁ ଶ୍ରମିକ ଭାବରେ ନିୟୋଜିତ କରିବା ପାଇଁ ସେବାୟତ ମାନଙ୍କୁ ଅଧିକାର ଦେଲା କିଏ? ଶିଶୁ ଶ୍ରମିକଙ୍କୁ ଥଇଥାନ କରିବା ପାଇଁ ସେବାୟତଙ୍କ ଏହା କି ପ୍ରକାର ଉଦ୍ୟମ? ବେଆଇନ କାର୍ଯ୍ୟରେ ଜଡ଼ିତା ଥିବା ପରେ’ବି ଏହାକୁ ଘଂଟ ଘୋଡାଇବା ପାଇଁ କାହିଁକି ଆଗେଇ ଆସୁଛନ୍ତି ସେବାୟତ? ଶିଶୁ କଲ୍ୟାଣ କମିଟିର ହସ୍ତକ୍ଷେପ ପରେ ସେବାୟତ ଆଇନ ମାନିବେ ନା ପୂର୍ବପରି ଲୁଚାଛୁପାରେ ଏମିତି ଚାଲିବ ଶିଶୁ ଶ୍ରମିକ ପ୍ରଥା ?

ଏହାସହ ଦେଖନ୍ତୁ ଏହି ଭିଡିଓ :